କଟକ : କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା କେନ୍ଦ୍ରରେ ରୋଗୀଙ୍କ ଜୀବନ ସହ ଖେଳ! ଗଲା ଦୁଇ ସପ୍ତାହ ହେବ ରେଡିଏସନ୍ ଚିକିତ୍ସା ବନ୍ଦ। ଫେରୁଛନ୍ତି ଶତାଧିକ ରୋଗୀ। ୟୁପିଏସ୍ ମେସିନ୍ ଅଚଳ ପାଇଁ ଏ ପ୍ରକାର ସମସ୍ୟା ଉପୁଜିଥିବା ବେଳେ କର୍ତ୍ତୃପକ୍ଷଙ୍କର ଏଥିପ୍ରତି ନିଘା ନାହିଁ। ନା ଅଚଳ ମେସିନ୍କୁ ମରାମତି କରୁଛନ୍ତି ନା କୌଣସି ବିକଳ୍ପ ପଦକ୍ଷେପ ନେଉଛନ୍ତି। ପରିଣାମ, ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଦିନ ରେଡିଏସନ୍ ଚିକିତ୍ସା ପାଇଁ ଆସୁଥିବା ରୋଗୀ କେବଳ ନିରାଶ ହୋଇ ଫେରୁନାହାନ୍ତି, ରାଜ୍ୟ ବାହାର ତଥା ଘରୋଇ ନର୍ସିଂହୋମ୍କୁ ଯିବା ପାଇଁ ବାଧ୍ୟ ହେଉଛନ୍ତି।
ଉଲ୍ଲେଖଯୋଗ୍ୟ, କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା କେନ୍ଦ୍ର ଉପରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ରୋଗୀ ନିର୍ଭର କରନ୍ତି। ହେଲେ ରୋଗୀଙ୍କୁ ବିଭିନ୍ନ ସମୟରେ ଏଠାରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନଥିବା ଅଭିଯୋଗ ହେଉଛି। ବାରମ୍ବାର ମେସିନ୍ ଅଚଳ, ଆଇସିୟୁ ସୁବିଧା ତଥା ଆନୁସଙ୍ଗିକ ଭିତ୍ତିଭୂମି ଅଭାବ ଯୋଗୁ ରୋଗୀଙ୍କ ଯନ୍ତ୍ରଣା ଲାଘବ ହେବା ପରିବର୍ତେ ବଢ଼ିଯାଉଛି। ସ୍ଥିତି ଏପରି ଯେ, ୪୮କୋଟି ଟଙ୍କା ବ୍ୟୟରେ ନିର୍ମିତ ଲିନାକ୍ ବିଲଡିଂରୁ ସାମାନ୍ୟ ବର୍ଷା ହେଲେ ପାଣି ଝରୁଛି। କାନ୍ଥରୁ ଠାଏ ଠାଏ ପ୍ଲାଷ୍ଟର ଛାଡୁଛି। ପାଣି ମେସିନ୍ ଓ ବିଦ୍ୟୁତ୍ ସରଞ୍ଜାମ୍ ଉପରେ ପଡୁଥିବାରୁ ଅନେକ ସମୟରେ ମେସିନ୍ଗୁଡ଼ିକ ଅଚଳ ହେଇଯାଉଛି। ଗତ ରଜ ବେଳେ ୩ଦିନ ରେଡିଏସନ୍ ଚିକିତ୍ସା ସଂପୂର୍ଣ୍ଣ ବନ୍ଦ ରହିଥିଲା। ପରେ ପୁଣି ସ୍ୱାଭାବିକ ହୋଇଥିଲା। ସାଧାରଣତଃ କର୍କଟ ରୋଗୀକୁ ୬ରୁ ୭ସପ୍ତାହ ରେଡିଏସନ୍ ଦିଆଯାଇଥାଏ। ପୁଣି ସପ୍ତାହରେ ନିୟମିତ ୫ଦିନ ରେଡିଏସନ୍ ଦେବା ଜରୁରି। କିନ୍ତୁ ଏବେ ରେଡିଏସନ୍ ମେସିନ୍ ଅଚଳ ଯୋଗୁଁ ୭୦ରୋଗୀଙ୍କ ଜୀବନ ସଂକଟରେ ପଡ଼ିଯାଇଛି। ଗତ ଜୁନ୍ ଶେଷ ସପ୍ତାହରେ ବି ଅନୁରୂପ ଭାବେ ବର୍ଷା ଯୋଗୁଁ ଲିନାକ୍ରେ ଥିବା ଦୁଇଟି ମେସିନ୍ ଲିମିୟର ଏକ୍ସଲେଟର୍ ୧ ଓ ୨ ଅଚଳ ହୋଇପଡ଼ିଥିଲା। ଦୁଇ ଦିନରେ ପ୍ରାୟ ଦେଢ଼ ଶହ ରୋଗୀ ରେଡିଏସନ୍ ନପାଇ ଫେରିଥିଲେ। ପରେ ଗୋଟିଏ ମେସିନ୍ ଅର୍ଥାତ୍ ଏନ୍ଏ-୨ ମେସିନ୍ ଠିକ୍ କରାଯାଇଥିଲା ଏବଂ ୮୦ ରୋଗୀ ସେହି ମେସିନ୍ରେ ରେଡିଏସନ୍ ନେଇଥିଲେ। କିନ୍ତୁ ଏଲ୍ଏ-୧ ମେସିନ୍ ଗଲା ଦୁଇ ସପ୍ତାହ ହେଲା ସଂପୂର୍ଣ୍ଣ ଅଚଳ ଥିବାରୁ ସେହି ମେସିନ୍ରେ ବିକିରଣ ଚିକିତ୍ସା ନେଉଥିବା ୭୦ ରୋଗୀଙ୍କ ଅବସ୍ଥା ସଂଗୀନ୍ ହୋଇପଡ଼ିଛି। ଚିକିତ୍ସା ନପାଇ ଫେରୁଛନ୍ତି। ଭୁବନେଶ୍ୱରରୁ ଆସିଥିବା କର୍କଟ ରୋଗୀ ପୁଷ୍ପଲତା ପତି କହିଛନ୍ତି ରେଡିଏସନ୍ ପାଇଁ ଆସି ବାରମ୍ବାର ଫେରୁଛୁ। କିନ୍ତୁ କେବେ ମେସିନ୍ କାର୍ଯ୍ୟକ୍ଷମ ହେବେ, ସେ ସଂପର୍କରେ କର୍ତ୍ତୃପକ୍ଷଙ୍କୁ ପଚାରିଲେ ସେମାନେ ଶୁଣୁନାହାନ୍ତି। ଅନ୍ୟପକ୍ଷରେ ଏ ସଂପର୍କରେ ପ୍ରତିକ୍ରିୟା ନେବା ପାଇଁ ନିର୍ଦେଶକଙ୍କ ସହିତ ଯୋଗଯୋଗ କରାଯାଇଥିଲେ ମଧ୍ୟ ଫୋନ୍ ନଉଠାଇବାରୁ ମତାମତ ମିଳିପାରିନାହିଁ।
କେମୋ ମାଗଣା, ରେଡିଏସନ୍ ପାଇଁ ଗଣିବେ ୫୦ହଜାର ଟଙ୍କା
କଟକ : ସବୁ ଚିକିତ୍ସା ମାଗଣା। ଏପରିକି କର୍କଟ ରୋଗୀଙ୍କ ପାଇଁ ‘କେମୋ’ ମଧ୍ୟ ମାଗଣା। ହେଲେ କଟକ ଆଚାର୍ଯ୍ୟ ହରିହର ଗବେଷଣା କେନ୍ଦ୍ରରେ ରେଡିଏସନ୍ ଚିକିତ୍ସା ପାଇଁ ରୋଗୀ ଗଣୁଛନ୍ତି ଟଙ୍କା। ଯଦି ରାଜ୍ୟ ସରକାର ସବୁ ଚିକିତ୍ସା ମାଗଣାରେ ଦେଉଛନ୍ତି, ତେବେ ରେଡିଏସନ୍କୁ ଏଥିରୁ ବାଦ୍ ରଖାଯାଇଛି କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ଅନେକ ଗରିବ କର୍କଟ ରୋଗୀ। ରେଡିଏସନ୍ ଚିକିତ୍ସା ପାଇଁ ଏମ୍ସ ୭୫୦ଟଙ୍କା ନେଉଥିବା ବେଳେ ଘରୋଇ ଡାକ୍ତରଖାନାରେ ଏହା ଦେଢ ଲକ୍ଷରୁ ଅଧିକ ପଡୁଛି। କିନ୍ତୁ ଆଚାର୍ଯ୍ୟ ହରିହର ଗବେଷଣା କେନ୍ଦ୍ରରେ ରେଡିଏସନ୍ ନେଉଥିବା ରୋଗୀ ତିନି ପର୍ଯ୍ୟାୟରେ ଟଙ୍କା ପଇଠ କରୁଛନ୍ତି। ଅର୍ଥାତ୍ ୨୦, ୪୦ ଓ ୫୦ ହଜାର ଟଙ୍କା ରୋଗୀଙ୍କଠାରୁ ନିଆଯାଉଥିଲେ ସୁଦ୍ଧା ସେହି ଅନୁପାତରେ ସେଭଳି ଉନ୍ନତମାନର ଚିକିତ୍ସା ରୋଗୀଙ୍କୁ ଦିଆଯାଉନଥିବା ଅଭିଯୋଗ ହୋଇଛି। ତେବେ ରୋଗୀଙ୍କଠାରୁ ଆଦାୟ ଅର୍ଥ ୟୁଜର୍ସ ଫି’ ବାବଦକୁ ରଖାଯାଉଥିବା ବେଳେ ରେଡିଏସନ୍ ଚିକିତ୍ସା ବାବଦକୁ ଆୟ ଟଙ୍କା କିପରି ବିନିଯୋଗ ହେଉଛି, ତାହା ହିସାବ ଦେବା ପାଇଁ ରୋଗୀ ଓ ତାଙ୍କ ସଂପର୍କୀୟମାନେ ଦାବି କରିଛନ୍ତି।