ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜରେ ରୢାଗିଂ ବିବାଦ ପିଛା ଛାଡ଼ୁନି। ଏମ୍‌ବିବିଏସ୍‌ ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ ସିନିୟର୍‌ ଛାତ୍ରମାନେ ରୢାଗିଂ କରିଥିବା ନେଇ ଅଭିଯୋଗ ହୋଇଛି। ୟୁନିୟନ୍‌ ବୈଠକ ନାଁରେ କିଛି ବରିଷ୍ଠ ଛାତ୍ର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ହଷ୍ଟେଲରୁ ଡାକି ମାନସିକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ରୢାଗିଂର ଶିକାର ହୋଇଥିବା ଛାତ୍ର ଦିଲ୍ଲୀ ଆଣ୍ଟି ରୢାଗିଂ ସେଲ୍‌ ନିକଟରେ ଅଭିଯୋଗ କରିଛନ୍ତି। ସେଠାରୁ ନିର୍ଦ୍ଦେଶ ଆସିବା ପରେ ଏମ୍‌କେସିଜି କର୍ତ୍ତୃପକ୍ଷ ହଷ୍ଟେଲକୁ ଯାଇ ଛାତ୍ରଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଆସନ୍ତାକାଲି ଏମ୍‌କେସିଜିର ଆଣ୍ଟି ରୢାଗିଂ କମିଟି ବୈଠକ ବସିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

Advertisment

ଏମ୍‌କେସିଜିରେ ଏମ୍‌ବିବିଏସ୍‌ ଦ୍ବିତୀୟ ବର୍ଷ ଛାତ୍ର ଜଣକ ପୁରୁଷ ହଷ୍ଟେଲ-୧ରେ ରହୁଛନ୍ତି। କିଛି ଦିନ ତଳେ ୬ ରୁ ୭ ଜଣ ବରିଷ୍ଠ ଛାତ୍ର ହଷ୍ଟେଲକୁ ଯାଇ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଡାକି ନେଇଥିଲେ। ହଷ୍ଟେଲରେ ଘଣ୍ଟା ଘଣ୍ଟା ଧରି ବୈଠକ କରିବା ସହ ନାଚ ଗୀତ କରିଥିଲେ। ଏହାର କିଛି ଦିନ ପରେ ପୁଣି ଡାକି ବୈଠକ ନାଁରେ ସମୟ ନଷ୍ଟ କରିଥିଲେ। ଦ୍ବିତୀୟ ବର୍ଷର ଛାତ୍ର ଜଣକ ଏହାର ପ୍ରତିବାଦ କରିବାରୁ ବରିଷ୍ଠ ଛାତ୍ରମାନେ ଦୁର୍ବ୍ୟବହାର କରିବା ସହ ଆଣ୍ଠେଇବାକୁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।  ଏମ୍‌କେସିଜି ମେଡିକାଲ କଲେଜର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ରୢାଗିଂ ଅଭିଯୋଗକ୍ରମେ ଏକ କମିଟି ଗଠନ କରାଯାଇ ଯାଞ୍ଚ କରାଯାଇଛି। ଆସନ୍ତାକାଲି ଏନେଇ ରୢାଗିଂ କମିଟିର ଏକ ବୈଠକ ହେବ ବୋଲି ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ କହିଛନ୍ତି।