କେବେ ର‍୍ୟାଗିଂ ମୁକ୍ତ ହେବ କ୍ୟାମ୍ପସ?

ଶିକ୍ଷାବର୍ଷ ଆରମ୍ଭରୁ ଚିଠି ଲେଖିଲା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଓଡ଼ିଶାରେ ସ୍ୱତନ୍ତ୍ର ର‍୍ୟାଗିଂ ପ୍ରତିରୋଧ ଆଇନ ଆଣିବାକୁ ଦାବି

ଭୁବନେଶ୍ୱର : ସାରା ଦେଶରେ ଚିନ୍ତା ବଢ଼ାଇଲାଣି ର‍୍ୟାଗିଂ। ମଧ୍ୟପ୍ରଦେଶ ହେଉ କି ଉତ୍ତର ପ୍ରଦେଶ ଅଥବା ଓଡ଼ିଶା। ସବୁଠି ପ୍ରତିବର୍ଷ ବଢ଼ି ଚାଲିଛି ର‍୍ୟାଗିଂ ଅଭିଯୋଗ। ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଥିରେ ରୋକ ଲଗାଯାଇ ପାରିନାହିଁ। ୨୦୧୯ ମସିହାରେ ବି ଦେଶର ବିଭିନ୍ନ ରାଜ୍ୟରେ ର‍୍ୟାଗିଂ ବଢ଼ିଥିବା ଜଣାପଡିଛି।

ସବୁଠାରୁ ବଡ଼ କଥା ହେଉଛି ଯେ ଇତିମଧ୍ୟରେ ର‍୍ୟାଗିଂ ଯୋଗୁଁ ଦେଶରେ ବହୁ ଛାତ୍ରଛାତ୍ରୀଙ୍କ ଜୀବନ ଗଲାଣି। ଆଉ କିଛି ପିଲା ମାନସିକ ଭାରସାମ୍ୟ ହରାଇ ବସିଲେଣି।ର‍୍ୟାଗିଂକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକାଧିକ ଥର ଚିଠି ଲେଖାଯିବା ପରେ ବି ବହୁ କ୍ୟାମ୍ପସ୍‌ରେ ଏବେବି ର‍୍ୟାଗିଂ ହେଉଛି। ଗତ ୫ ବର୍ଷରେ କେବଳ ଦେଶର ମେଡିକାଲ କଲେଜରେ ୬୮୨ଟି ଅଭିଯୋଗ ଆସିଛି। ଏହି ତାଲିକାରେ ଓଡ଼ିଶା ଚାରି ନମ୍ବର ସ୍ଥାନରେ ରହିଛି। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ବି ସମାନ ସ୍ଥିତି ଲାଗିରହିଛି। ଗତ କିଛି ମାସ ଭିତରେ ଓଡ଼ିଶାର ଭିଏସଏସୟୁଟି, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ର‍୍ୟାଗିଂ ହୋଇଥିବା ନେଇ ଅଭିଯୋଗ ଆସିଛି। କିଛି ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହୋଇଛି।

ଆଗକୁ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ତେଣୁ କ୍ୟାମ୍ପସକୁ କିଭଳି ର‍୍ୟାଗିଂ ମୁକ୍ତ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନିର୍ଦେଶ ଦିଆଯାଇଛି।

ର‍୍ୟାଗିଂ ନେଇ କରାଯାଇଥିବା ବିଭିନ୍ନ ନିୟମ ଓ ଏହାର ଦଣ୍ଡ ବ୍ୟବସ୍ଥା ବାବଦରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିବା, ସ୍ଲୋଗାନ୍ ଲିଖନ ପ୍ରତିଯୋଗିତା ଆୟୋଜନ କରିବାକୁ ବି ବିଶ୍ୱବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଯାହା ଛାତ୍ରଛାତ୍ରୀଙ୍କ ମନ ଭିତରେ ର‍୍ୟାଗିଂ ବିରୋଧରେ ସଚେତନତା ସୃଷ୍ଟି କରିପାରିବ।

ସେହିପରି ର‍୍ୟାଗିଂ ରୋକିବାକୁ ସମସ୍ତ ପଦକ୍ଷେପ ନେବାକୁ ୨୦୧୯ ଜୁନ୍ ୨୭ ତାରିଖରେ ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ୍ ଦେଶର ସମସ୍ତ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି ଲେଖିଥିଲେ। ଏଥିରେ ୟୁଜିସିର ଗାଇଡଲାଇନ୍ ବାବଦରେ ଦର୍ଶାଇଥିଲେ। ଏହି ନିୟମ ଅନୁସାରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏକ ର‍୍ୟାଗିଂ ନିରୋଧ ସେଲ୍ ଗଠନ କରାଯିବ, ଯେଉଁଥିରେ ବରିଷ୍ଠ ପ୍ରାଧ୍ୟାପକଙ୍କ ସହ ଛାତ୍ର ପ୍ରତିନିଧି ରହିବେ। ର‍୍ୟାଗିଂ ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ନାମଲେଖା ସମୟରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିବାକୁ ପଡ଼ିବ।

ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ବିଭିନ୍ନ କୋଣ ଅନୁକୋଣରେ ଆଲାରାମ୍‍ ବେଲ୍‌ ଓ ସିସିଟିଭି କ୍ୟାମେରା ଲଗାଇବାକୁ ୟୁଜିସି ପରାମର୍ଶ ଦେଇଛି। ୟୁଜିସି ଗାଇଡଲାଇନ୍‍ ଅନୁସାରେ ର‍୍ୟାଗିଂ ପ୍ରମାଣିତ ହେଲେ ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ରଦ୍ଦ କରାଯାଇପାରିବ। ସେହିପରି ଶିକ୍ଷାନୁଷ୍ଠାନରୁ ମିଳୁଥିବା ବୃତ୍ତି ବନ୍ଦ, ପରୀକ୍ଷା ଫଳ ସ୍ଥଗିତ, ହଷ୍ଟେଲ୍‌ରୁ ବହିଷ୍କାର, ୨ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଜରିମାନା ଦଣ୍ଡ ଦିଆଯାଇପାରିବ। କଲେଜଗୁଡ଼ିକ ନିଜର ଫୋନ୍‍ ନମ୍ୱର ସହ ୟୁଜିସି ତରଫରୁ ସହାୟତା ପାଇଁ ୦୧୧-୨୩୨୩୨୭୦୧/ ୨୩୨୩୬୭୩୫/ ୨୩୨୩୯୪୩୭ ନମ୍ୱର ଦିଆଯାଇଛି। ନ୍ୟାସନାଲ୍‍ ର‍୍ୟାଗିଂ ହେଲ୍‌ପ ଲାଇନ୍‍ ନମ୍ୱର ଭାବେ ୧୮୦୦-୧୮୦-୫୫୨୨ ଜାରି ହୋଇଛି।

ର‍୍ୟାଗିଂ ରୋକିବା ପାଇଁ ଦେଶର କେତେକ ରାଜ୍ୟ ସ୍ୱତନ୍ତ୍ର ଆଇନ ଆଣିଛନ୍ତି। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶରେ ର‍୍ୟାଗିଂ ପ୍ରତିରୋଧ ଆଇନ କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶା ସରକାର ଏଭଳି ଏକ ଆଇନ ଆଣନ୍ତୁ, ଯାହାଦ୍ୱାରା ର‍୍ୟାଗିଂକୁ ରୋକାଯାଇପାରିବ ବୋଲି ର‍୍ୟାଗିଂମୁକ୍ତ କ୍ୟାମ୍ପସ ଅଭିଯାନର ଆବାହକ ତେଜେଶ୍ୱର ପରିଡ଼ା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର