ବ୍ରହ୍ମପୁର, : ବ୍ରହ୍ମପୁର ସହରରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଷଷ୍ଠଶ୍ରେଣୀ ଛାତ୍ରଙ୍କୁ ରାଗିଂ ସହିତ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ଉପର ଶ୍ରେଣୀର ଛାତ୍ରାମାନେ ଏହି ପୀଡ଼ିତ ଛାତ୍ରଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି। ଏ ନେଇ ତାଙ୍କ ମା’ ଗୋସାଇଁ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୮ଜଣ ଛାତ୍ରଙ୍କ ବିରୋଧରେ ମାମଲା ଦାୟର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସାବାଳକ ଓ ଅନ୍ୟମାନେ ନାବାଳକ ରହିଥିବା ପୁଲିସ ସୂତ୍ରରୁ ଜଣାଯାଇଛି।

Advertisment

ସମ୍ପୃକ୍ତ ଛାତ୍ରଙ୍କ ମା’ କରିଥିବା ଅଭିଯୋଗ ଅନୁସା‌ରେ, ଗତ ୨୩ ତାରିଖ ଦିନ ସଂପୃକ୍ତ ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲ୍‌ରେ ଏଭଳି କାଣ୍ଡ ଘଟିଛି। ହଷ୍ଟେଲ୍‌ର କିଛି ସିନିୟର୍‌ ଛାତ୍ର ତାଙ୍କ ପୁଅକୁ ମାଡ଼ ମାରିଥିଲେ। ସେହିଦିନ ସେ ପୁଅକୁ କିଛି ଶୁଖିଲା ଖାଦ୍ୟ ଦେବାକୁ ଯାଇଥିବା ବେଳେ ପୁଅ ଏ ସମ୍ପର୍କରେ କହିଥିଲା। କେବଳ ଏହି ଘଟଣା ନୁହେଁ, ଗତ ପ୍ରାୟ ପାଞ୍ଚମାସ ଧରି ତାଙ୍କ ପୁଅକୁ ନିର୍ଯାତନା ଦିଆଯାଉଛି। ଗତ ଜୁଲାଇ ୩ତାରିଖ ଦିନ ସେ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ମେଲ୍‌ ଯୋଗେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ତାଙ୍କ ପୁଅକୁ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ। ସ୍କୁଲ୍‌ର ଅଧ୍ୟକ୍ଷ ବି ଭବିଷ୍ୟତରେ ଏଭଳି ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାସତ୍ତ୍ବେ ବି ତାଙ୍କର ପୁଅର ହାତକୁ ଚେଙ୍କ ସହିତ ନିର୍ଯାତନା ଦିଆଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି।

୫ମାସ ଧରି ନିର୍ଯାତନା ଦିଆଯାଉଥିଲା
ଚେଙ୍କ ବି ଦିଆଯାଇଥିବା ଛାତ୍ରର ମା’ଙ୍କ ଅଭିଯୋଗ
୮ଜଣଙ୍କ ନାଁରେ ମାମଲା, ଛୋଟ ଘଟଣା ବୋଲି କହିଲେ ଏସ୍‌ପି

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏନେଇ ଚାଇଲ୍ଡଲାଇନରେ ଏ ସମ୍ପର୍କରେ ଅବଗତ କରିଥିଲେ। ଗତ ସେପ୍ଟେମ୍ବର ୨୭ ତାରିଖରେ ଚାଇଲ୍ଡଲାଇନ୍‌ର ଦୁଇଜଣ ସଦସ୍ୟ ସ୍କୁଲ୍‌କୁ ଆସି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଭବିଷ୍ୟତରେ ଏହିଭଳି ଘଟଣା ଘଟିବ ନାହିଁ ବୋଲି ସ୍କୁଲ୍‌ କର୍ତ୍ତୃପକ୍ଷ ଆଲୋଚନା ସମୟରେ ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି।

