ବ୍ରଜରାଜନଗର ଉପ ନିର୍ବାଚନ: ଆନୁଷ୍ଠାନିକ ଭାବେ ପ୍ରଚାର ଆରମ୍ଭ କଲେ ବିଜେପି ବିଧାୟକ ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା

ବ୍ରଜରାଜନଗର: ଆସନ୍ତା ୩୧ ତାରିଖରେ ହେବାକୁ ଥିବା ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ଆନୁଷ୍ଠାନିକ ଭାବରେ ବିଜେପି ବିଧାୟକ ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ପ୍ରଚାର ଆରମ୍ଭ କରିଛନ୍ତି। ରାଧାରାଣୀ ପଣ୍ଡା ଲଖନପୁର ବ୍ଲକସ୍ଥିତ ନିଜ ଗାଁ ଧୂଲୁଣ୍ଡାରୁ ପ୍ରଚାର ଆରମ୍ଭ କରି ପ୍ରଥମେ ଧୂଲୁଣ୍ଡା ଗ୍ରାମର କୂଳଦେବୀ ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ନିଜ ସମର୍ଥକ ମାନଙ୍କ ସହ ପ୍ରଚାର ମଇଦାନକୁ ଓଲ୍ହାଇ ଡୋର ଟୁ ଡୋର କେମ୍ପେନିଙ୍ଗ କରିଛନ୍ତି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିସ୍ଥାପନ ସମସ୍ୟା, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ସ୍ଥାନୀୟ ନିଯୁକ୍ତି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ମୁଦ୍ଦା କରି ରାଧାରାଣୀ ପ୍ରଚାର ମଇଦାନକୁ ଓଲ୍ହାଇଛନ୍ତି। ଆଗାମୀ ନିର୍ବାଚନରେ ଲୋକଙ୍କ ସମର୍ଥନ ପାଇ ସେ ବିଜୟୀ ହେବେ ବୋଲି ରାଧାରାଣୀ ପଣ୍ଡା କହିଛନ୍ତି।

ଏପଟେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ୫ ଜଣିଆ ପ୍ରତିନିଧି ଦଳ। ସେମାନେ କହିଛନ୍ତି ଯେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆମେ ନିର୍ବାଚନ ଅଧିକାରୀଙ୍କୁ ଭେଟିଲୁ । କିଛି ସରକାରୀ କର୍ମକର୍ତ୍ତାମାନେ ବିଜୁ ଜନତା ଦଳର ଭୋଟ ବ୍ୟାଙ୍କ ସାଜିଛନ୍ତି । ତାଙ୍କରି ସପକ୍ଷରେ ଜନସାଧାରଣମାନଙ୍କୁ ଭୋଟ ଦେବାକୁ ସେମାନେ ପ୍ରବର୍ତ୍ତାଉଛନ୍ତି । ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଶାସକ ଦଳ ନିର୍ବାଚନ ଜିତିବା ପାଇଁ ସରକାରୀ କର୍ମଚାରୀଙ୍କ ସାହାର୍ଯ୍ୟ ନେଉଛନ୍ତି। ଏହା କେତେ ଦୂର ଠିକ? ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ମଧ୍ୟ ବହୁ ବାର ନିର୍ବାଚନ କମିସନରଙ୍କୁ ଭେଟିଥିଲୁ। କିନ୍ତୁ କିଛି ଲାଭ ହେଲା ନାହିଁ । ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ସିବିକେ ,ଜିଆରଏସ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭୋଟରମାନଙ୍କୁ ଭୋଟ ଦେବା ପାଇଁ ସଚେତନ କରିବେ ବୋଲି ଚିଠି ହୋଇଛି । ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ପାଇଁ ନିର୍ବାଚନ ଆୟୋଗ ବାରମ୍ବାର କହୁଛନ୍ତି । ସେଠି ଯେଉଁ ସରକାରୀ କର୍ମଚାରୀଙ୍କ ଭୂମିକା ସନ୍ଦେହଜନକ ତାଙ୍କରି ହାତରେ ହିଁ ଏହି ସଚେତନ ଦାୟିତ୍ୱ ନ୍ୟସ୍ତ କରାଯାଉଛି । ଏ କଥା କେତେ ଦୂର ନିରପେକ୍ଷ ବୋଲି ପ୍ରଶ୍ନ କରିଛି ବିଜେପି। ଏହିପରି ଦୁର୍ନୀତିଗ୍ରସ୍ତ ପ୍ରଥାକୁ ତୁରନ୍ତ ବନ୍ଦ କରାଯାଉ ଏବଂ ଭୋଟରଙ୍କ ସଚେତନତା ନାମରେ ଏହିପରି ସରକାରୀ କାର୍ଯ୍ୟକର୍ତ୍ତାଙ୍କୁ ଜଡିତ ନ କରନ୍ତୁ ବୋଲି ଆମେ ଦାବି କରିଛୁ।

ସମ୍ବନ୍ଧିତ ଖବର