କେନ୍ଦୁଝର : ବଂଚିବା ପାଇଁ କୌଣସି କାମ ଛୋଟ ନୁହେଁ କି ବଡ଼ ନୁହେଁ। କେବଳ ମନରେ ଦୃଢ଼ତା ଥିବା ଆବଶ୍ୟକ। ଏହିଭଳି ମନୋଭାବ ସହିତ ସେଦିନ କେନ୍ଦୁଝର ସହରରେ ଅଟୋ ଚଳାଉଥିବା ରାଧେ ମା ଏବେ ରାଜଧାନୀରେ ‘ମୋ ବସ୍’ ଚଳାଉଛନ୍ତି। ଯେଉଁଥିପାଇଁ ସେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।
କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଷେଣ୍ଢକାପ ଗ୍ରାମର ଝିଅ ହେଉଛନ୍ତି ସନ୍ତୋଷୀ ଦେଓ। ଛୋଟବେଳୁ ସଂଘର୍ଷପୂର୍ଣ୍ଣ ଜୀବନ ବିତାଇଥିବା ସନ୍ତୋଷୀଙ୍କର କମ୍ ବୟସରେ ରାଜସ୍ଥାନରେ ବିବାହ ହୋଇଯାଇଥିଲା। ବିବାହ ଅଧିକ ଦିନ ତିଷ୍ଠି ପାରି ନ ଥିଲା। ଶାଶୂ ଘରର ନିର୍ଯାତନାରେ ଅତିଷ୍ଠ ହୋଇ ସନ୍ତୋଷୀ ନିଜ ଗାଁକୁ ପଳାଇ ଆସିଥିଲେ। ଏହି ଗାଁକୁ ଆସିବାବେଳେ ସେ ଗର୍ଭବତୀ ଥିଲେ। କିଛିଦିନ ପରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ସନ୍ତୋଷୀ। ଶ୍ରଦ୍ଧାରେ ଏହି କନ୍ୟା ସନ୍ତାନର ନାମ ରାଧା ରଖିଥିବାବେଳେ ସନ୍ତୋଷୀଙ୍କୁ ଲୋକେ ଶ୍ରଦ୍ଧାରେ ରାଧେ ମା ବୋଲି ଡାକିବା ଆରମ୍ଭ କରିଥିଲେ। ବାପାମା’ଙ୍କ ଉପରେ ବୋଝ ନ ହୋଇ ନିଜ ପେଟ ପୋଷିବାକୁ ସଂଘର୍ଷ ଆରମ୍ଭ କରିଥିଲେ ସନ୍ତୋଷୀ। ଋଣ ଅର୍ଥରେ ଅଟୋଟିଏ ଆଣିବା ପରେ କେନ୍ଦୁଝର ସହରରେ ଚଳାଇ ପେଟ ପୋଷୁଥିଲେ। ରାଧେ ମା ଅଟୋ ଚଳାଇବା ଖବର ପ୍ରକାଶ ପାଇବା ପରେ ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚି ଏବଂ କେନ୍ଦୁଝରର ତତ୍କାଳୀନ ଜିଲ୍ଲାପାଳ ତିରୁମାଲା ନାଏକ ତାଙ୍କ ଅଟୋରେ ସହର ଭ୍ରମଣ କରି ତାଙ୍କୁ ଉତ୍ସାହିତ କରିବା ସହିତ ଆର୍ଥିକ ସହଯୋଗ କରିଥିଲେ। ଇତିମଧ୍ୟରେ ଝିଅ ବଢ଼ିବାରୁ ପେଟ ପୋଷିବା ଅସୁବିଧା ହେବାରୁ ଭୁବନେଶ୍ବର ଚାଲି ଯାଇଥିଲେ ରାଧେ ମା। ସେଠାରେ ଏବେ ସେ ‘ମୋ ବସ୍’ରେ ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଶାରେ ବସ୍ ଚଳାଇବାରେ ଝିଅ ପିଲା ଭାବେ ସେ ପ୍ରଥମ ବୋଲି କୁହାଯାଉଛି।
ଏ ସଂପର୍କରେ ରାଧେ ମା ଓରଫ ସନ୍ତୋଷୀ ଦେଓ କହିଛନ୍ତି, କୌଣସି ବୃତ୍ତି ଛୋଟ କିମ୍ବା ବଡ଼ ନୁହେଁ। ପୂର୍ବରୁ ଅଟୋ ଚଳାଉଥିଲି, ଏବେ ବସ୍ ଚଳାଉଛି। ତେଣୁ ଏଥିରେ ଲାଜ କରିବା କିଛି ନୁହେଁ ବୋଲି ସେ କହିଛନ୍ତି।