ନୀଳଗିରି: ଆଶ୍ରମ ବିଦ୍ୟାଳୟ ଛାତ୍ରାବାସରେ ରୢାଗିଂ। କହିଲେ, ଆମେ ବରିଷ୍ଠ ଛାତ୍ର, ଆମ କଥା ମାନି ରୁମ୍ରେ ଝାଡ଼ୁ ମାର। ନହେଲେ କିଛି ଭଲ ହେବନି। ତେବେ ଝାଡୁ ନ କରିବାରୁ ଅଷ୍ଟମ ଓ ନବମ ଶ୍ରେଣୀର ଅନ୍ତେବାସୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି କେତେକ ଦଶମ ଶ୍ରେଣୀ ଛାତ୍ର। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ଜଡ଼ିବାଲି ପଞ୍ଚାୟତର ବଣଭୂଇଁ ଆଶ୍ରମ ବିଦ୍ୟାଳୟ ଛାତ୍ରାବାସରେ।
ସୂଚନା ଅନୁସାରେ; ଗତକାଲି ରାତି ବଣଭୂଇଁ ଆଶ୍ରମ ବିଦ୍ୟାଳୟ ଛାତ୍ରାବାସରେ ଦଶମ ଶ୍ରେଣୀର କିଛି ଅନ୍ତେବାସୀ ଅଷ୍ଟମ ଓ ନବମ ଶ୍ରେଣୀର ୧୫ ଜଣରୁ ଅଧିକ ଅନ୍ତେବାସୀଙ୍କୁ ରୢାଗିଂ କରିଥିଲେ। ରୁମ୍ରେ ଝାଡ଼ୁମାରି ସଫା କରିବା ପାଇଁ କହିଥିଲେ। ହେଲେ ଜୁନିଅର୍ ଛାତ୍ରମାନେ ସେମାନଙ୍କ କଥା ମାନି ନଥିଲେ। ଫଳରେ ସେମାନଙ୍କୁ ଛାତ୍ରାବାସର ଗୋଟିଏ କୋଠରିରେ ପୂରାଇ ସିନିଅର୍ ଛାତ୍ରମାନେ ବାଡ଼ିରେ ନିର୍ଘାତ ପିଟିଥିଲେ। ମାଡ଼ ଖାଇଥିବା ଛାତ୍ରମାନେ ଘଟଣା ସଂପର୍କରେ ଅଭିଭାବକଙ୍କୁ ଅବଗତ କରିଥିଲେ। ଫଳରେ ଆଜି ଉଭୟ ସିନିଅର୍ ଓ ଜୁନିଅର୍ ଅନ୍ତେବାସୀଙ୍କ ଅଭିଭାବକମାନେ ପ୍ରଧାନଶିକ୍ଷୟିତ୍ରୀ ଇତିଶ୍ରୀ ରାଉତ ଓ ଜନମଙ୍ଗଳ ଅଧିକାରୀ ଶୈଳେନ୍ଦ୍ର ଶତପଥୀଙ୍କ ସହ ଆଲୋଚନା କରିଥିଲେ।
ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ରାଉତ ଓ ଜନମଙ୍ଗଳ ଅଧିକାରୀ ଶ୍ରୀ ଶତପଥୀ ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ରୢାଗିଂର ଶିକାର ଛାତ୍ରମାନେ ଗଣମାଧ୍ୟମ ଆଗରେ ସବୁକଥା କହି ଦେଇଥିଲେ। ଏନେଇ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ରାଉତଙ୍କୁ ପଚରାଯିବାରୁ ଦଶମ ଶ୍ରେଣୀର କିଛି ଅନ୍ତେବାସୀ ଛାତ୍ର ଅଷ୍ଟମ ଓ ନବମ ଶ୍ରେଣୀର ଅନ୍ତେବାସୀଙ୍କୁ ତାଗିଦ କରି ସାମାନ୍ୟ ପିଟିଥିଲେ। ଏଥିରେ କାହାର କିଛି କ୍ଷତି ହୋଇନି। ଅଭିଭାବକଙ୍କ ସହ କଥା ହୋଇ ଘଟଣାର ଆପୋସ ସମାଧାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/03/2NG2WYRPMC4sC5GLX6BF.jpg)