ରେଡ଼ିଓ ଚକ୍‌ଲେଟ୍‌କୁ ୧୫ ବର୍ଷ ପୂରିଲା

୪ ମେ ୨୦୦୭। ଏହି ଦିନ ଓଡିଶାରେ ପ୍ରସାରଣ ଆରମ୍ଭ କରିଥିଲା ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍। ଆରମ୍ଭରୁ ହିଁ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌କୁ ତା’ର ମିଠା ମିଠା ଗୀତ, କାର୍ଯ୍ୟକ୍ରମ ପରିବେଷଣ ଶୈଳୀ ପାଇଁ ମୁଣ୍ଡରେ ବସେଇଛନ୍ତି। ୟା ଭିତରେ ରେଡିଓ ଚକ୍‌ଲେଟ୍‌କୁ ପନ୍ଦର ବର୍ଷ ପୂରିଛି। ଗତକାଲି ରେଡିଓ ଚକ୍‌ଲେଟ୍ ତା’ର ୧୫ଶ ଜନ୍ମବାର୍ଷିକୀ ପାଳନ କରିଛି। ଏହି ଅବସରରେ ରେଡିଓ ଚକ୍‌ଲେଟ୍‌ର ଆର୍‌ଜେ କୋମଲ୍‌, ସମ୍ବାଦ ପରିବାରର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଆର୍‌ଜେ ସୋନାଲି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କର ରେଡିଓରେ ପ୍ରସାରଣ ପାଇଁ ଏକ ସାକ୍ଷାତକାର ନେଇଥିଲେ। ତାହାର କିୟଦଂଶ..

୧୦୪ ଏଫ୍‌ଏମ୍‌ ପାଇଁ ଓଡ଼ିଶାରେ ରେଡ଼ିଓ ସେଟ୍‌ର ବିକ୍ରି ବଢ଼ିଲା: ସୌମ୍ୟରଂଜନ ପଟ୍ଟନାୟକ

ଆର୍‌ଜେ କୋମଲ :- ଆଜି ରେଡ଼ିଓ ଚକ୍‌ଲେଟ୍‌ର ପଞ୍ଚଦଶ ଜନ୍ମ ବାର୍ଷିକୀ। ଆମ ସହିତ ଅଛନ୍ତି ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ। ସାର୍‌, ଆପଣ ୧୫ ବର୍ଷ ତଳେ ଯେବେ ରେଡ଼ିଓ ଚକ୍‌ଲେଟ୍ ଆରମ୍ଭ କରିଥିଲେ ସେ ଦିନର କଥା ଟିକେ ମନେ ପକାଇବେ କି?
ସୌମ୍ୟରଂଜନ :- ପ୍ରଥମେ କେନ୍ଦ୍ର ସରକାର ଯେତେବେଳେ ନିଷ୍ପତ୍ତି ନେଲେ ଯେ- ଏଫ୍‌ଏମ୍ ରେଡ଼ିଓ ସାରା ଭାରତରେ ଖୋଲାଯିବ, ଓଡ଼ିଶାର ଦୁଇଟି ସ୍ଥାନରେ ଷ୍ଟେସନ୍ ହେବାପାଇଁ ଲାଇସେନ୍‌ସ ଦିଆଯିବ ଏବଂ ଏଥିପାଇଁ ଟେଣ୍ଡର୍ ପକେଇବାକୁ ହେବ। ମୁଁ ହଠାତ୍ ଏ ସମ୍ପର୍କରେ ବିଶ୍ୱାସ କରିପାରିଲିନି। ମତେ ବେଶି ପ୍ରଭାବିତ କଲା କି- ସରକାରଙ୍କର ଯେମିତି ଗୋଟିଏ ଆକାଶବାଣୀ କଟକ ସେଣ୍ଟର ଅଛି, ସେମିତି ଗୋଟିଏ ରେଡ଼ିଓ ସେଣ୍ଟରର ମାଲିକ ଆମେ ହୋଇପାରିବୁ। ଏହା ମତେ ଖୁବ୍ ଉତ୍ସାହିତ କରିଥିଲା। ମୋର ଏଇ ନିଷ୍ପତ୍ତିରେ ମୋର କିଛି ବନ୍ଧୁ ପ୍ରଥମେ ମତେ ବାରଣ କରିଥିଲେ। ଆଜିର ଦିନରେ ରେଡ଼ିଓ କିଏ ଶୁଣିବ ବୋଲି ସେମାନେ ମତେ ପ୍ରଶ୍ନ କରିଥିଲେ। ଅନେକ କଥା କଟାକଟି ପରେ ତାଙ୍କ ସହ ମିଶି ଦଶଟି ଘର ଆମେ ବୁଲି ଦେଖିଲୁ। ତା’ ମଧ୍ୟରୁ ମାତ୍ର ଜଣଙ୍କ ଘରେ ମାଟିଆ ରଙ୍ଗର ଚମଡ଼ା ଖୋଳ ଭିତରେ ପୁରୁଣା ରେଡ଼ିଓ ସେଟ୍‌ଟିଏ ପାଇଲୁ। ମୁଁ ମୋ ବନ୍ଧୁମାନଙ୍କ ପାଖରେ ସର୍ତ୍ତ ହାରିଗଲି ସତ, କିନ୍ତୁ ମୋ ଜିଦ୍ ବଢ଼ିଗଲା। ଯେବେ ରେଡ଼ିଓ ଚକ୍‌ଲେଟ୍ ଆରମ୍ଭ ହେଲା- ଘରେ ଘରେ, ଯୁବକଯୁବତୀଙ୍କ ହାତରେ, ପ୍ରତ୍ୟେକ ଗାଡ଼ିରେ ରେଡ଼ିଓ ସେଟ୍‌ଟିଏ ରହିବା ଅପରିହାର୍ଯ୍ୟ ହୋଇଗଲା। ୧୦୪ ଏଫ୍‌ଏମ୍ ପାଇଁ ଓଡ଼ିଶାରେ ରେଡ଼ିଓ ସେଟ୍‌ର ବିକ୍ରି ବଢ଼ିଲା।

ଆର୍‌ଜେ କୋମଲ :- ସାର୍‌, ଆପଣ ଜଣେ ଦାୟିତ୍ୱସମ୍ପନ୍ନ ରାଜନେତା, ମିଡ଼ିଆ ଅନୁଷ୍ଠାନର ପ୍ରତିଷ୍ଠାତା। ରେଡ଼ିଓ ପ୍ରସାରଣ କ୍ଷେତ୍ରରେ ଓଡ଼ିଶାବାସୀଙ୍କ ପ୍ରତି ଆପଣଙ୍କର ଦାୟିତ୍ୱ କ’ଣ ଥିଲା ?
ସୌମ୍ୟରଂଜନ:- ରେଡ଼ିଓ ପ୍ରସାରଣ ଜରିଆରେ ଲୋକମାନଙ୍କର ମନୋରଞ୍ଜନ ହେବ, ସେମାନେ ଏମିତି ବନ୍ଧୁଟିଏ ପାଇବେ, ଯାହା ସହ ସେମାନେ ସେମାନଙ୍କର ସୁଖଦୁଃଖ ସବୁ ବାଣ୍ଟିପାରିବେ ଏହା ଆମର ମୂଳ ଦାୟିତ୍ୱ ଥିଲା। ଯେବେ ପ୍ରସାରଣ ଆରମ୍ଭ ହେଲା, ସ୍କୁଲ୍ ପିଲାଙ୍କଠାରୁ ଆରମ୍ଭ କରି କଲେଜ ଛାତ୍ରଛାତ୍ରୀ, ଗୃହିଣୀ, ବୟସ୍କ ଶ୍ରୋତାମାନେ ଚାହୁଁ ଚାହୁଁ ରେଡି଼ଓ ଚକ୍‌ଲେଟ୍ ସହ ଯୋଡ଼ି ହୋଇଗଲେ। ସେ ସମୟରେ ରକ୍ଷଣଶୀଳ ପରିବାରର ଝିଅମାନେ ମଧ୍ୟ ରେଡ଼ିଓ ଜକି ବନ୍ଧୁମାନଙ୍କ ସହ ଫୋନ୍ ଯୋଗେ କଥା ହେଇ ପାରୁଥିଲେ। ସେମାନଙ୍କ ସମସ୍ୟାର ସମାଧାନ ପଚାରୁଥିଲେ। ମହିଳାମାନେ ରୋଷେଇ ସମୟରେ ରେଡ଼ିଓ ଶୁଣି ଖୁସି ହେଉଥିଲେ। ଗାଡ଼ି ଭିତରେ ରେଡ଼ିଓରେ ନାଟକ, କାହାଣୀ, ଗୀତ ଶୁଣୁ ଶୁଣୁ ବାଟ କମି ଯାଉଥିଲା। ଯେତିକି ଆମେ କରିପାରିବୁ ଭାବିଥିଲୁ, ତା’ଠାରୁ ଅଧିକ ସଫଳ ହୋଇଥିଲା ରେଡ଼ିଓ ଚକ୍‌ଲେଟ୍।

ଆରଜେ କୋମଲ :- ସାର୍‌, ଆରମ୍ଭ ସମୟରେ ରେଡ଼ିଓରେ କିପରି କାର୍ଯ୍ୟକ୍ରମ, ଭାଷା, ଗୀତ ହେବ ବୋଲି ଆପଣ ସ୍ଥିର କରିଥିଲେ ?
ସୌମ୍ୟରଂଜନ :- ରେଡ଼ିଓ ଚକ୍‌ଲେଟ୍‌ରେ ଆର୍‌.ଜେ.ମାନଙ୍କର ଭାଷା ଓଡ଼ିଆ ହେଉ, ଏଥିରେ ମୁଁ ଗୁରୁତ୍ୱ ଦେଇଥିଲି। ହେଲେ ସଂଗୀତର ଭାଷା ନାହିଁ। ଲୋକଙ୍କ ପସନ୍ଦକୁ ଆଖି ଆଗରେ ରଖି, ଆମେ ପଚାଶ ଭାଗ ଓଡ଼ିଆ ଓ ପଚାଶ ଭାଗ ହିନ୍ଦୀ ଗୀତ ବଜେଇବା ପାଇଁ ସ୍ଥିର କରିଥିଲୁ। ସେତେବେଳେ ଯେଉଁମାନେ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ, ସେମାନଙ୍କ ମଧ୍ୟରେ ମଳୟ ମିଶ୍ର, ଈରା ମହାନ୍ତି, ସଂଗ୍ରାମ ଏବଂ ଅନ୍ୟମାନେ ଯେପରି ଢଙ୍ଗରେ ଗୀତ ଏବଂ କାର୍ଯ୍ୟକ୍ରମ ସ୍ଥିର କଲେ, ତାହା ଲୋକଙ୍କୁ ପସନ୍ଦ ଆସିଲା।

ଆର୍‌ଜେ କୋମଲ:- ସାର୍‌, ରେଡ଼ିଓର ସୀମା ନିର୍ଦ୍ଧାରିତ। ଆମେ କେବଳ ୬୦ କି.ମି. ସୀମା ପର୍ଯ୍ୟନ୍ତ ଦଉଡ଼ି ପାରୁଛୁ। ଆମେ ଆହୁରି ଦଉଡ଼ିବାକୁ ଚାହୁଁଛୁ। ସାରା ଓଡ଼ିଶା ଆମକୁ ରେଡ଼ିଓ ଯୋଗେ କିପରି ଶୁଣି ପାରନ୍ତା ?
ସୌମ୍ୟରଂଜନ :- ଏଫ୍‌ଏମ୍ ଷ୍ଟେସନ୍‌ମାନଙ୍କର ସଫଳତାରେ ଉତ୍ସାହିତ ହୋଇ ଭାରତ ସରକାର ଆହୁରି ଅନେକ ଅଞ୍ଚଳରେ ଲାଇସେନ୍‌ସ ଦେବାପାଇଁ ସ୍ଥିର କରିଥିଲେ। କିନ୍ତୁ ଏବେ ତାହା କୌଣସି କାରଣରୁ କୋର୍ଟ କଚେରିରେ ଅଟକି ଯାଇଛି। କିନ୍ତୁ ବିକଳ୍ପ ଭାବରେ ଆମେ ଏବେ ଆପ୍ଲିକେସନ୍ ଜରିଆରେ ସାରା ବିଶ୍ୱର କୋଣ-ଅନୁକୋଣରେ ଥିବା ଓଡ଼ିଆମାନଙ୍କ ପାଖରେ ରେଡ଼ିଓ ଚକ୍‌ଲେଟ୍‌ର ସ୍ୱରକୁ ପହଞ୍ଚାଇ ପାରିବା।

ଆରଜେ କୋମଲ :- ଶ୍ରୋତାମାନଙ୍କ ପାଇଁ ଆଜିର ଦିନରେ ଆପଣ କ’ଣ ବାର୍ତ୍ତା ଦେବେ ?
ସୌମ୍ୟରଂଜନ :- ଶ୍ରୋତାଙ୍କ ପାଇଁ ରେଡ଼ିଓ ଚକ୍‌ଲେଟ୍। ଶ୍ରୋତାମାନଙ୍କୁ ମୋର ଅନୁରୋଧ, ଯେଉଁ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି, ଆମକୁ ଜଣାନ୍ତୁ ଏବଂ ଯାହା ଭଲ ନ ଲାଗୁଛି ତାହା ମଧ୍ୟ ଜଣାନ୍ତୁ। ବ୍ୟକ୍ତିଗତ ଭାବରେ ମତେ ଫୋନ୍ କରି ଆପଣଙ୍କ ମତାମତ ଜଣାଇ ପାରିବେ। ମୁଁ ଆପଣଙ୍କ କଥାକୁ ଯେଉଁମାନେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି ସେମାନଙ୍କ ପାଖରେ ପହଞ୍ଚାଇ ଦେବି।

ରେଡ଼ିଓ ଚକ୍‌ଲେଟ୍‌ ମୋ ପାଇଁ ସବୁବେଳେ ସ୍ବତନ୍ତ୍ର: ତନୟା ପଟ୍ଟନାୟକ

ଆର୍‌ଜେ ସୋନାଲି :- ଆଜି ରେଡିଓ ଚକ୍‌ଲେଟ୍‌ର ୧୫ଶ ଜନ୍ମ ବାର୍ଷିକୀ। ଆମ ସହିତ ଅଛନ୍ତି ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ। ଆପଣ ଅନେକ ଅବସରରେ ରେଡିଓ ଚକ୍‌ଲେଟ୍‌ର ଶ୍ରୋତାମାନଙ୍କୁ ସମ୍ବୋଧନ କରିଛନ୍ତି। ଆଜିର ଏ ଅବସର ଆପଣଙ୍କ ପାଇଁ କେମିତି ସ୍ୱତନ୍ତ୍ର?
ତନୟା :- ବହୁତ ସ୍ୱତନ୍ତ୍ର ସୋନାଲି। ପନ୍ଦର ବର୍ଷ କେମିତି କଟିଗଲା ଜଣା ହିଁ ପଡିଲାନି। ପନ୍ଦର ବର୍ଷ ଧରି ଆମ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌କୁ ଏକ ନମ୍ବର ସ୍ଥାନରେ ରଖିଛନ୍ତି। ମୁଁ ଏ ଅବସରରେ ମାଇକ୍ ପଛରେ ମାଇକ୍ ଆଗରେ ଥିବା ସମସ୍ତ ସହକର୍ମୀ ବନ୍ଧୁ ସର୍ବୋପରି ରେଡିଓ ଚକ୍‌ଲେଟ୍‌ର ଶ୍ରୋତାମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ସୋନାଲି:– ଏ ପ୍ରଶ୍ନ ଆପଣଙ୍କ ପାଇଁ ଟିକେ କଷ୍ଟ ହେଇପାରେ। ଏ ପର୍ଯ୍ୟନ୍ତ ରେଡିଓ ଚକ୍‌ଲେଟ୍‌ରେ ପ୍ରସ୍ତୁତ ହୋଇଥିବା ସବୁ କାର୍ଯ୍ୟକ୍ରମ ମଧ୍ୟରେ ଆପଣଙ୍କ ପସନ୍ଦର କାର୍ଯ୍ୟକ୍ରମ କ’ଣ ?
ତନୟା :- ସତରେ ଏ ପ୍ରଶ୍ନର ଉତ୍ତର ଦେବା ଖୁବ୍ କଷ୍ଟ ସୋନାଲି। ଆମେ ପନ୍ଦର ବର୍ଷରେ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ। ତଥାପି ପଚାରିଛ ଯେତେବେଳେ, ମୁଁ ଦୁଇଟି କାର୍ଯ୍ୟକ୍ରମର ନାଁ ନେବି। ପ୍ରଥମଟି ହେଲା- କିଛିବର୍ଷ ତଳେ ରେଡ଼ିଓରେ ପ୍ରସାରିତ ହୋଇଥିଲା ‘ଡାଏରୀ ଅଫ୍ ଏ ହାଉସ୍ ୱାଇଫ୍‌’। ଏମିତି ଏକ ପ୍ରୋଗ୍ରାମ୍‌ର କନ୍‌ସେପ୍ଟ୍ ମୁଁ ଦେଇଥିଲି। ହେଲେ ଏତେ ସୁନ୍ଦର ଭାବରେ ଗୁରୁ ଶତପଥୀ ତା’ର ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲେ, ଯାହାକୁ ଶ୍ରୋତାମାନେ ଖୁବ୍ ଆଦର କରିଥିଲେ। ଦ୍ୱିତୀୟଟି ହେଉଛି – ଏଇ ଏବେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଇଥିବା ନାଟକ ‘ଆହେ ନୀଳଶୈଳ’। ଆମେ ମନ ଦେଇ ଖୁବ୍ ପରିଶ୍ରମ କରି ଏଇ ନାଟକଟି କରିଥିଲୁ। ଦର୍ଶକମାନେ ଯେପରି ଆଦର ଦେଲେ, ତାହା ମୋତେ ଖବୁ ଉତ୍ସାହିତ କରିଛି।