ତେବେ, ପିଲାଙ୍କ ଭିତରେ ଏକ ଛୋଟ ଘଟଣାକୁ ନେଇ ମାର୍‌ପିଟ୍‌ ହୋଇଥିବା ବ୍ରହ୍ମପୁର ଏସ୍‌.ପି ଡା.ଶରବଣା ବିବେକ୍‌.ଏମ୍‌ କହିଛନ୍ତି। ହଷ୍ଟେଲରେ ମୋବାଇଲ୍ ମନା କରାଯାଇଥିବା ବେଳେ ଜଣେ ଛାତ୍ର ମୋବାଇଲ୍‌ରେ କଥାବାର୍ତ୍ତା ହେଉଥିବା ଦେଖି ପୀଡ଼ିତ ଛାତ୍ର ଜଣକ ୱାର୍ଡେନ୍‌ଙ୍କୁ କହି ଦେଇଥିଲେ। ୱାର୍ଡ଼େନ୍‌ ଡାକି ଅନ୍ୟମାନଙ୍କୁ ତାଗିଦ୍‌ କରିବା ପରେ କାଳେ ଏହି ପିଲା କହିଥିବ ଭାବି ପିଲାଙ୍କ ମଧ୍ୟରେ ସାମାନ୍ୟ ମାରପିଟ୍‌ ହୋଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ, ପୀଡ଼ିତ ଛାତ୍ରଙ୍କ ମା’ଙ୍କ ଏତଲା ଆଧାରରେ ଗୋଷାଣି ନୂଆଗାଁ ଥାନାରେ ୮ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରେ ଜଣେ ସାବାଳକ ଛାତ୍ର ମଧ୍ୟ ରହିଥିବା ଓ ସେ ଯୁକ୍ତ ଦୁଇରେ ପଢୁଥିବା ଜଣାପଡ଼ିଛି। ଅନ୍ୟମାନେ ନାବାଳକ ଥିବାରୁ ସମସ୍ତଙ୍କୁ ତାଗିଦ୍‌ କରାଯିବା ସହ ନୋଟିସ୍‌ ଦିଆଯାଇ ଛଡ଼ି ଦିଆଯାଇଥିବା ଏସ୍‌.ପି କହିଛନ୍ତି। ଏପରିସ୍ଥଳେ, ଏହି ଛାତ୍ରଙ୍କୁ ନେଇ ତାଙ୍କ ମା’ ନିଜର କର୍ମସ୍ଥଳକୁ ଫେରିଯାଇଛନ୍ତି। ପରୀକ୍ଷା ସମୟରେ ପୁଣି ଆଣିବେ ବୋଲି କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛିଦିନ ତଳେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ରାଗିଂ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ବ୍ରହ୍ମପୁର ସହରରେ ବାରମ୍ବାର ଏହିଭଳି ଘଟଣା ଘଟୁଥିବାରୁ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟିହୋଇଛି।

ରାଗିଂ ତଣ୍ଡ ଗଣିଲେ ୭୦ ସିନିୟର ଛାତ୍ର

କେନ୍ଦୁଝର : ରାଜ୍ୟର ସର୍ବ ପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନ କେନ୍ଦୁଝରର ଓଡ଼ିଶା ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ (ଓଏସ୍‌ଏମ୍‌ଇ)ରେ କିଛି ବରିଷ୍ଠ ଛାତ୍ର କନିଷ୍ଠ ଛାତ୍ରମାନଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଏହାଉପରେ ଶୃଙ୍ଖଳା କମିଟି ବିଚାର କରି ୭୦ ଜଣ ବରିଷ୍ଠ ଛାତ୍ରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ କରିବା ସହିତ ଲାଇବ୍ରେରିରୁ ପୁସ୍ତକ ନେବାକୁ ବାରଣ କରାଯାଇଛି।

ଗତ ଶୁକ୍ରବାର ରାତିରେ ବିଦ୍ୟାଳୟର ବାଳକ ‌ହଷ୍ଟେଲରେ ରହୁଥିବା କିଛି ସିନିୟର ଛାତ୍ର କେତେକ ଜୁନିୟର ଛାତ୍ରଙ୍କୁ ଡାକି ସେମାନଙ୍କର ମନୋରଞ୍ଜନ କରିବାକୁ କହିଥିଲେ। ସେମାନଙ୍କୁ ନାଚିବାକୁ ଓ ଗୀତ ଗାଇବାକୁ ବାଧ୍ୟ କରିଥିଲେ। ଏ ସଂପର୍କରେ ଜୁନିୟର ଛାତ୍ରମାନେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବିଦ୍ୟାଳୟର ଶୃଙ୍ଖଳା କମିଟି ଦ୍ବାରା ଏହାର ତଦନ୍ତ କରାଯାଇଥିଲା। କମିଟିର ରିପୋର୍ଟ ଆଧାରରେ ତୃତୀୟ ବର୍ଷର ସମସ୍ତ ୭୦ଜଣ ଛାତ୍ରଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଏତଦ୍‌ବ୍ୟତୀତ ହଷ୍ଟେଲରେ ରହୁଥିବା ତୃତୀୟ ବର୍ଷର ୭୦ଜଣ ଛାତ୍ର ୫ମ ସେମିଷ୍ଟାର ପାଇଁ ଲାଇବ୍ରେରୀରୁ କୌଣସି ପାଠ୍ୟପୁସ୍ତକ ନେଇପାରିବେ ନାହିଁ ଆଦେଶ କରାଯାଇଛି । ଭବିଷ୍ୟତରେ ଏପରି କାର୍ଯ୍ୟ ନକରିବା ପାଇଁ ଅଣ୍ଡରଟେକିଂ ରଖାଯାଇଛି । ଏହାର ପୁନରାବୃତ୍ତି ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସଂପର୍କରେ ଥାନାକୁ ମଧ୍ୟ ଅବଗତ କରାଯାଇଛି ବୋଲି ଅଧ୍ୟକ୍ଷ ଜ୍ଞାନ ରଂଜନ ରାୟ କହିଛନ୍ତି।