ସୂର୍ଯ୍ୟଙ୍କ ଚତୁଃପାର୍ଶ୍ବରେ ଇନ୍ଦ୍ରଧନୁ ବିଳୟ; ସ୍ପଷ୍ଟ ଦିବାଲୋକରେ ଦେଖିବାକୁ ମିଳିଲା ବିରଳ ମହାଜାଗତିକ ଦୃଶ୍ୟ

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ପ୍ରନ୍ତରେ ଏକ ବିରଳ ଦୃଶ୍ୟ ପରିଲକ୍ଷିତ ହୋଇଛି। ସୂର୍ଯ୍ୟଙ୍କ ଚତୁଃପାର୍ଶ୍ବରେ ଇନ୍ଦ୍ରଧନୁ ସଦୃଶ ଏକ ବିଳୟ; ସ୍ପଷ୍ଟ ଦିବାଲୋକରେ ଦେଖିବାକୁ ମିଳିଛି। ସୂର୍ଯ୍ୟ ଚାରିପାଖରେ ବଳୟକୁ ଏକ ବିରଳ ମହାଜାଗତିକ ଦୃଶ୍ୟ ବୋଲି କୁହାଯାଉଛି । ଆଜି ଏହିପରି ଇନ୍ଦ୍ରଧନୁର ରଙ୍ଗ ଥିବା ଏକ ବଳୟ ଆମ ରାଜ୍ୟର ଅନେକ ସ୍ଥାନରେ ଆଜି ସକାଳେ ଦେଖିବାକୁ ମିଳିଛି । ଦିନ ପ୍ରାୟ ୧୦ଟା ସମୟରେ ଏଭଳି ବଳୟ ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବା ଅନୁସାରେ, ପ୍ରକୃତରେ ଏହା ମେଘ ଓ ଆଲୋକ ଦ୍ୱାରା ସଙ୍ଗଠିତ ଏକ ଅସାଧାରଣ ଦୃଶ୍ୟ। ଏଥିରେ ଆଶ୍ଚର୍ଯ୍ୟ ଚକିତ ହେବା ଭଳି କୌଣସି କାରଣ ନାହିଁ ବୋଲି ‌ସେ କହିଛନ୍ତି।

ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଆମ ବାୟୁମଣ୍ଡଳରେ ଥିବା ମେଘଗୁଡ଼ିକ ଛୋଟ ଛୋଟ ବରଫ ସ୍ଫଟିକରେ ତିଆରି। ବରଫ ସ୍ଫଟିକଗୁଡ଼ିକ ଖୁବ୍‌ ପତଳା ଓ ଷଡ଼ଭୁଜ ଆକାରର। ଏହି ଷଡ଼ଭୁଜ ସ୍ଫଟିକଗୁଡ଼ିକ ଯୋଡ଼ି ହୋଇ ରହିଥିବା ଦୁଇଟି ପ୍ରିଜିମ୍‌ ଭଳି କାର୍ଯ୍ୟ କରେ। ଫଳରେ ଏହି ବରଫ ସ୍ଫଟିକ ମାଧ୍ୟମରେ ସୂର୍ଯ୍ୟ ଆଲୋକରେ ପତଳା ମେଘ ରହେ।

ତେବେ ଦିନରେ ସୂର୍ଯ୍ୟ ଚାରିପାଖରେ ଓ ରାତିରେ ଚନ୍ଦ୍ର ଚାରିପାଖରେ ଏହିପରି ଏକ ବଳୟ ଦେଖାଯାଇଥାଏ। ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ନାହିଁ। କିନ୍ତୁ ସାଧାରଣତଃ ବାୟୁମଣ୍ଡଳରେ ଝଡ଼ ପୂର୍ବରୁ ମେଘ ପତଳା ହୋଇ ଖୁବ୍‌ ଉପରକୁ ଉଠିଯାଏ ଓ ଗୋଟିଏ ଦିନ ପରେ ଏହା ତଳକୁ ଆସି ବହୁତ ବର୍ଷା କରିଥାଏ। ତେଣୁ ସାଧାରଣତଃ ସୂର୍ଯ୍ୟ ବା ଚନ୍ଦ୍ର ଚାରିପାଖରେ ଏକ ବଳୟ ଦେଖାଗଲେ ପରବର୍ତ୍ତୀ ସମୟରେ ବର୍ଷା ହେବାର ସମ୍ଭାବନା ଥାଏ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ କହିଛନ୍ତି।

ସମ୍ବନ୍ଧିତ ଖବର