ଦିବଂଗତ କରୋନା ଯୋଦ୍ଧାଙ୍କ ପାଇଁ ଦୀପ ଦାନ କଲା ‘ରେଡିଓ ଚକ୍‌ଲେଟ୍‌’

ଭୁବନେଶ୍ୱର : କରୋନା କାଳରେ ସମାଜର ସୁରକ୍ଷା କବଚ ସାଜିଥିବା ତଥା ନିଜ ସୁରକ୍ଷା ବଦଳରେ କର୍ମ ଓ ସାମାଜିକ ଦାୟିତ୍ବବୋଧକୁ ଅଗ୍ରାଧିକାର ଦେଇଥିବା କରୋନା ଯୋଦ୍ଧାଙ୍କୁ ‘ରେଡିଓ ଚକ୍‌ଲେଟ୍‌’ ଶ୍ରଦ୍ଧାଞ୍ଜଳି ଜଣାଇଛି। ଏହି ଅବସରରେ ଆଜି ‘ରେଡିଓ ଚକ୍‌ଲେଟ୍‌’ ପକ୍ଷରୁ ରାମମନ୍ଦିର ସମ୍ମୁଖ‌‌‌ରେ ଦିବଂଗତ କରୋନା ଯୋଦ୍ଧାମାନଙ୍କ ପାଇଁ ସମୂହ ଦୀପଦାନ କରାଯାଇଛି। ଏଥିରେ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ ଆଣ୍ଡ୍‌ ଷ୍ଟିଲ୍‌ସ୍‌ର ମହାପ୍ରବନ୍ଧକ (ସେଲ୍‌ସ୍‌ ଆଣ୍ଡ୍‌ ମାର୍କେଟିଂ) ସୁସିମ୍‌ ପାତ୍ର ଓ ‘ସମ୍ବାଦ’ ଡିଜିଟାଲ୍‌ ତଥା ରେଡିଓ ଚକ୍‌ଲେଟ୍‌ର ସେଲ୍‌ସ୍‌ ଆଣ୍ଡ୍‌ ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ।

ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ କହିଲେ, କରୋନା କାଳରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୁଲିସ ଓ ସାମ୍ବାଦିକମାନେ ଦିନରାତି ଏକ କରି ନିଜ କର୍ତ୍ତବ୍ୟ ନିର୍ବାହ କରିଛନ୍ତି। ସେମାନଙ୍କ ମଧ୍ୟରୁ ‌କିଛି କରୋନା କବଳିତ ହୋଇ ପ୍ରାଣ ହରାଇଛନ୍ତି। ଏଣୁ ଚଳିତ ଦୀପାବଳିରେ ଏହି ଦିଂବଗତ କରୋନା ଯୋଦ୍ଧାମାନଙ୍କ ପାଇଁ ନିଜ ଘର ଅଗଣାରେ ଦୀପଟିଏ ଜାଳି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାର ପାଇଁ ପ୍ରାର୍ଥନା କରିବା ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ରେଡିଓ ଚକ୍‌ଲେଟ୍‌ର ଆର୍‌.ଜେ ସଂଗ୍ରାମଙ୍କ ସହ ଆର୍‌.ଜେ ନୀଲ୍‌, ଅନୀଲ୍‌, ଅବକାଶ ଓ କୋମଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର