ରେଡିଓ ଚକ୍‌ଲେଟ୍‌ର ‘ଚକ୍‌ଲେଟ୍‌ ମ୍ୟୁଜିକ୍‌ ଆଓ୍ଵାର୍ଡସ୍‌’ ୧୮ରେ

ଅନ୍‌ଲାଇନ୍‌ରେ ଜାରି ରହିଛି ଭୋଟ ଦାନ ପ୍ରକ୍ରିୟା

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମଥର ସଙ୍ଗୀତ ନିର୍ଦେଶକ, ବାଦ୍ୟଶିଳ୍ପୀ, ମ୍ୟୁଜିକ୍‌ ଆରେଞ୍ଜର୍‌, ଗୀତିକାର, ସାଉଣ୍ଡ୍‌ ଇଞ୍ଜିନିୟର ଏବଂ ଓଡ଼ିଶା ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ପାଇଁ ରେଡିଓ ଚକ୍‌ଲେଟ୍‌ ଆସନ୍ତା ୧୮ ତାରିଖ ଦିନ ଉତ୍କଳ ମଣ୍ଡପଠାରେ ଆୟୋଜନ କରୁଛି ଓଡ଼ିଶା ସଙ୍ଗୀତର ସବୁଠାରୁ ବଡ଼ ସମ୍ମାନ ‘ଚକ୍‌ଲେଟ୍‌ ମ୍ୟୁଜିକ୍‌ ଆଓ୍ଵାର୍ଡସ୍‌’।

ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଥମଥର ପାଇଁ ୩୦ରୁ ଅଧିକ ବିଭାଗରେ ବିଜେତାମାନଙ୍କୁ ସମ୍ମାନିତ କରାଯିବ। ଫିଲ୍ମରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ, ଗାୟକ, ଗାୟିକା, ଗୀତିକାର, ଶିଶୁ କଣ୍ଠଶିଳ୍ପୀ, ଶ୍ରେଷ୍ଠ ସାଉଣ୍ଡ୍‌ ଇଞ୍ଜିନିୟର, ମ୍ୟୁଜିକ୍‌ ଆରେଞ୍ଜର୍‌, ଉଦୀୟମାନ ଗାୟକ ଓ ଗାୟିକାଙ୍କୁ ସମ୍ମାନିତ କରାଯିବା ସହ ଶ୍ରେଷ୍ଠ ଗୀତ, ଭିଡିଓ, କରୁଣ ଗୀତ, ଭକ୍ତି ଗୀତ, ବ୍ୟାଣ୍ଡ୍‌ ବାରାତ ଗୀତ, ଆଇଟମ୍‌ ଗୀତ, ରିମିକ୍ସ ଗୀତ ପରି ଅନେକ ବିଭାଗ ରହିଛି। ନନ୍‌ ଫିଲ୍ମରେ ଶ୍ରେଷ୍ଠ ମ୍ୟୁଜିକ ଭିଡିଓ, ଗୀତ, ସଙ୍ଗୀତ ନିର୍ଦେଶକ, ଗୀତିକାର ଆଦି ବିଭାଗ ରହିଛି। ଏହା ସହ ଓଡ଼ିଆ ସଙ୍ଗୀତ ଜଗତକୁ ଅବଦାନ ପାଇଁ ବିଶେଷ ସମ୍ମାନରେ ବିଭିନ୍ନ ବିଭାଗରେ ଅନନ୍ୟ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ।

ପ୍ରଥମଥର ପାଇଁ ଏ ସମସ୍ତ ବିଭାଗର ବିଜେତାମାନଙ୍କୁ ଶ୍ରୋତାମାନେ ଭୋଟ୍‌ ଦେଇ ଚୟନ କରିବେ। ଭୋଟ୍‌ ପ୍ରକ୍ରିୟା ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇଛି; ଯାହା ଆସନ୍ତା ୧୫ ଯାଏ ଜାରି ରହିବ। ଭୋଟ୍‌ ଦେବା ପାଇଁ ଶ୍ରୋତାମାନେ www.cma.radiochoklateonline.comକୁ ଯାଇ ସେଠାରେ ଥିବା ସବୁ ବିଭାଗର ନୋମିନି ଦେଖି ନିଜ ପସନ୍ଦରେ ଭୋଟ୍‌ ଦେଇପାରିବେ। ବିଜେତାମାନଙ୍କୁ ଆସନ୍ତା ୧୮ ତାରିଖ ଦିନ ସନ୍ଧ୍ୟା ୬ଟାରେ ଉତ୍କଳ ମଣ୍ଡପଠାରେ ଓଲିଉଡ୍‌ କଳାକାରମାନଙ୍କ ଦ୍ୱାରା ନାଚଗୀତ ପରିବେଷଣ ସହ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ।

ସମ୍ବନ୍ଧିତ ଖବର