ସୋନାଲି :- ରେଡିଓକୁ ୧୫ ବର୍ଷ ପୂରିଛି। ଏଇ ଭିତରେ ଆପଣଙ୍କ ଦାୟିତ୍ୱ ମଧ୍ୟ ବଢିଯାଇଛି। ରେଡିଓ ଚକ୍‌ଲେଟ୍‌, କନକ ନ୍ୟୁଜ୍, ସମ୍ବାଦ ଡିଜିଟାଲ, ଇଭେଣ୍ଟସ୍‌, ନାଟକ ଏବଂ ଆଗକୁ ଆହୁରି ଅନେକ। ଏସବୁ କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନ ଭିତରେ ରେଡିଓ ଚକ୍‌ଲେଟ୍ ଆପଣଙ୍କ ପାଇଁ କେମିତି ସ୍ୱତନ୍ତ୍ର?
ତନୟା :– ହଁ, ରେଡିଓ ଚକ୍‌ଲେଟ୍ ମୋପାଇଁ ନିଶ୍ଚୟ ସ୍ୱତନ୍ତ୍ର। ମୁଁ ଯେବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ରେ ଯୋଗ ଦେଲି ରେଡିଓ ଚକ୍‌ଲେଟ୍ ଥିଲା ମୋର ପ୍ରଥମ ଅଫିସ୍। ସମ୍ବାଦ ଡିଜିଟାଲ, କନକ ନ୍ୟୁଜ୍, କନକ ନ୍ୟୁଜ୍ ଡିଜିଟାଲ ସମସ୍ତେ ମୋ ପାଇଁ ସ୍ୱତନ୍ତ୍ର। କିନ୍ତୁ ରେଡିଓ ସହ ଯୋଡି ହୋଇ କାମ ଆରମ୍ଭ କରିବା ମତେ ଯେଉଁ ବିଶ୍ୱାସ ଦେଇଥିଲା ସେଥିପାଇଁ ସବୁବେଳେ ତାହା ସ୍ୱତନ୍ତ୍ର ହେଇ ରହିବ।

ସୋନାଲି :– ମ୍ୟାଡାମ୍‌, ଡିଜିଟାଲ ଆଉ ରେଡିଓ-ଟେଲିଭିଜନ୍ ଭିତରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ ହୋଇ ସାରିଛି। କେମିତି ଏହାର ସାମ୍‌ନା କରାଯିବ?
ତନୟା :- ଆମେ ଯୁଦ୍ଧ କହିବାନି। ଏହାକୁ ସୁସ୍ଥ ପ୍ରତିଯୋଗିତା ମାନିବା। ପ୍ରତିଯୋଗିତା ରହିବା ମଧ୍ୟ ଉଚିତ। ସମ୍ବାଦ ପରିସରର ଛାତତଳେ ରେଡିଓ, ଟେଲିଭିଜନ, ଖବରକାଗଜ, ଡିଜିଟାଲ, ଯାତ୍ରା ଆମେ ସମସ୍ତେ ଏକାଠି ଅଛୁ। ପରସ୍ପରକୁ ସାହାଯ୍ୟ ସହଯୋଗ କରୁଛୁ। ଏମିତି ପରିବେଶ ଆଉ କେଉଁଠି ମିଳିବା କଷ୍ଟ। ଏହା ହିଁ ଆମର ବଳ।
ସୋନାଲି :- ଆଉ ଗୋଟେ କଷ୍ଟ ପ୍ରଶ୍ନ ପଚାରିବା ପାଇଁ ଅନୁମତି ଦିଅନ୍ତୁ। ଏବେର ଆର୍‌ଜେମାନଙ୍କୁ ଛାଡି ଆଜି ଯାଏଁ ରେଡିଓ ଚକ୍‌ଲେଟ୍‌ରେ କାମ କରିଥିବା ଦଶ ଜଣ ଆର୍‌ଜେଙ୍କ ନାଁ କହିପାରିବେ କି?

ତନୟା :–ଏଇଟା ତ ସତରେ କଷ୍ଟ ସୋନାଲି। ହଠାତ୍ ମନେ ପକେଇବା କଷ୍ଟ ନିଶ୍ଚୟ। ତଥାପି ମୁଁ ମନେ ପକାଉଛି। ଆର୍‌ଜେ କେପି, ଆର୍‌ଜେ ଗୁଡ୍ଡି, ଈରା ମହାନ୍ତି, ସୋମ୍‌, ନିକ୍କି , ସୁବ୍ରତ, ମୋନିତା, ଅଭି, ପୂର୍ବାଶା, ଶାହିନ୍‌, ପ୍ରିୟ, ଆର୍‌ଜେ ରେଣୁକା, ଆହୁରି ନାଁ ମନେ ପକେଇ ହବ କିନ୍ତୁ ଦଶଜଣଙ୍କୁ ମନେ ପକେଇ ସାରିଛି।

ସୋନାଲି :- ଏବେ ଆପଣ ରେଡିଓ ଚକ୍‌ଲେଟ୍‌ର ଶ୍ରୋତା ଭାଇଭଉଣୀମାନଙ୍କୁ କ’ଣ କହିବେ ?
ତନୟା :- ରେଡିଓ ଚକ୍‌ଲେଟ୍ ପାଇଁ ତା’ର ଶ୍ରୋତାମାନେ ସବୁଠୁ ବଡ। ସବୁଠୁ ସ୍ୱତନ୍ତ୍ର। ପନ୍ଦର ବର୍ଷ ଲମ୍ବା ଯାତ୍ରା। ଭାବିଦେଲେ ଲାଗୁଛି ଏବେ ଏବେ ଆରମ୍ଭ ହୋଇଥିଲା। ପ୍ରଥମ ଦିନରୁ ଆମ ସହ ସମ୍ପୃକ୍ତ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଆଗାମୀ ୧୫ ବର୍ଷରେ ଆମେ ଆମର ଶ୍ରୋତା, ଶୁଭେଚ୍ଛୁମାନଙ୍କ ପାଇଁ ଆହୁରି ଅନେକ ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବୁ। ଆମକୁ ଭଲ ପାଉଥାନ୍ତୁ। ମତାମତ, ରାଗ, ଅଭିମାନ ସବୁ ଆମକୁ ଜଣାଉଥାନ୍ତୁ।

ସୋନାଲି :- ବହୁତ ବହୁତ ଧନ୍ୟବାଦ ମ୍ୟାଡାମ୍। (ଶ୍ରୋତାଙ୍କ ଉଦ୍ଦେଶ୍ୟରେ) ଶୁଣୁଥାନ୍ତୁ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍ ଏମ୍ ଓ ଅନୁଭବ କରୁଥାନ୍ତୁ…
ତନୟା ଓ ସୋନାଲି :- ଧୁମ୍ ମିଠା

ସମ୍ବନ୍ଧିତ ଖବର