ନାଇଜରରେ ଭାରତର ପ୍ରଥମ ସ୍ନାତକୋତ୍ତର ଭେଷଜ ଓ ରେଡିଓଲୋଜିକାଲ୍ ଫିଜିକ୍ସ ପାଠ୍ୟକ୍ରମ

ଖୋର୍ଦ୍ଧା: ଜଟଣୀ ନିକଟରେ ଥିବା ଭାରତ ସରକାରଙ୍କ ଜାତୀୟ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଏନ୍ଆଇଏସ୍ଇଆର୍)ରେ ରାଜ୍ୟର ପ୍ରଥମ ଭେଷଜ ଓ ରେଡିଓଲୋଜିକାଲ୍ ଫିଜିକ୍ସ ପାଠ୍ୟକ୍ରମ ୧୦ଜଣ ରାଜ୍ୟ ଓ ରାଜ୍ୟ ବାହାରର ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଛି । ଏହି ପାଠ୍ୟକ୍ରମ କର୍କଟ ରୋଗ ଚିକିତ୍ସାକ୍ଷେତ୍ରରେ ଗବେଷଣା ଓ ନିଯୁକ୍ତିର ଏକ ନୂତନ ଆଶା ସଂଚାର କରିବ ବୋଲି ପ୍ରସିଦ୍ଧ ଭାବା ଆଣବିକ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ତଥା ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ପାଠ୍ୟକ୍ରମର ଉଦ୍‌ଘାଟନ ଭାବେ ଯୋଗ ଦେଇ କହିଛନ୍ତି ।

ନିର୍ଦ୍ଦେଶକ ଶ୍ରୀ ମହାନ୍ତି କହିଛନ୍ତି ଯେ ପୂର୍ବେ ରେଡିଓଲୋଜିରେ ଡିପ୍ଲୋମା ପାଠ୍ୟକ୍ରମ ଥିଲା, କିନ୍ତୁ ୧୯୬୨ ମସିହାରେ ପ୍ରତିଷ୍ଠିତ ଭାବା ଆଣବିକ ଗବେଷଣା ମଧ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ନଥିଲା । ଦେଶରେ ପ୍ରଥମ ଥର ପାଇଁ ଏହି ପାଠ୍ୟକ୍ରମ ଓଡ଼ିଶାର ନାଇଜରରେ ଆରମ୍ଭ ହେବା ଏକ ଗୌରବର କଥା । ଏହି ପାଠ ପଢ଼ିବା ପରେ ବିଦ୍ୟାର୍ଥୀଙ୍କୁ ୧ ବର୍ଷ ବିଭିନ୍ନ ବୃହତ୍ ଓ ପରିଚିତ ଗବେଷଣାକେନ୍ଦ୍ର ଓ ଚିକିତ୍ସାଳୟରେ ଇଂଟେର୍ନସିପ୍ର ସୁଯୋଗ ମିଳିବ ।

ନାଇଜରର ନିର୍ଦ୍ଦେଶକ ସୁଧାକର ପଣ୍ଡା ଏହି ଅବସରରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଗତ ୪ ବର୍ଷ ଧରି ଏହି ପାଠ୍ୟକ୍ରମ ନାଇଜର-ଓଡ଼ିଶାରେ ଆରମ୍ଭ କରିବାକୁ ସେ ପ୍ରୟାସ କରିଥିଲେ । ଆଜି ପ୍ରଥମ ବ୍ୟାଚ୍‌ର ପ୍ରଥମ ଦିନ । ଯେଉଁଯେଉଁ ସ୍ଥାନରେ କର୍କଟ ରୋଗ ପାଇଁ ବିକିରଣ (ରେଡିଏସନ୍) ଚିକିତ୍ସା କରାଯାଏ ସେଠାରେ ମେଡିକାଲ୍ ଫିଜିସିଷ୍ଟଙ୍କ ଆବଶ୍ୟକତା ହୁଏ । ଦେଶରେ ସ୍ନାତକୋତ୍ତର ଫିଜିସିଷ୍ଟଙ୍କ ସଂଖ୍ୟା ନଗଣ୍ୟ । ଏଣୁ ଏହି ପାଠ୍ୟକ୍ରମ ସେହିକ୍ଷେତ୍ରର ଆବଶ୍ୟକତା ପୂରଣ କରିବା ସହ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ । ନାଇଜରର କୁଳସଚିବ ଅଭୟ କୁମାର ନାୟକ କହିଛନ୍ତି ଯେ ୨୦୨୧ ଅଗଷ୍ଟ ମାସରେ ଏହି ପାଠ୍ୟକ୍ରମ ଆରମ୍ଭ କରିବାର ଯୋଜନା ହୋଇଥିଲା, ଏହାର ଠିକ୍ ୧ ବର୍ଷ ପରେ ପ୍ରଥମ ବ୍ୟାଚ୍ରେ ୧୦ଜଣ ଛାତ୍ର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ଓଡ଼ିଶାର ୩ ଜଣ, ପଶ୍ଚିମବଙ୍ଗରୁ ୩ଜଣ, ହରିଆଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଆାଦି ରାଜ୍ୟରୁ ଅନ୍ୟ ଛାତ୍ରଛାତ୍ରୀମାନେ ଅଛନ୍ତି ।

ସେହିଭଳି ପଦାର୍ଥ ବିଜ୍ଞାନର ପ୍ରଫେସର ତଥା ସିଏମ୍ଆର୍ପିର ସଂଯୋଜକ ବେଦାଙ୍ଗଦାସ ମହାନ୍ତି କହିଛନ୍ତି ଯେ ଭେଷଜ ପଦାର୍ଥ ବିଜ୍ଞାନୀଙ୍କ ଦାୟିତ୍ୱ ହେଉଛି ବିକିରଣ ଚିକିତ୍ସା ଓ ନିରାକରଣ ସହିତ ଉଚ୍ଚମାନର ଉପକରଣ ଚୟନ, ରକ୍ଷଣାବେକ୍ଷଣ ଓ ସ୍ଥାପନ ଯୋଜନା, ଏହି ପାଠ୍ୟକ୍ରମ ଏହି ସମସ୍ତ ଆବଶ୍ୟକତାକୁ ଯଥାର୍ଥରେ ପୂରଣ କରିବ । କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ହରିହର କକର୍ଟ କେନ୍ଦ୍ରର ପ୍ରଫେସର, ନାଇଜରର ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର