ବୁର୍ଲା : ବୁର୍ଲା ଭିମସାର କ୍ୟାନ୍‌ସର ୱାର୍ଡରେ ରେଡିଓଥେରାପିଷ୍ଟ ପଦ ଖାଲି ପଡ଼ିବା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ଅନେକ ମାସ ଧରି ଖାଲି ପଡ଼ିଥିବା ଏହି ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀ ମିଳୁନାହାନ୍ତି । ଅନ୍ୟପଟେ ୩ ମାସ ହେଲା ରେଡିଏସନ୍ ଥେରାପି(‌ରେଡିଓଥେରାପି) ଚିକିତ୍ସା ଏହି କାରଣ ଯୋଗୁ ବୁର୍ଲା କ୍ୟାନ୍‌ସର ୱାର୍ଡରେ ବନ୍ଦ ରହିଛି। ରେଡିଓଥେରାପି ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ବାଧ୍ୟ ହୋଇ କଟକ ସ୍ଥାନାନ୍ତର କରାଯାଉଛି।

Advertisment

ଅନ୍ୟପଟେ ଏହି ରେଡିଓଥେରାପିଷ୍ଟ ପଦରେ ନିଯୁକ୍ତି ଭିମ୍‌ସାର କର୍ତୃପକ୍ଷ ପଦକ୍ଷେପ ନେଇଥିଲେ। ନିଯୁକ୍ତି ନିମନ୍ତେ ସାକ୍ଷାତକାର ଡକାଯାଇଥିଲା। ମାତ୍ର ଏଇଆର୍‌ବି ନିୟମ ଅନୁଯାୟୀ ଜଣେ ବି ପ୍ରାର୍ଥୀ ଆସିନଥିଲେ। ଉପଯୁକ୍ତ ପ୍ରାର୍ଥୀ ଅଭାବ ଯୋଗୁ ଏହି ପଦରେ ନିଯୁକ୍ତି ଦିଆଯାଇପାରୁ ନାହିଁ। ପଶ୍ଚିମ ଓଡିଶାର କ୍ୟାନ୍‌ସର ରୋଗୀମାନେ ଚିକିତ୍ସା ପାଇଁ ବୁର୍ଲା ଭିମ୍‌ସାର ଏବେ ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ। ପ୍ରତିଦିନ ବିଭିନ୍ନ ଅଂଚଳରୁ ରୋଗୀମାନେ ଭିମ୍‌ସାରରେ କ୍ୟାନ୍‌ସର ୱାର୍ଡକୁ ଚିକିତ୍ସା ପାଇଁ ଆସୁଛନ୍ତି। ରେଡିଓଥେରାପି ବନ୍ଦ ହୋଇଥିବ ଜାଣିବା ପରେ ରୋଗୀମାନେ ଚିନ୍ତାରେ ପଡ଼ିଯାଉଛନ୍ତି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ଥିବା ରୋଗୀମାନେ ଚିକିତ୍ସା ପାଇଁ କଟକ ଯାଉଛନ୍ତି। କିନ୍ତୁ, ଗରିବ ରୋଗୀମାନେ ଅର୍ଥାଭାବ ଯୋଗୁ କଟକ ଯାଇପାରୁନାହାନ୍ତି। ବୁର୍ଲାରେ ରେଡିଓଥେରାପି ଚିକିତ୍ସା ପାଇଁ ଗୁହାରି କରୁଛନ୍ତି। କିନ୍ତୁ, ଭିମ୍‌ସାର କର୍ତୃପକ୍ଷ ଏଥିରେ ନିଜର ଅସହାୟତା ପ୍ରକାଶ କରୁଛନ୍ତି। ଚିକିତ୍ସା ଅଭାବରୁ ଅସମୟରେ କେତେକ ରୋଗୀଙ୍କ ଜୀବନ ବି ଚାଲିଯାଉଛି।

ରୋଗୀମାନଙ୍କ ଏଭଳି କଷ୍ଟ ଯୋଗୁ ଦୁଃଖ ପ୍ରକାଶ କରିଛନ୍ତି ବୁର୍ଲା କ୍ୟାନ୍‌ସର ୱାର୍ଡ ମୁଖ୍ୟ ପ୍ରଫେସର ଡାକ୍ତର କବିତା ମାଝୀ। ଡାକ୍ତର ମାଝୀ ଆହୁରି କହିଛନ୍ତି ଯେ ରେଡିଓ ଥେରାପିଷ୍ଟ ପଦରେ ନିଯୁକ୍ତି ପାଇଁ ଭିମ୍‌ସାର କତ୍ତୃର୍ପକ୍ଷ ପାଇଁ ଯୋଜନା ଚାଲିଛି। ଶୀଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ କତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।