ଦୁର୍ଘଟଣା ରୋକିବାକୁ ବଡ଼ ପଦକ୍ଷେପ : ବେଗ ମାପିବ ରାଡର‌୍‌; ସ୍କାନର୍‌ରେ ଚାଳକ

କଟକ : ୧୬ ନମ୍ବର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଗାଡ଼ି ଚାଳନା, ବିନା ସିଟ୍‌ ବେଲ୍ଟରେ ଗାଡ଼ି ଚଳାଉଥିବା ଚାଳକ ସାବଧାନ। ଏଣିକି ସେମାନଙ୍କ ଉପରେ ୨୪ ଘଣ୍ଟା ଅନ୍‌ଲାଇନ୍‌ରେ ନଜର ରଖିବ ଉଚ୍ଚ କ୍ଷମତା ଯୁକ୍ତ କ୍ୟାମେରା ଓ ରାଡର‌୍‌। ରାଜ୍ୟ ପରିବହନ କମିସନ ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଧାରୁ ଯାଜପୁର ଜିଲ୍ଲା ଚଣ୍ତିଖୋଲ ପର୍ଯ୍ୟନ୍ତ ରାଜପଥର ୨୫ଟି ସମ୍ବେଦନଶୀଳ ତଥା ଦୁର୍ଘଟଣାପ୍ରବଣ ପଏଣ୍ଟରେ କ୍ୟାମେରା ଓ ରାଡର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୭ କୋଟି ଟଙ୍କା ଅର୍ଥ ଅଟକଳ କରିଛନ୍ତି। ଖୁବ୍‌ ଶୀଘ୍ର ଏଥିପାଇଁ ଟେଣ୍ତର ପ୍ରକ୍ରିୟା ଆରମ୍ଭ ହେଉଥିବା ସୂଚନା ମିଳିଛି।

ରାଜ୍ୟରେ ଖୋର୍ଧା-ଚଣ୍ତିଖୋଲ ରାସ୍ତାରେ ମୁଖ୍ୟତଃ ଦୁର୍ଘଟଣା ଅଧିକ ମାତ୍ରାରେ ଘଟୁଥିବା ଏନ୍‌ଏଚ୍‌ଆଇ(ନ୍ୟାସନାଲ୍‌ ହାଇେଵ ଅଥରିଟି)ର ଏକ ରିପୋର୍ଟରେ ଦର୍ଶାଇଛି। ୨୦୧୬ରେ ଏହି ୧୬ ନମ୍ବର ଜାତୀୟ ରାଜପଥରେ ୯୫ ଜଣ ଏବ˚ ୨୦୧୬ରେ ୧୩୨ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏଭଳି ଦୁର୍ଘଟଣାକୁ ଦୃଷ୍ଟିରେ ରଖାଯାଇ ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଧା-ଚଣ୍ତିଖୋଲ ରାଜପଥରେ କ୍ୟାମେରା ଓ ରାଡର‌୍‌ ଲଗାଯିବ। ଯୋଜନା ସଫଳ ହେଲେ ରାଉରକେଲା-ମଙ୍ଗୁଳି ସମେତ ରାଜ୍ୟର ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଲଗାଯିବ। କ୍ୟାମେରାରେ ଗାଡ଼ିର ନମ୍ବର ପ୍ଲେଟ୍‌ ଚିତ୍ର ଉଠାଇବା ସହିତ ରାଡର‌୍‌ ମାଧ୍ୟମରେ ଗାଡ଼ିର ବେଗ ମପାଯିବ। ଏମିତିକି ଚାରି ଚକିଆ ଗାଡ଼ି ଚାଳକ ସିଟ୍‌ ବେଲ୍ଟ ନପିନ୍ଧିଥିଲେ ଗାଡ଼ି ଭିତରରେ ଥିବା ଚାଳକଙ୍କ ଚିତ୍ର ମଧ୍ୟ କ୍ୟାମେରାରେ ଉଠାଇବା କ୍ଷମତା ରହିଛି। ଯେଉଁ ବାଇକ୍‌ ଚାଳକମାନେ ହେଲ୍‌ମେଟ୍‌ ବ୍ୟବହାର ନକରି ରାଜପଥରେ ଗାଡ଼ି ଚଳାଉଛନ୍ତି, ସେମାନେ ବି ଧରାପଡ଼ିବେ। ରାଜପଥରେ ଅଧିକା˚ଶ ଭାରିଯାନ ବିପରୀତ ଦିଗରେ ଆସୁଥିବା ଅଭିଯୋଗ ହୁଏ। ତାଙ୍କ ଉପରେ ମଧ୍ୟ ନଜର ରଖାଯିବ। ଗାଡ଼ି ଚାଳକଙ୍କ ପାଇଁ ନିର୍ଦ୍ଧାରଣ ହୋଇଥିବା ଗାଡ଼ିର ବେଗଠାରୁ ଅଧିକ ବେଗରେ ଗାଡ଼ି ଯାଉଥିଲେ, ସମ୍ପୃକ୍ତ ଚାଳକ ଜଣକ କେତେ ସ୍ପିଡ୍‌ରେ ଗାଡ଼ି ଚଳାଉଛନ୍ତି ଏବ˚ ତାଙ୍କ ଗାଡ଼ି ନମ୍ବର ରାଡର ଓ କ୍ୟାମେରା ମାଧ୍ୟମରେ ରିଡ୍‌ କରି କଟକ ରାଜ୍ୟ ପରିବହନ କମିସନଙ୍କ କାର୍ଯ୍ୟାଳୟରେ ଥିବା ସର୍ଭରକୁ ସ୍ବୟ˚ଚାଳିତ ଭାବେ ସୂଚନା ପଠାଇବ। ଏହି କ୍ୟାମେରା ଓ ରାଡର୍‌ ୨୪ ଘଣ୍ଟା କାର୍ଯ୍ୟ କରିବ। ମୋଟର ଯାନ ଆଇନ ଉଲଙ୍ଘନ କରିଥିବା ସମ୍ପୃକ୍ତ ଗାଡ଼ି ଡ୍ରାଇଭର‌୍‌ଙ୍କ ତଥ୍ୟ ବାହାନ େଵବ୍‌ସାଇଟ୍‌ https://vahan.nic.in/nrservices/faces/welcome.jsp ମାଧ୍ୟମରେ କଢ଼ାଯାଇ ତାଙ୍କ ବିରୋଧରେ ଚାଲାଣ ଇସ୍ୟୁ କରାଯିବ। ଗାଡ଼ିଟି ଓଭର‌୍‌ ସ୍ପିଡ୍‌ ଥିଲେ ତାଙ୍କ ଡ୍ରାଇଭି˚ ଲାଇସେନ୍ସ ସସ୍‌ପେଣ୍ତ କରାଯିବା ସହିତ ଜରିମାନା ବ୍ୟବସ୍ଥା ଗ୍ରହଣ କରାଯିବ।

ଅନ୍ୟପଟେ ଜିଲ୍ଲାର ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ରୋଡ୍‌ ସେଫ୍ଟି ସୋସାଇଟିର ଅଧ୍ୟକ୍ଷ ଥିବାରୁ ଜାତୀୟ ଓ ରାଜ୍ୟ ରାଜପଥଟି ଯେଉଁ ଜିଲ୍ଲା ଦେଇ ଯାଇଛି, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଦୁଇ/ଚାରି ଚକିଆ ଯାନ ଏବ˚ ଭାରୀଯାନ କେତେ ବେଗରେ ଯିବ; ସେ ସମ୍ପର୍କରେ ନିର୍ଦ୍ଧାରଣ କରିବେ।ସେହିପରି ୨୦୧୫ ରୋଡ୍‌ ସେଫଟି କମିଟିର ରିପୋର୍ଟ କହୁଛି ରାଜ୍ୟରେ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥରେ ୨୧୪ଟି ‘ବ୍ଲାକ୍‌ ସ୍ପଟ୍‌’ ରହିଛି। ବାର୍ଷିକ ହାରାହାରି ୪ ହଜାର ଲୋକଙ୍କ ଜୀବନ କେବଳ ‘ବ୍ଲାକ୍‌ ସ୍ପଟ୍‌’ ପାଇ ଯାଉଥିବା ରିପୋର୍ଟରେ ଦର୍ଶାଯାଇଛି। ଅନୁଗୁଳରେ ୨୮ଟି, ଭୁବନେଶ୍ବରରେ ୭ଟି, କଟକରେ ୫ଟି, ଗଞ୍ଜାମରେ ୬ଟି, କଳାହାଣ୍ତିରେ ୫ଟି, ମୟୁରଭଞ୍ଜରେ ୮ଟି ବ୍କାକ୍‌ ସ୍ପଟ୍‌ ରହିଛି। ଏଭଳି ସ୍ଥିତିରେ ଦୁର୍ଘଟଣାର ବର୍ଧିତ ସ୍ଥିତିକୁ ଦେଖି କ୍ୟାମେରା ଓ ରାଡାରା ମାଧ୍ୟମରେ ଚାଳକଙ୍କ ଉପରେ ୨୪ ଘଣ୍ଟା ନଜର ରଖିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର