ଭୁବନେଶ୍ବର: ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ କବିବର ରାଧାନାଥ ରାୟଙ୍କର ଉଦ୍ୟମ ଅତୁଳନୀୟ। ‘ଚିଲିକା’, ‘ଚନ୍ଦ୍ରଭାଗା’, ‘ମହାଯାତ୍ରା’ ପରି ତାଙ୍କର ଅନନ୍ୟ ସୃଷ୍ଟି ଓଡ଼ିଆ ସାହିତ୍ୟକୁ କରିଛି ଋଦ୍ଧିମନ୍ତ। ରାଧାନାଥ ଥିଲେ ବହୁପାଠୀ। ଓଡ଼ିଆ ସହ ରାଧାନାଥଙ୍କ ସଂସ୍କୃତରେ ଅଗାଧ ପାଣ୍ଡିତ୍ୟ ଥିଲା। ‘ସର୍ବେସାଂ ନୋ ଜନନୀ ଭାରତ’ରୁ ଏହାର ପ୍ରମାଣ ମିଳେ। ସେ ମଧ୍ୟ ଥିଲେ ଅଦ୍ଭୂତ ସ୍ମୃତିଧର। ଶହ ଶହ ସଂଖ୍ୟାରେ ବହି ପଢ଼ି ଆମୂଳଚୂଳ ମନେ ରଖୁଥିଲେ। ନିଜ ସମୟରେ ସେ ଥିଲେ ସର୍ବଶ୍ରେଷ୍ଠ ବିଦ୍ବାନ। କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଉପଲକ୍ଷେ ‘ସମ୍ବାଦ-ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ ‘ଆମ ରାଧାନାଥ’ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ପୁସ୍ତକର ଲେଖକ ରବୀନ୍ଦ୍ର କୁମାର ପ୍ରହରାଜ ଏହା କହିଛନ୍ତି। 

Advertisment

‘ଆମ ଓଡ଼ିଶା’ କାର୍ଯ୍ୟାଳୟରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ଓ ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ଲେଖକ ନରେନ୍ଦ୍ର ପ୍ରସାଦ ଦାସ ଯୋଗଦେଇ କହିଲେ, ଓଡ଼ିଆ ଭାଷା, ସାହିତ୍ୟ ଓ ସମ‌ାଜ ପାଇଁ ରାଧାନାଥ ରାୟ ଅଙ୍ଗୀକାରବଦ୍ଧ ଥିଲେ। ତାଙ୍କ ଉପରେ ଲିଖିତ ମନୋଗ୍ରାଫକୁ ଭବିଷ୍ୟତ ପିଢ଼ି କାର୍ଯ୍ୟରେ ଲଗାଇ ପାରିଲେ ପୁସ୍ତକ ପ୍ରକାଶନର ଲକ୍ଷ୍ୟ ସାଧିତ ହେବ। ଉତ୍ସବରେ ସଭାପତିତ୍ବ କରି ବିଶିଷ୍ଟ କଥାକାର ଦାଶ ବେନହୁର କହିଲେ, ‘ଆମ ଓଡ଼ିଶା’ ଏଯାବତ୍‌ ୧୬୨ଟି ପୁସ୍ତକ ପ୍ରକାଶ କରି ସାରିଲାଣି। ଯେଉଁମାନେ ଓଡ଼ିଶାର ମୁଖମଣ୍ଡଳକୁ ଉଜ୍ବଳ କରିଛନ୍ତି ସେମାନଙ୍କୁ ନେଇ ପୁସ୍ତକ ପ୍ରକାଶ କରିବା ‘ଆମ ଓଡ଼ିଶା’ର ଏକ ଅଭିନବ ଉଦ୍ୟମ। ଅନେକ ମହାପୁରୁଷମାନଙ୍କର ଗ୍ରନ୍ଥାବଳୀ ଥିଲେ ମଧ୍ୟ ତାହା ସମସ୍ତଙ୍କ ପାଖରେ ପହଞ୍ଚି ପାରେନାହିଁ। ତେଣୁ ସେମାନଙ୍କର ଜୀବନୀକୁ ସଂକ୍ଷେପରେ ପାଠକଙ୍କ ପାଖରେ ପହଞ୍ଚାଇବା ପାଇଁ ଏ ଉଦ୍ୟମ ପ୍ରଶଂସନୀୟ। 

ରାଧାନାଥ ରାୟଙ୍କ ଜୟନ୍ତୀରେ ପାଠକାର୍ପିତ ହେଲା ‘ଆମ ରାଧାନାଥ’

ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚାନ୍ଦ ପୁସ୍ତକର ସମୀକ୍ଷା କରି କହିଲେ, ଲେଖକ ଡ. ପ୍ରହରାଜ ୮୬ ବର୍ଷ ବୟସରେ ନିଷ୍ଠାପର ଭାବେ ଗବେଷଣା କରି ଏହି ପୁସ୍ତକ ରଚନା କରିଛନ୍ତି। ଲେଖକ ରାଧାନାଥଙ୍କ ବାଲ୍ୟ ଜୀବନ, ଶିକ୍ଷା, ବୃତ୍ତିକୁ ସଂକ୍ଷିପ୍ତ କରି ତାଙ୍କର ସାହିତ୍ୟ ଓ ଜୀବନୀକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି, ଯାହା ଏହି ପୁସ୍ତକର ବିଶେଷତ୍ବ। ‘ଆମ ଓଡ଼ିଶା’ ପ୍ରକାଶନର ସଂପାଦକ ଅସିତ ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ‘ଆସ ଓଡ଼ିଶାକୁ ଚିହ୍ନିବା’ ଆହ୍ବାନରେ ଏଭଳି ପୁସ୍ତକ ପ୍ରକାଶ କରାଯାଉଥିବା ଶ୍ରୀ ମହାନ୍ତି କହିଥିଲେ। ‘ଆମ ଓଡ଼ିଶାର’ ସଂପାଦକ ଅରବିନ୍ଦ ଦାସ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିଲେ। ସମାଜସେବିକା ଅପର୍ଣ୍ଣା ନାୟକ ଧନ୍ୟବାଦ ଦେଇଥିଲେ। ୧୩୨ ପୃଷ୍ଠା ବିଶିଷ୍ଟ ‘ଆମ ରାଧାନାଥ’ ପୁସ୍ତକର ମୂଲ୍ୟ ୧୩୦ ଟଙ୍କା ରହିଛି, ଯାହାର ପ୍ରଚ୍ଛଦ ଶଶିକାନ୍ତ ରାଉତ ଆଙ୍କିଛନ୍ତି।