ଭୁବନେଶ୍ବର : ଆସୁଛି ଅଁଳା ନବମୀ। କାର୍ତ୍ତିକ ଶୁକ୍ଳପକ୍ଷ ନବମୀ ପବିତ୍ର ତିଥିରେ ସତ୍ୟବାଦୀ ଶ୍ରୀଗୋପୀନାଥ ଦେବ ମନ୍ଦିରରେ ଶ୍ରୀରାଧାପାଦ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ତିଥିରେ ଅର୍ଥାତ୍ ନଭେମ୍ବର ୧୮ ତାରିଖ ଦିନ ପ୍ରବଳ ଭିଡ଼ ଜମିବାକୁ ଯାଉଛି। କେବଳ ଦର୍ଶନ ଛଡ଼ା ଭକ୍ତମାନେ ଶ୍ରୀରାଧା ପାଦ ସ୍ପର୍ଶ କରିପାରିବେ ନାହିଁ ବୋଲି ଦେବୋତ୍ତର କମିସନଙ୍କର ନିର୍ଦ୍ଦେଶ ରହିଛି। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାଙ୍କ ପରାମର୍ଶକ୍ରମେ ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ହେଲେ ଏହି ନିର୍ଦ୍ଦେଶକୁ ୧୪ବର୍ଷ ବିତିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ନିର୍ଦ୍ଦେଶ ଦିଆଯିବାର କିଛି ବର୍ଷ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ବିଶୃଙ୍ଖଳିତ ହୋଇଛି। ପୁଣି ଥରେ ଭକ୍ତମାନେ ପାଦ ସ୍ପର୍ଶ କରୁଥିବା ପରିଲକ୍ଷିତ ହୋଇଛି। ଏହାକୁ ନେଇ ଏହି ଦର୍ଶନରେ ପ୍ରବଳ ବିଶୃଙ୍ଖଳା ହେଉଥିବା ପ୍ରମାଣ ରହିଛି। ଏଣୁ ପୂର୍ବ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ର ସ୍ୱାଭିମାନ ମଞ୍ଚ ଆବାହକ ଦେବାଶିଷ ଦାସ ଦେବୋତ୍ତର କମିସନଙ୍କୁ ପତ୍ର ଜରିଆରେ ଅନୁରୋଧ କରିଛନ୍ତି। ଏହାର ଏକ ନକଲ ସେ ମୁକ୍ତି ମଣ୍ଡପ ସ୍ଥାୟୀ ସଭାପତି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ, ଆଇନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ପଠାଇଛନ୍ତି। ଗତବର୍ଷ ଅଁଳା ନବମୀରେ ଏଠାରେ ପ୍ରବଳ ବିଶୃଙ୍ଖଳା ହୋଇଥିଲା। କେତେକ ଭିଆଇପି ଭକ୍ତ ପାଦ ସ୍ପର୍ଶ କରିବା ପାଇଁ ଦୀର୍ଘ ସମୟ ଧରି ବିଗ୍ରହଙ୍କ ନିକଟରେ ରହିବାରୁ ସାଧାରଣ ଭକ୍ତମାନେ ଦୀର୍ଘ ସମୟ ଧରି ଖରାରେ ଛିଡ଼ା ହୋଇ କଷ୍ଟ ପାଇଥିଲେ। ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏଣୁ ପୂର୍ବ ନିର୍ଦ୍ଦେଶକୁ କଡ଼ାକଡ଼ି କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଆବେଦନ ଉପରେ ବିଚାର କରାଯିବ ବୋଲି ଦେବୋତ୍ତର କମିସନ କହିଛନ୍ତି।
ସାକ୍ଷୀଗୋପାଳ ଶ୍ରୀରାଧା ପାଦ ସ୍ପର୍ଶ ବିବାଦ : ନିର୍ଦ୍ଦେଶ କଡ଼ାକଡ଼ି କରିବାକୁ ଆବେଦନ
/sambad/media/post_attachments/wp-content/uploads/2018/10/satyabadi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)