’ର‍୍ୟାଗିଂ ମୁକ୍ତ କ୍ୟାମ୍ପସ୍‌ ଅଭିଯାନ’ ଆରମ୍ଭ : ସମଗ୍ର ରାଜ୍ୟରେ ହେବ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର : ବୁର୍ଲାସ୍ଥିତ ଭିଏସ୍‌ଏସ୍‌ୟୁଟିରେ ନବାଗତ ଛାତ୍ରଙ୍କୁ ରୢାଗିଂ ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ସବୁ କ୍ଷେତ୍ରରୁ ‌ଏହା ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି। ‘ରୢାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ’ ସଂଗଠନ ଏହାର ଦୃଢ଼ ପ୍ରତିବାଦ କରିବା ସହ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। ମହାତ୍ମାଗାନ୍ଧୀ ପାର୍କରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତି ତଳେ ନୀରବ ପ୍ରତିବାଦ, ସଚେତନତା ଓ ଶପଥ ପାଠରୁ ଅଭିଯାନ ଆରମ୍ଭ ହୋଇଛି।

ସଂଗଠନର ଆବାହକ ତେଜେଶ୍ବର ପରିଡ଼ାଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ପ୍ରମୁଖ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ସାମାଜିକ କର୍ମୀ, ଛାତ୍ର ସଂଗଠନର କର୍ମକର୍ତା ପ୍ରମୁଖ ଅଂଶଗ୍ରହଣ କରିବା ସହ ଉତ୍ତରପ୍ରଦେଶ ମେଡିକାଲ୍‌ କଲେଜ୍‌ ଓ ବୁର୍ଲା କଲେଜ୍‌ରେ ହୋଇଥିବା ରୢାଗିଂ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ‌ଶ୍ରୀ ପରିଡ଼ା କହିଛନ୍ତି ଯେ ରୢାଗିଂ କ୍ଷେତ୍ରରେ ସବୁଠୁ ବଡ଼ ସମସ୍ୟା ହେଉଛି, ରିପୋର୍ଟିଂ ‌ନହେବା। ଅନେକ ସ୍ଥାନରେ ଛାତ୍ରମାନେ ରୢାଗିଂର ଶିକାର ହେଉଥିଲେ ମଧ୍ୟ ଏ ସମ୍ପର୍କରେ ଥାନାରେ ରିପୋର୍ଟ ହେଉନାହିଁ। କଲେଜ କର୍ତୃପକ୍ଷଙ୍କୁ ଛାତ୍ରମାନେ ଜଣାଉଥିଲେ ମଧ୍ୟ ସେମାନେ ଅଭିଯୋଗକୁ ଅଣଦେଖା କରୁଛନ୍ତି କିମ୍ବା ହାଲୁକା ଭାବେ ନେଉଛନ୍ତି। ଅଥବା କଲେଜର ଭାବମୂର୍ତି ବିଗିଡ଼ିବା ଆଶଙ୍କାରେ ଅଭିଯୋଗକୁ ଚାପି ଦେଉଛନ୍ତି। ରୢାଗିଂ କରୁଥିବା ଛାତ୍ରମାନଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ କୋହଳ ଥିବାରୁ ଏପରି ଘଟଣା ବାରମ୍ବାର ଘଟୁଛି। ତେଣୁ ଯେଉଁ ଛାତ୍ରମାନେ ଏଭଳି ଘଟଣା ଘଟାଉଛନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ତଥା କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି। ଅଭିଭାବକମାନେ ମଧ୍ୟ କେବଳ ନିଜ ପିଲାକୁ କଲେଜ୍‌ କି ବିଶ୍ବବିଦ୍ୟାଳୟକୁ ପଠେଇ ଦେବା ପରେ ସେମାନଙ୍କ କର୍ତବ୍ୟ ସାରି ‌ନଦେଇ ପିଲାମାନଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର ଦେଖାଇ ତାଙ୍କଠୁ କଥା ଆଳରେ ଶିକ୍ଷାନୁଷ୍ଠାନର ବାତାବରଣ ବାବଦରେ ଅବଗତ ହେବାକୁ ଚେଷ୍ଟା କରିବା ଉଚିତ୍‌ ବୋଲି ଅଭିଯାନର ସହ ଆବାହକ ମୀର ଅହମ୍ମଦ ଅଲ୍ଲୀ କହିଛନ୍ତି। ଥାନାରେ ଆଣ୍ଟି ରୢାଗିଂ ସେଲ୍‌ ପ୍ରତିଷ୍ଠା ସହ ମନସ୍ତତ୍ବବିତ୍‌, ଆଇନ ବିଶାରଦ, ଶିକ୍ଷାବିତ୍‌, ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ସଂଘର ବ୍ୟକ୍ତିବିଶେଷଙ୍କୁ ନେଇ ପିଲାମାନଙ୍କୁ ପରାମର୍ଶ ଦେବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦାବି କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଅଭିଯାନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଆସନ୍ତା ରବିବାର ଭୁବନେଶ୍ବରରେ ରାଜ୍ୟସ୍ତରୀୟ ରୢାଗିଂ ବିରୋଧୀ କର୍ମଶାଳା ଓ ଆଲୋଚନାଚକ୍ର କରାଯିବ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ସଂଗଠନର କର୍ମକର୍ତାମାନେ ବିଭିନ୍ନ ଜିଲ୍ଲାରେ ହଷ୍ଟେଲ୍‌ ଓ କଲେଜ୍‌ରେ ରୢାଗିଂ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ନେଇ ମଧ୍ୟ ପଦକ୍ଷେପ ନିଆଯାଇଛି। ଆଜିର ଏହି ଅଭିଯାନରେ ସତ୍ୟବ୍ରତ ଜେନା, ଗାନ୍ଧୀବାଦୀ ନେତା ପ୍ରହ୍ଲାଦ ସିଂହ, ମଧୁସୂଦନ ଦାସ, ମନୋଜ ଜେନା, ଆର୍ଯ୍ୟଭଟ୍ଟ ମହାନ୍ତି, ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ୟୁନାଇଟେଡ୍‌ ବିପିୟୁଟି ଷ୍ଟୁଡେଣ୍ଟ୍‌ସ ଆସୋସିଏସନ୍‌ର ଆବାହକ ପ୍ରଦୋଷ ପରିଡ଼ା, ତୁଷାରକାନ୍ତିଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର