‘ତିତଲି’ରେ ରାଗେଇଝୁଳି ଗାଁ ନିଶ୍ଚିହ୍ନ

ରା.ଉଦୟଗିରି : ‘ତିତ୍‌ଲି’ ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଖଜୁରୀପଦା ପଞ୍ଚାୟତ ରାଗେଇଝୁଳି ଗାଁ ନିଶ୍ଚିହ୍ନ ହୋଇଯାଇଛି। ନିକଟସ୍ଥ ପାବତରାଇଜ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡ ଗଡ଼ି ଆସିବା ଫଳରେ ଗ୍ରାମର ସବୁ ଘରଗୁଡ଼ିକ ଭାଙ୍ଗିରୁଜି ଯାଇଛି। କାଜୁ ବଗିଚା ଉଜୁଡ଼ି ଯାଇଥିବା ବେଳେ ଜମିଗୁଡ଼ିକ ବାଲିଚର ମାଡ଼ିଯାଇଛି। ସମସ୍ତ ବାଡ଼ବଗିଚା ଭୁଲୁଣ୍ଠିତ ହୋଇ ଯାଇଥିବା ବେଳେ ଗ୍ରାମର ଗୃହପାଳିତ ପଶୁମାନଙ୍କ ଚିହ୍ନବର୍ଣ୍ଣ ମିଳୁନାହିଁ। ଗ୍ରାମବାସୀଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଛି।

ବାତ୍ୟାପୂର୍ବରୁ ଶତାଧିକ ଗ୍ରାମବାସୀଙ୍କୁ ଖଜୁରୀପଦା ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। ସେଠାରେ ସେମାନେ ଆଜିଯାଏଁ ପଡ଼ି ରହିଛନ୍ତି। ବର୍ତ୍ତମାନ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉ ନାହିଁ ବି ବିଶୁଦ୍ଧ ପାଣି ପିଇବାକୁ ମିଳୁନାହିଁ। ଲୋକେ ଗୋଳି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି ମଧୁସ୍ମିତା ଓ ରଶ୍ମିତା ରଇତ ପ୍ରକାଶ କରିଛନ୍ତି। ପାଣି ଯୋଗାଇ ଦେବା ପାଇଁ ପୂର୍ବତନ ସରପଞ୍ଚ ଗାଗନା ଗମାଙ୍ଗ ନିବେଦନ କରିଛନ୍ତି। ନଚେତ ଜୀବନ ଯିବା ନିଶ୍ଚିତ ବୋଲି ସେ କହିଛନ୍ତି। ସବିତା ମଣ୍ଡଳ ୪ ଦିନ ହେଲା ଖାଇନାହାନ୍ତି ବୋଲି କହିଥିବା ବେ‌ଳେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉ ବୋଲି ବନିତା ରଇତ, ହେମନ୍ତୀ ଗମାଙ୍ଗ, ବେଲନୀ ରଇତ ଅନୁରୋଧ କରିଛନ୍ତି।

ବାତ୍ୟାପରେ ସାଂସଦ ସିଦ୍ଧାନ୍ତ ମହାପାତ୍ର ଅଞ୍ଚଳ ପରିଦର୍ଶନ କରି ଯଥାଶୀଘ୍ର ସମୁଚିତ ସୁବିଧା ଯୋଗାଇ ଦେବା ପାଇଁ ବିଡିଓଙ୍କୁ କହିଥିଲେହେଁ ଆଜି ଯାଏଁ କୌଣସି ପ୍ରକାର ସହାୟତା ଯୋଗାଇ ଦିଆଯାଇ ନାହିଁ। ସେହିଭଳି, ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତାରାଣୀ ବେ‌େହରା‌ ଓ ବିଡିଓ କ୍ଷିର‌ାବ୍ଧୀ ବେହେରା ରାଗେଇଝୁଳି ଗ୍ରାମ ଦେଇ ଯାଉଥିବା ଜାଣି ଲୋକେ ରାସ୍ତାରେ ଆସି ଜଗି ରହି ସେମାନଙ୍କୁ ଅଟକାଇ ଦୁଃଖ ଶୁଣାଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅନୁରୋଧ କରିବାକୁ ଚେଷ୍ଟା କରିଥିଲେ। ମାତ୍ର, ଏଥିରେ ସେମାନେ ସଫଳ ହୋଇନଥିବା ବହୁ ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର