ଭିମ୍‌ସାରରେ ରୢାଗିଂ!

ଏମ୍‌ସିଆଇରେ ଅଭିଯୋଗ ପରେ ତନାଘନା, ତଦନ୍ତ ପରେ କ୍ଲିନ୍‌ଚିଟ୍‌ ଦେଲେ କର୍ତ୍ତୃପକ୍ଷ‌

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ରେ ରୢାଗିଂକୁ ନେଇ ଚର୍ଚ୍ଚା ଥମୁନି। ଏଭଳି ସମୟରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ରେ ବି ରୢାଗିଂ ଅଭିଯୋଗ ଆସିଛି। ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ହଷ୍ଟେଲରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗତ ୨୯ ତାରିଖରେ ଭିମ୍‌ସାର ପରିସର ବାହାରେ ଥିବା ଏକ ଢାବାରେ ନିଶାସକ୍ତ ଅବସ୍ଥାରେ ଜଣେ ଚତୁର୍ଥ ବର୍ଷ ଓ ଜଣେ ଦ୍ବିତୀୟ ବର୍ଷ ଛାତ୍ରଙ୍କ ମଧ୍ୟରେ ବଚସା ଓ ମାଡ଼ପିଟ ହୋଇଥିଲା। ଉଭୟ ଛାତ୍ର ହଷ୍ଟେଲକୁ ଫେରିବା ପରେ ସଂପୃକ୍ତ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ‌ହଷ୍ଟେଲର ଏକ କୋଠରିରେ ଭର୍ତ୍ତି କରାଯାଇ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ତାଙ୍କ କାନରେ ଆଘାତ ଲାଗିଥିବା ମଧ୍ୟ କୁହାଯାଉଛି। ଏହାର ସତ୍ୟତା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ମେଡିକାଲ କାଉନ୍‌ସିଲରେ ଏ ନେଇ ଅଭିଯୋଗ ହେବା ପରେ ଗତ ୨ ଦିନ ହେଲା, ଭିମ୍‌ସାର ରୢାଗିଂ ନିରୋଧ ସେଲ୍‌ ମଧ୍ୟ ଚଳଚଞ୍ଚଳ ହୋଇ ପଡ଼ିଥିଲା। ମାଡ଼ ଖାଇଥିବା ଛାତ୍ରଙ୍କ ନାମ ଗୋପନ ରଖାଯାଇଥିବାରୁ ତଦନ୍ତ ପୂର୍ବରୁ ପ୍ରଥମେ ଉକ୍ତ ଛାତ୍ରଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ଡିନ୍‌ ପ୍ରଫେସର ବ୍ରଜ ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ରୢାଗିଂ ନିରୋଧ ସେଲ୍‌ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ବିଭାଗୀୟ ପ୍ରମୁଖ, ୟୁଜି ଛାତ୍ର ପ୍ରତିନିଧି, ପ୍ରଥମ ବର୍ଷ ଛାତ୍ର ପ୍ରତିନିଧିଙ୍କ ସହିତ ଉଭୟ ଛାତ୍ର ଓ ସେମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ। ବୈଠକ ପରେ ଡିନ୍‌ କହିଛନ୍ତି, ଚତୁର୍ଥ ଏବଂ ଦ୍ବିତୀୟ ବର୍ଷ ଛାତ୍ରଙ୍କ ମଧ୍ୟରେ ହୋଇଥିବା ଏହି ମାଡ଼ପିଟ୍‌ ଭିମସାର ବାହାରେ ହୋଇଥିବା ନେଇ ଉଭୟ ଛାତ୍ର ସମସ୍ତଙ୍କ ଉପସ୍ଥିତିରେ ଲିଖିତ ଭାବରେ ଜଣାଇଛନ୍ତି। ଆବଶ୍ୟକସ୍ଥଳେ ଏହାକୁ ଶୃଙ୍ଖଳା କମିଟିକୁ ପଠାଯିବ। ବର୍ତ୍ତମାନ ସ୍ଥିତିରେ କାହା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣାପଡ଼ିଛି। ଆଗକୁ କିଛି କାର୍ଯ୍ୟାନୁଷ୍ଠାନ ହେବ କି ନା, ସେ ନେଇ ମଧ୍ୟ ଡିନ୍‌ କିଛି ସ୍ପଷ୍ଟ କରିନାହାନ୍ତି। କିନ୍ତୁ ଉଭୟ ଛାତ୍ର ବିଳମ୍ବିତ ରାତିରେ ଢାବାକୁ ଯିବା ଓ ସେଠାରେ ଗଣ୍ଡଗୋଳ ହେବା ସଂପର୍କରେ ଛାତ୍ରାବାସ ୱାର୍ଡନ ଅବଗତ ଥିଲେ ନା ନାହିଁ ବୋଲି ପ୍ରଶ୍ନ ଉଠିଛି।

ଏଥିପୂର୍ବରୁ ୨୦୧୮ ମସିହା ଅକ୍ଟୋବର ୯ ତାରିଖରେ ଭିମ୍‌ସାର ରୢାଗିଂ ସେଲ୍‌ରେ ହୋଇଥିବା ଏକ ଅଭିଯୋଗ ଆଧାରରେ ୨୩ ଜଣ ୟୁଜି ଛାତ୍ରଙ୍କୁ ମାସେ ପାଇଁ କ୍ଲାସ ବାରଣ କରାଯାଇଥିଲା। କିନ୍ତୁ ଏହା ପ୍ରତିବାଦରେ ଅକ୍ଟୋବର ୧୧ ତାରିଖରେ ୟୁଜି ଛାତ୍ରମାନେ ସାମୂହିକ କ୍ଲାସ ବର୍ଜନ ସହିତ ଭିମ୍‌ସାରକୁ ଅଚଳ କରି ଦେଇଥିଲେ। ରୢାଗିଂ କମିଟି ପୁନର୍ଗଠନର ପ୍ରତିଶ୍ରୁତି ପରେ ସେହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର