ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜର ଗୋଟିଏ ଘଟଣା ଲୋକଲୋଚନକୁ ଆସିବା ପରେ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏଭଳି ଘଟଣା ବିଷୟରେ ଛାତ୍ରୀ ଏବଂ ଅଭିଭାବକ ମୁହଁ ଖୋଲିଲେଣି। ଗତ ୧୩ ତାରିଖରେ ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ବାଇପାସ୍ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଯୁକ୍ତଦୁଇ ଛାତ୍ରୀ ଦୀପ୍ତିଲତା ଦାସ(୧୬)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଝିଅର ମୃତ୍ୟୁ ଘଟଣାକୁ ନେଇ ମା ଜ୍ୟୋତ୍ସ୍ନାରାଣୀ ଦାସ ଯାହା ଅଭିଯୋଗ ଆଣିଥିଲେ, ତାକୁ ଅନୁଧ୍ୟାନ କଲେ ଏହି ଘଟଣାରେ ମଧ୍ୟ ରାଗିଂର ଗନ୍ଧ ବାରି ହୋଇ ପଡ଼ୁଛି। ଝିଅକୁ ହତ୍ୟା କରା ଯାଇଥିବା ନେଇ ମା ଜ୍ୟୋତ୍ସ୍ନାରାଣୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଦୀପ୍ତିଲତାଙ୍କୁ କିଛି ଛାତ୍ର ବିଭିନ୍ନ ସମୟରେ ବରାବର କମେଣ୍ଟ୍ କରି ହଇରାଣ କରୁଥିଲେ। ଏପରିକି ବିଳମ୍ବିତ ରାତିରେ ଝିଅର ଇନ୍ଷ୍ଟାଗ୍ରାମ ଆଇଡିରେ ଧମକପୂର୍ଣ୍ଣ ମେସେଜ୍ ପଠାଉଥିବା ନେଇ ମା ଜ୍ୟୋତ୍ସ୍ନାରାଣୀ ଅଭିଯୋଗ କରିଥିଲେ। ଯାହାକି ରାଗିଂ ଓ ମାନସିକ ନିର୍ଯାତନା ଦିଆ ଯାଉଥିବାର ସ୍ପଷ୍ଟ ପ୍ରମାଣ।
ଦୀପ୍ତିଲତା ଲାଞ୍ଜିପଲ୍ଲୀ ବାଇପାସ୍ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତଦୁଇ ବିଜ୍ଞାନ ବିଭାଗରେ ପାଠ ପଢ଼ୁଥିଲେ। ଗତ ୧୩ତାରିଖରେ ହଠାତ୍ ଦୀପ୍ତିଲତା ଗୁରୁତର ହୋଇ ପଡ଼ିଥିବା ତାଙ୍କର ଜଣେ ସାଙ୍ଗ ମା ଜ୍ୟୋତ୍ସ୍ନାରାଣୀଙ୍କୁ ଫୋନ୍ରେ ଜଣାଇଥିଲେ। ମା ଜ୍ୟୋତ୍ସ୍ନାରାଣୀ ଓ ଭାଇ ଏମ୍କେସିଜି ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ। ହେଲେ ଦୀପ୍ତିଲତାଙ୍କ ମୃତ୍ୟୁ ଘଟି ସାରିଥିଲା। ଝିଅର ମୃତ୍ୟୁ ପାଇଁ ପରିବାରବର୍ଗ କଲେଜ କର୍ତ୍ତୃପକ୍ଷ ଓ କିଛି ଛାତ୍ରଙ୍କୁ ପରୋକ୍ଷରେ ଦାୟୀ କରିଥିଲେ। ଏପରିକି ଝିଅକୁ ହତ୍ୟା କରା ଯାଇଥିବା ନେଇ ଅଭିଯୋଗ କରିଥିଲେ। ମା ଜ୍ୟୋତ୍ସ୍ନାରାଣୀ ତାଙ୍କର ଏତଲାରେ ଦର୍ଶାଇଛନ୍ତି ଯେ ଝିଅ ଦୀପ୍ତିଲତାଙ୍କୁ କଲେଜର କିଛି ଛାତ୍ର ଖରାପ ବ୍ୟବହାର ଦେଖାଇବା ସହିତ ତାଙ୍କୁ କମେଣ୍ଟ୍ କରୁଥିଲେ। ଏ ନେଇ ଝିଅ ଓ ତାର ସାଙ୍ଗମାନେ କଲେଜର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ କଲେଜ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ।
ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଦୀପ୍ତିଲତା ଆତ୍ମହତ୍ୟା କରିଥିବା ବଡ଼ ଡାକ୍ତରଖାନର ଏଫ୍ଏମ୍ଟି ବିଭାଗ ସୂତ୍ରରୁ ପ୍ରକାଶ। କିନ୍ତୁ ସେ କାହିଁକି ଆତ୍ମହତ୍ୟା କଲେ ତାର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। ଦୀପ୍ତିଲତାଙ୍କ ମା ଯାହା ସବୁ ଅଭିଯୋଗ ଆଣିଛନ୍ତି ତାହା ରାଗିଂ ଓ କଲେଜ କର୍ତ୍ତୃପକ୍ଷଙ୍କ ଉଦାସୀନତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବାରମ୍ବାର ତାଙ୍କୁ ହଇରାଣ ହରକତ କରିବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ଅଭିେଯାଗ ହେଉଛି।