ଦଶପଲ୍ଲାରେ ମାତିଛନ୍ତି କେନ୍ଦୁପତ୍ର ମାଫିଆ

ଦଶପଲ୍ଲା : ଦଶପଲ୍ଲାରେ ମାତିଛନ୍ତି କେନ୍ଦୁପତ୍ର ମାଫିଆ। ଦିନ ଦ୍ୱିପ୍ରହରେ ବ୍ୟବସାୟୀମାନେ ତୋଳାଳିଙ୍କଠାରୁ କେନ୍ଦୁପତ୍ର ସଂଗ୍ରହ କରି ରାତାରାତି ବାହାର ଜିଲ୍ଲାକୁ ଏହି ଚୋରା ଚାଲାଣ କରୁଛନ୍ତି। ଦୈନିକ ଚୋରା ବ୍ୟବସାୟ ଚାଲିଥିବା ବେଳେ ମାଫିଆଙ୍କ ଟେର୍‌ ପାଉନି ବନ ବିଭାଗ। ଏହି ଚୋରା ବ୍ୟବସାୟୀମାନେ ଦଶପଲ୍ଲା ବ୍ଲକର ବିଭିନ୍ନ ଗ୍ରାମରୁ ଚୋରାରେ ପତ୍ର ସଂଗ୍ରହ କରି ଘୁଗୁଡିପଡା ପଞ୍ଚାୟତ ଦେଇ ଗଣିଆ ମହାନଦୀ ନିକଟରେ ବାହାରି ଖଣ୍ଡପଡ଼ା ବ୍ଲକର ସିଧାମଳା, କଂଟିଲୋ, ଖଳିସାହି, ବେଣାଗାଡିଆ ଏବଂ କଟକ ଜିଲ୍ଲାର ନରସିଂହପୁର ଅଂଚଳକୁ ଚାଲାଣ କରୁଛନ୍ତି। ଏହି ଚୋରା ଚାଲାଣ ପଛରେ କିଛି ବନ କର୍ମଚାରୀଙ୍କ ହାତ ଥିବା କୁହାଯାଉଛି।

ଦଶପଲ୍ଲା କେନ୍ଦୁପତ୍ର ବନାଞ୍ଚଳ ଅଧୀନରେ ଜିଲ୍ଲାର ନୂଆଗାଁ, ରଣପୁର ବ୍ଲକ୍‌ ସମେତ ଗଣିଆ ବ୍ଲକ୍‌ର ଗଣିଆ ଏବଂ ବଡସିଲିଙ୍ଗା ଭଳି ୪ଟି ସେକ୍ସନର ୫୮ଟି ଫଡି ରହିଛି। ଚଳିତ ବର୍ଷ ଦଶପଲ୍ଲା ବନାଞ୍ଚଳ ଅଧୀନରେ ମୋଟ ୫ ହଜାର ୭୭ ଜଣ କେନ୍ଦୁପତ୍ର ତୋଳାଳି ନାମ ପଞ୍ଜୀକୃତ ତଥା ଲାଇସେନ୍ସ କରିଛନ୍ତି। ଜଙ୍ଗଲରୁ ଏହି କେନ୍ଦୁପତ୍ର ଏପ୍ରିଲ ମାସ ୨୦ ତାରିଖଠାରୁ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ତୋଳାଯାଇଥାଏ। ୧ଟି କେରୀରେ ୨୦ଟି ପତ୍ର ରହୁଥିବା ବେଳେ ତୋଳାଳିଙ୍କୁ କେରୀ ପିଛା ୧ଟଙ୍କା ପାରିଶ୍ରମିକ ମିଳିଥାଏ। ଚଳିତ ବର୍ଷ ଦଶପଲ୍ଲା ବନାଞ୍ଚଳ ଅଧୀନରେ ଥିବା ୪ଟି ସେକ୍ସନରୁ ମୋଟ ୫୧ ଲକ୍ଷ ୧୮ ହଜାର ୯୨୦ କେରୀ ସଂଗ୍ରହ ହୋଇଥିବା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ପରିଡ଼ା ପ୍ରକାଶ କରିଛନ୍ତି। ଲାଇସେନ୍ସପ୍ରାପ୍ତ ତୋଳିଳିମାନେ ନିଜ ଘରେ ୫ କ୍ୱିଂଟାଲ ପର୍ଯ୍ୟନ୍ତ ପତ୍ର ସଂଗ୍ରହ କରି ରଖିବାର ନିୟମ ରହିଛି। ଏପଟେ ୧ କ୍ୱିଂଟାଲ ପତ୍ରର ସରକାରୀ ମୂଲ୍ୟ ୩୦ ହଜାର ଟଙ୍କା ରହିଛି। ଲାଇସେନ୍ସପ୍ରାପ୍ତ ଶ୍ରମିକମାନେ ଏହି ପତ୍ର ତୋଳିବାର ନିୟମ ରହିଥିବା ବେଳେ ଅଣଲାଇସେନ୍ସପ୍ରାପ୍ତ ଶ୍ରମିକମାନେ ଅବାଧରେ ଜଙ୍ଗଲରେ ପଶି ପତ୍ର ସଂଗ୍ରହ କରି ବ୍ୟବସାୟୀଙ୍କୁ କ୍ୱିଂଟାଲ ପିଛା ୪୦ ରୁ ୫୦ ହଜାର ମୂଲ୍ୟରେ ବିକ୍ରି କରୁଥିବା ଅଭିଯୋଗ ହେଉଛି।

ଏବେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ନିଷ୍କ୍ରିୟତା ପାଇଁ ଚୋରା ବ୍ୟବସାୟ ବଢି ଚାଲିଛି। ଅନେକ ସ୍ଥାନରେ ବିଡି କାରଖାନା ମାଲିକମାନେ ସରକାରଙ୍କଠାରୁ ଅଧିକ ଦାମରେ ପତ୍ର ନ କିଣି ଚୋରା ବ୍ୟବସାୟୀଙ୍କଠାରୁ କମ୍‌ ଦରରେ ପତ୍ର କିଣୁଛନ୍ତି। ଜିଲ୍ଲାର ଖଣ୍ଡପଡା, ଖଳିସାହି, ବେଣାଗାଡିଆ, କଂଟିଲୋ ଏବଂ କଟକ ଜିଲ୍ଲାର ନରସିଂହପୁର ପ୍ରଭୃତି ଅଂଚଳରେ ଥିବା ବିଡି କାରଖାନାର ମାଲିକମାନେ ଦଶପଲ୍ଲା ଅଂଚଳରେ କାୟା ବିସ୍ତାର କରି କେନ୍ଦୁପତ୍ର ଲୁଟିବାରେ ଲାଗି ପଡିଛନ୍ତି। ଦଶପଲ୍ଲା ବ୍ଲକ୍‌ର ଟାକେରା, ବୁଗୁଡା,ବାଣିଗୋଛା ପ୍ରଭୃତି ଅଂଚଳରୁ ଏହି ଚୋରା ଚାଲାଣ ଟାକେରାସ୍ଥିତ ଫରେଷ୍ଟ ଗେଟ୍‌ ଦେଇ ଆସୁଥିବା ବେଳେ ବନବିଭାଗ ନିକଟରେ ଏଥିପ୍ରତି କୌଣସି ସୂଚନା ନରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପଟେ ମଧ୍ୟ ପଥୁରିଆ, ଶ୍ରୀରାମପୁର, ଘୁଗୁଡିପଡା ଏବଂ ନୂଆଗାଁ ଓ କଳସାଖମଣ ପଞ୍ଚାୟତରୁ ଏହି ଚୋରା ଚାଲାଣ ଚାଲିଥିଲେ ମଧ୍ୟ ବନବିଭାଗର ଦାୟିତ୍ୱହୀନ ହୋଇପଡ଼ୁଥିବା ଅଭିଯୋଗ ହେଉଛି। ଲାଇସେନ୍ସପ୍ରାପ୍ତ ଶ୍ରମିକମାନେ ସେମାନଙ୍କୁ ପ୍ରତିରୋଧ କଲେ ଚୋରା ବ୍ୟବସାୟୀମାନେ ନାଲି ଆଖି ଦେଖାଉଥିବା ଶ୍ରମିକମାନେ କହିଛନ୍ତି। ଏହି ଚୋରା ବ୍ୟବସାୟୀମାନଙ୍କୁ ବିଭାଗୀୟ ଚେକର୍‌, ସର୍କଲ ଚେକର୍‌, କର୍ମଚାରୀ ଓ ଅଧିକାରୀ ସହଯୋଗ କରୁଥିବା ନେଇ ଅଭିଯୋଗ ମଧ୍ୟ ହେଉଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର