ଝାରସୁଗୁଡ଼ା: ବ୍ରଜରାଜନଗର ବିଜେପିକୁ ଲାଗିଛି ଶକ୍ତ ଝଟ୍‌କା। ପୂର୍ବ ବିଧାୟିକା ରାଧାରାଣୀ ପଣ୍ଡା ବୁଧବାର ବିଜେପିରୁ ଇସ୍ତଫା ଦେଇଛନ୍ତି। ପରେ ସମ୍ବଲପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ୍‌ ହୋଇଛନ୍ତି। ପ୍ରତିକ୍ରିୟାରେ ସେ କହିଛନ୍ତି, ବିଜେପି ତାଙ୍କ ବ୍ୟକ୍ତିତ୍ବକୁ ଚିହ୍ନି ପାରିଲାନି ଓ ଦୁର୍ବ୍ୟବହାର କଲା। ତେଣୁ ସେ ୩ଟି ଗାଡ଼ିରେ ତାଙ୍କ ସମର୍ଥକଙ୍କୁ ନେଇ ବିଜେଡିରେ ସାମିଲ୍‌ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଗାମୀ କାର୍ଯ୍ୟକ୍ରମରେ ସମ୍ବଲପୁରରେ ୩ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ବିଜେଡିରେ ସାମିଲ କରାଇବେ ଓ ଆସନ୍ତାକାଲିଠାରୁ ବ୍ରଜରାଜନଗରରେ ପ୍ରଚାର କରିବେ।

Advertisment

୨୦୧୪ ମସିହାରେ ପ୍ରଥମ ଥର ପାଇଁ ବିଜେପି ଏହି ଗଡ଼ ଦଖଲ କରିଥିଲା। ସେ‌ତେବେଳେ ପ୍ରାର୍ଥୀ ଥିଲେ ରାଧାରାଣୀ ପଣ୍ଡା। ୨୦୧୯ ନିର୍ବାଚନରେ ଶ୍ରୀମତୀ ପଣ୍ଡାଙ୍କ ନେତୃତ୍ବରେ ବିଜେପିର ଭୋଟ୍‌ ହାର ୧୪ ପ୍ରତିଶତ ବଢ଼ିଥିଲେ ହେଁ ଦଳ ଦ୍ବିତୀୟ ସ୍ଥାନରେ ରହିଥିଲା। କିନ୍ତୁ ସ୍ବାସ୍ଥ୍ୟଗତ କାରଣ ଯୋଗୁ ବହୁଦିନ ଧରି ସକ୍ରିୟ ନରହିବାରୁ ଶ୍ରୀମତୀ ପଣ୍ଡା ୨୦୨୨ ଉପନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ଯାହା ତାଙ୍କ ଟିକେଟ କଟିବାର ଏକ ପ୍ରମୁଖ କାରଣ ବୋଲି କହାଯାଉଛି। କିନ୍ତୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏବେ ବି ଶ୍ରୀମତୀ ପଣ୍ଡାଙ୍କର ପକେଟ୍‌ ଭୋଟ୍‌ ରହିଛି। ଏବେ ସେ ବିଜେଡିରେ ଯୋଗଦେବା ପରେ ଅଳକା ମହାନ୍ତିଙ୍କ ଶିବିର ପୂର୍ବାପେକ୍ଷା ମଜବୁତ ହୋଇଛି। ଗତ ମାସ ୨୮ ତାରିଖରୁ ଶ୍ରୀମତୀ ପଣ୍ଡା ଦଳୀୟ ନେତୃବୃନ୍ଦଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଆସୁଥିଲେ। ଏପରିକି ସେ ବିଜେପି ଛାଡ଼ି ପାରନ୍ତି ବୋଲି ଗତ ୩୦ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।