ପୁରୀ : ରେଡିଓକୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହ ନିଆରା ଢଙ୍ଗରେ ରେଡିଓ ଦିବସ ପାଳନ କରିଛନ୍ତି ରେଡିଓପ୍ରେମୀ। ମନୋରଂଜନର ଦିନେ ବଳିଷ୍ଠ ମାଧ୍ୟମ ଥିବା ରେଡିଓ ଏବେ ଘରୁ ନିଶ୍ଚିହ୍ନ ହୋଇଗଲାଣି। ପିଲାମାନଙ୍କୁ ରେଡିଓ କଥା କହିଲେ, ପିଲାଏ ଆଶ୍ଚର୍ଯ୍ୟ ହେଉଛନ୍ତି। ଏପରିପ୍ରେକ୍ଷୀରେ ରେଡିଓର ଉପକାରିତା ଓ ମହତ୍ତ୍ବକୁ ପ୍ରଦର୍ଶନ କରିବା ଲାଗି ବଡ଼ଦାଣ୍ଡ ସେବା ସଂଗଠନ ପକ୍ଷରୁ କିଛି ରେଡିଓପ୍ରେମୀଙ୍କୁ ନେଇ ବଡ଼ଦାଣ୍ଡରେ ରେଡିଓ ଦିବସ ପାଳନ କରାଯାଇଛି। ଏଥିସହ ରସଗୋଲା ଦେଇ ଏହି ରେଡିଓର ସ୍ମୃତି ମନେ ପକାଇ ଦେଇଥିଲେ।

Advertisment

ଦିନେ ଯେଉଁ ରେଡିଓ ଆଭିଜାତ୍ୟର ପ୍ରତୀକ ଭାବେ ଗଣା ଯାଉଥିଲା ଆଜି ତାହା କିଛି ହାତଗଣତି ଲୋକଙ୍କ ନିକଟରେ ସୀମିତ ରହିଯାଇଛି। ମାଳି ଦୋକାନ କରି ବଡ଼ଦାଣ୍ଡରେ ବ୍ୟବସାୟ କରୁଥିବା ବାଳକୃଷ୍ଣ ମହାପାତ୍ରଙ୍କ କହିବା ମୁତାବକ, ସେ ୫୦ ବର୍ଷ ହେଲା ରେଡିଓ ‌ଶୁଣି ଆସୁଛନ୍ତି। ଏପରିକି ରେଡିଓ ମରାମତି କରିବା ପାଇଁ କୌଣସି ୱାର୍କସପ୍‌ ନଥିବାରୁ ସେ ନିଜେ ରେଡିଓର ମରାମତି ଶିଖିଲେ। ଆଜି ବି ରେଡିଓ ତାଙ୍କର ସହଯାତ୍ରୀ। ତାଙ୍କ କହିବା କଥା ହେଲା, ଟିଭି ଘରେ ଦେଖି ହେବ, କିନ୍ତୁ ରେଡ଼ିଓ ସବୁ ଆଡ଼େ ସାଥିରେ ନେଇ ହେଉଛି। ଫଳରେ କର୍ମକ୍ଷେତ୍ରରେ ଥାଇ ମଧ୍ୟ ଦେଶ ବିଦେଶର ଖବର ସହ ମନୋରଂଜନ କରି ହେଉଛି। ରେଡିଓ ତାଙ୍କ ସହ ସାରା ଜୀବନ ରହିବ ବୋଲି ସେ କହିଛନ୍ତି।

ରେଡିଓ ପ୍ରେମୀ ମଞ୍ଜୁଲତା ସାହୁ କହିଛନ୍ତି, ୪୪ ବର୍ଷ ତଳେ ବାପା ତାଙ୍କୁ ଶ୍ରଦ୍ଧାରେ ଫିଲିପ୍ସ ରେଡିଓଟିଏ ଦେଇଥିଲେ। ବାପାଙ୍କର ଏହି ସ୍ମୃତି ସବୁକାଳେ ତାଙ୍କ ପାଇଁ ମୂଲ୍ୟବାନ। ‌ଅଶି ଦଶକରେ ଯେବେ ରେଡିଓ ନେଇ ଆସିଥିଲି, ସେତେବେଳେ ସମସ୍ତେ ସେଇ ଯନ୍ତ୍ରଟିକୁ ଦେଖିବା ପାଇଁ ଉତ୍ସୁକ ହେଉଥିଲେ। ରେଡିଓ ଅନ୍‌ କରି କାନେଇ ରହିବା ସହ ବହୁ ଗୁରୁତ୍ବପୂ୍ର୍ଣ୍ଣ ସୂଚନା ଶୁଣୁଥିଲେ। ଯୁଗ ସିନା ବଦଳିଛି, କିନ୍ତୁ ରେଡିଓର ସେଇ ସ୍ବର ଆଗରେ ସବୁକିଛି ଫିକା ବୋଲି ସେ କହିଛନ୍ତି। ମନୋଜ କୁମାର ସାହୁଙ୍କ ‌ଉଦ୍ୟମରେ ଆୟୋଜିତ ଏହି ରେଡିଓ ଦିବସରେ ସଂଗଠନ ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀ ରତ୍ନାକର ନାଥଙ୍କୁ ଏକ ରେଡିଓ ଉପହାର ଦିଆଯାଇଥିଲା। ରେଡିଓ ଷ୍ଟେସନ୍‌ର କାର୍ଯ୍ୟକ୍ରମର ରୂପରେଖକୁ ଯୁଗୋପଯୋଗୀ କରାଗଲେ ଏହାର ଆଦୃତି ଆହୁରି ବଢ଼ିବ ବୋଲି ସେ କହିଛନ୍ତି। ସୁନିଲ ମହାପାତ୍ର, ଜଗନ୍ନାଥ ପାଢ଼ୀ, କୁମୁଦିନୀ ପାଢ଼ୀ, ନାରାୟଣ ରାୟସିଂ, ଭାସ୍କର ମହାନ୍ତି, ସତ୍ୟନାରାୟଣ ସାହୁ ଓ ବିପିନ ମହାନ୍ତି ଏହାକୁ ପରିଚାଳନା କରିଥିଲେ।