ରାଧାରମଣ ପାଞ୍ଜିକୁ ସ୍ବୀକୃତି, ଅନ୍ୟକୁ ବାଦ୍‌: ଚୂଡ଼ାନ୍ତ ହେଲା ଶ୍ରୀମନ୍ଦିର ବାର୍ଷିକ ପର୍ବପର୍ବାଣୀ

ଶ୍ରୀମନ୍ଦିର ପ୍ରଶାସନ ଓ ପାଞ୍ଜିକାରଙ୍କ ପାଞ୍ଜି ସମନ୍ବୟ ବୈଠକ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଓ ପାଞ୍ଜିକାରଙ୍କୁ ନେଇ ଆଜି ଶେଷ ପାଞ୍ଜି ସମନ୍ବୟ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିରର ନାନାଦି ପର୍ବପର୍ବାଣୀର ତାରିଖ, ସମୟ ଆଦି ଧାର୍ଯ୍ୟ ହୋଇଛି। ୭ରୁ ଅଧିକ ପାଞ୍ଜିର ପାଞ୍ଜିକାରମାନଙ୍କୁ ଏହି ଶେଷ ବୈଠକକୁ ନିମନ୍ତ୍ରଣ କରାଯାଇଥିଲେ ବି କେବଳ ରାଧାରମଣ ପାଞ୍ଜିର କର୍ତ୍ତୃପକ୍ଷଙ୍କୁ ଛାଡ଼ିଦେଲେ, ଅନ୍ୟମାନେ ଆଜି ବି ଅନୁପସ୍ଥିତ ରହିଛନ୍ତି। ଏଣୁ ଶ୍ରୀମନ୍ଦିର ପ୍ରଶାସନ ପର୍ବପର୍ବାଣୀକୁ ମେଳକ କରିବା ପରେ କେବଳ ରାଧାରମଣ ପାଞ୍ଜିକୁ ସ୍ବୀକୃତି ପ୍ରଦାନ କରିଛି। ଅନ୍ୟ ଯେଉଁ ପାଞ୍ଜିରେ ବିଭିନ୍ନ ପର୍ବପର୍ବାଣୀ ସମ୍ପର୍କରେ ଉଲ୍ଲେଖ ରହୁଛି, ତାହା ସହ ଶ୍ରୀମନ୍ଦିର ପର୍ବପର୍ବାଣୀର କୌଣସି ସମ୍ପର୍କ ନାହିଁ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି। ଦିନେ ଦୁଇଦିନ ଭିତରେ ସର୍ବସାଧାରଣଙ୍କ ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲଇ ଶ୍ରୀ ସାହୁ କହିଛନ୍ତି।

ରାଜ୍ୟରେ ଥିବା ବିଭିନ୍ନ ପାଞ୍ଜିରେ ପର୍ବପର୍ବାଣୀରେ ଦିନ, ସମୟ ଆଦି ମେଳକ ନ ହେବାରୁ ଓ ଏହାକୁ ନେଇ ବିବାଦ ମୁଣ୍ଡ ଟେକିବାରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ କିଛି ବର୍ଷ ହେବ ଶ୍ରୀମନ୍ଦିର ପ୍ରଶାସନ ଏହି ପାଞ୍ଜି ସମନ୍ବୟ ବୈଠକ କରିଆସୁଛି। ଏଥିପାଇଁ ରାଜ୍ୟର ବଛା ବଛା ପାଞ୍ଜିକାରମାନଙ୍କୁ ନେଇ ମନ୍ଦିର ପ୍ରଶାସନ ବୈଠକ କରିଥାଏ। ଚଳିତବର୍ଷ ବି ଏହ ବୈଠକ ପୂର୍ବରୁ ୭ରୁ ଅଧିକ ପାଞ୍ଜିକାରମାନଙ୍କୁ ବୈଠକକୁ ନିମନ୍ତ୍ରଣ କରାଯାଇଥିଲା। ଦୁଇ ଦୁଇଥର ବୈଠକ ଡକାଯାଇଥିଲେ ବି କେବଳ ରାଧାରମଣ ପାଞ୍ଜିକାରଙ୍କୁ ଛାଡ଼ିଦେଲେ, ଅନ୍ୟମାନେ ଅନୁପସ୍ଥିତ ଥିଲେ। ଏଣୁ ମୁକ୍ତିମଣ୍ଡପ ସଦସ୍ୟ, ପରିଚାଳନା କମିଟି ସଦସ୍ୟ ପ୍ରମୁଖଙ୍କ ଅନୁରୋଧକ୍ରମେ ଆଉ ୭ ଦିନର ସମୟ ଅର୍ଥାତ୍‌ ଆଜିର ଶେଷ ସମନ୍ବୟ ବୈଠକରେ ଉପସ୍ଥିତ ରହିବାକୁ ପାଞ୍ଜିକାରମାନଙ୍କୁ କୁହାଯାଇଥିଲା। ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ପରିଚାଳନା କମିଟି ସଦସ୍ୟ, ମୁକ୍ତିମଣ୍ଡପ ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ପାଞ୍ଜିକାରଙ୍କ ମଧ୍ୟରୁ କେବଳ ରାଧାରମଣ ପାଞ୍ଜିକାର ଉପସ୍ଥିତ ଥିଲେ। ଏଣୁ ରାଧାରମଣ ପାଞ୍ଜି ସହ ଶ୍ରୀମନ୍ଦିର ପର୍ବପର୍ବାଣୀର ଦିନ, ସମୟ ଆଦି ମେଳକ ପରେ ଆଜି ଶ୍ରୀମନ୍ଦିରର ବାର୍ଷିକ ପର୍ବପର୍ବାଣୀ ଚୂଡ଼ାନ୍ତ ହୋଇଛି। ଏ ସମ୍ପର୍କରେ ନୀତି ପ୍ରଶାସକ ଶ୍ରୀ ସାହୁ କହିଛନ୍ତି ଯେ ପାଞ୍ଜି ସମନ୍ବୟ ବୈଠକ ପରେ ଆମେ କେବଳ ରାଧାରମଣ ପାଞ୍ଜିକୁ ସ୍ବୀକୃତି ଦେଇଛୁ। ଅନ୍ୟ ପାଞ୍ଜିରେ ପର୍ବପର୍ବାଣୀ ସହ ଶ୍ରୀମନ୍ଦିର ପର୍ବପର୍ବାଣୀର କୌଣସି ସାମଞ୍ଜସ୍ୟ ନାହିଁ। ଅନ୍ୟ ପାଞ୍ଜିରେ ଯଦି ପର୍ବପର୍ବାଣୀରେ ମେଳକ ନ ରୁହେ, ସେଥିପାଇଁ ଆମେ ଦାୟୀ ନୋହୁଁ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର