ରେଭେନ୍ସାରେ ର‍୍ୟାଗିଂ ଅଭିଯୋଗ : ଫେସ୍‌ବୁକ୍‌ରେ ପୋଷ୍ଟ ଓ କମେଣ୍ଟ୍‌କୁ ନେଇ ବିବାଦ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁଣି ଆସିଛି ର‍୍ୟାଗିଂ ଅଭିଯୋଗ। ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର ତଥା ନିଉ ହଷ୍ଟେଲ ଅନ୍ତବାସୀ ସୂର୍ଯ୍ୟଭାନୁ ମହାପାତ୍ରଙ୍କୁ ଏମ୍‌ବିଏ ବିଭାଗର ଜଣେ ଛାତ୍ର ମାଡ ମାରିବା ସହ ହତ୍ୟା ଧମକ ଦେଇଥିବା ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଛାତ୍ର ଜଣକ ବଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ୟୁଜିସି ଓ ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ଫେସ୍‌ବୁକ୍‌ର ଏକ ପୋଷ୍ଟକୁ ନେଇ ଏପରି ବିବାଦ ସୃଷ୍ଟି ହୋଇଥିବା ସୂଚନା ମଳିଛି।

ସୂଚନା ଅନସାରେ, ଗତକାଲି ସ୍ୱାଧୀନତା ଦିବସ ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଛାତ୍ର ସଂଗଠନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହା ପୂର୍ବରୁ ଛାତ୍ର ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ ବିଷୟରେ ଫେସ୍‌ବୁକ୍‌ରେ ପୋଷ୍ଟ ହୋଇଥିଲା। ପୋଷ୍ଟରେ ସଂଗଠନର ନାମ ଲେଖିବା ବିଷୟକୁ ସୂର୍ଯ୍ୟଭାନୁ ନାପସନ୍ଦ କରି ତ୍ରିରଙ୍ଗାକୁ ନୁହେଁ ସଂଗଠନକୁ ଗୁରୁତ୍ୱ ଦିଆଯାଉଛି ବୋଲି ଲେଖିଥିଲେ। ଏହାକୁ ବିରୋଧ କରି ଅଭିଯୁକ୍ତ ଛାତ୍ର ୧୪ ତାରିଖ ରାତିରେ ସୂର୍ଯ୍ୟଭାନୁଙ୍କ ହଷ୍ଟଲକୁ ଯାଇ ଫେସ୍‌ବୁକ୍‌ରେ ତାଙ୍କ କମେଣ୍ଟକୁ ଡିଲିଟ୍‌ କରିବାକୁ କହଥିଲେ। ଏହାସହ ଅଭିଯୁକ୍ତ ଛାତ୍ର ତାଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଥିବା ସୂର୍ଯ୍ୟଭାନୁ ଥାନରେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ସୂର୍ଯ୍ୟଭାନୁଙ୍କୁ ଉକ୍ତ ଛାତ୍ର ସଂଗଠନରେ ଯୋଗ ଦେବାକୁ ଅଭିଯୁକ୍ତ ଛାତ୍ର ବାରମ୍ବାର କହୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ ଗତକାଲି ୟୁଜିସି ପକ୍ଷରୁ ଘଟଣାର ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁୁ ନିର୍ଦ୍ଦେଶ ଆସିଥିଲା। ଆଜି ଅପରାହ୍ନରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ର ଓ ଅଭିଯୁକ୍ତ ଛାତ୍ରଙ୍କ ସହିତ ନିଉ ହଷ୍ଟଲର କର୍ମଚାରୀ, ଓ୍ଵାଡେନ, ଘଟଣା ସମୟରେ ଉପସ୍ଥିତ ଥିବା ଛାତ୍ରଙ୍କୁ ଡକାଯାଇ ସେମାନଙ୍କ ପକ୍ଷ ରଖିବାକୁ କୁହାଯାଇଥିଲା। ଆଜି ଦୁଇ ପକ୍ଷଙ୍କ ମତକୁ ରେକର୍ଡ କରାଯାଇଛି। ପ୍ରାଥମିକ ରିପୋର୍ଟ ୟୁଜିସିକୁ ପଠାଯାଇଥିବା ବେଳେ ଆଗକୁ ଘଟଣାର ଅନ୍ୟ ଦିଗକୁ ତଦନ୍ତ କରାଯିବା ସହ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ। ରିପୋର୍ଟକୁ କୁଳପତିଙ୍କ ଅନୁମୋଦନ ମିଳିବା ପରେ ପୁଣି ୟୁଜିସିକୁ ପଠାଯିବ ବୋଲି ବିଶ୍ୱବିଦ୍ୟାଳୟ ଡିଏସ୍‌ଡବ୍ଲୁ ଡକ୍ଟର ରିତା ପାଇକରାୟ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଛାତ୍ରଙ୍କୁ ଆଜି ଥାନାକୁ ଡକାଯାଇ ସିଆରପିସି ୪୧ ଧାରା ଅନୁସାରେ ନୋଟିସ୍‌ ଦେଇ ଛଡା ଯାଇଥିବା ଥାନା ଅଧିକାରୀ ଦେବୀପ୍ରସାଦ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର