ସାକ୍ଷୀଗୋପାଳ : ବୁଧବାର ଦିନ ପବିତ୍ର ଅଁଳା ନବମୀରେ ପୁରୀ ଜିଲ୍ଲା ଅନ୍ତର୍ଗତ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ମା’ ରାଧାରାଣୀ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସାକ୍ଷୀଗୋପାଳ ଠାକୁର ବି ରାଧାଦାମୋଦର ବେଶରେ ନୃତ୍ୟରତ ଭଙ୍ଗିରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସେପଟେ ବର୍ଷକୁ ଥରେ ବୁଧବାର ଦିନ ପବିତ୍ର ଅଁଳା ନବମୀରେ ମା’ଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ଅର୍ଜିଛନ୍ତି ଭକ୍ତ। ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଲକ୍ଷାଧିକ ଭକ୍ତ ଲମ୍ବାଧାଡ଼ିରେ ରହି ରାଧାପାଦ ଦର୍ଶନ କରି କୋଟିପୂଣ୍ୟ ଲଭିଛନ୍ତି।
ରାଧାପାଦ ଦର୍ଶନ ପାଇଁ ମଙ୍ଗଳବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଥିଲା। ୩ଜଣ ମାଜିଷ୍ଟ୍ରେଟଙ୍କ ସହ ୮୯ଜଣ ପୁଲିସ ଅଧିକାରୀ ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ କରିଥିଲେ। ଦର୍ଶନ ପାଇଁ ସିଂହଦ୍ବାରରେ ବାରିକେଡିଂ କରାଯାଇଥିଲା। କିନ୍ତୁ, ଦର୍ଶନ ପାଇଁ ମଙ୍ଗଳବାର ରାତିରୁ ହିଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହାକୁ ନଜରରେ ରଖି ରାତି ୧୧ଟାରୁ ମନ୍ଦିର ନୀତିକାନ୍ତି ଆରମ୍ଭ ହୋଇଥିଲା। ସଅଳ ଦ୍ବାରଫିଟା ସହ ଅନ୍ୟାନ୍ୟ ନୀତିକାନ୍ତି ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ରାତି ୨ଟାରୁ ଭକ୍ତମାନେ ମନ୍ଦିର ଯାଇ ରାଧାପାଦ ଦର୍ଶନ କରିଥିଲେ। ଭକ୍ତମାନେ ସିଂହଦ୍ବାର ବାରିକେଡ୍ରେ ପ୍ରବେଶ କରି ଦର୍ଶନ କରିଥିଲେ। ସିଂହଦ୍ବାରରେ ମେଟାଲ୍ ଡିଟେକ୍ଟରରେ ଯାଞ୍ଚ ପରେ ଭକ୍ତମାନଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା। ଏହାପରେ, ଭକ୍ତମାନେ ପ୍ରଭୁ ସାକ୍ଷୀଗୋପାଳଙ୍କ ନଟବର ବେଶ ଓ ମା’ ରାଧାଙ୍କ ଓଡ଼ିଆଣୀ ବେଶ ଦର୍ଶନ ସହ ଦୀପଦାନ, ଅଁଳା ବୃକ୍ଷ ପରିକ୍ରମା ଓ ପୂଜାର୍ଚ୍ଚନା କରି ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିଥିଲେ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡ. କେ. ବିଶାଲ ସିଂ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଯୋଗଦେଇଥିଲେ।