ବ୍ରହ୍ମପୁର : ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଗିଂ ଘଟଣାରେ ୯ ଜଣ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ସଂପୃକ୍ତ ଛାତ୍ରଙ୍କୁ ୭ଦିନ ପାଇଁ ବିଦ୍ୟାଳୟରୁ ନିଲମ୍ବିତ କରାଯାଇଛି। ଗତ ସେପ୍ଟେମ୍ବର ମାସରେ ହୋଇଥିବା ରାଗିଂ ଘଟଣାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ, ଶନିବାର ଦିନ ଜଣେ ଛାତ୍ରୀ ଆଣିଥିବା ରାଗିଂ ଘଟଣା ସଂପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।
ଗତ ସେପ୍ଟେମ୍ବର ମାସରେ ଶିକ୍ଷାନୁଷ୍ଠାନରେ ରାଗିଂ ହୋଇଥିବା ନେଇ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସଂପୃକ୍ତ ଛାତ୍ରଙ୍କୁ ତାଗିଦ୍ କରିବା ସତ୍ତ୍ବେ ବି ସେମାନଙ୍କ ଆଚରଣରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏହି ଘଟଣାରେ ଏହି ଗୋଷ୍ଠୀଙ୍କ ସହ ଅନ୍ୟ ତିନିଜଣ ଛାତ୍ର ବି ସାମିଲ ରହିଥିଲେ। ଏଥିନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସର ସହାୟତା ଲୋଡ଼ିଥିଲେ। ଏହା ଶିକ୍ଷାନୁଷ୍ଠାନର ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ, ପୁଲିସ ହସ୍ତକ୍ଷେପ କରି ନଥିଲା। ରାଗିଂରେ ସଂପୃକ୍ତ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରିଥିଲେ। ରାଗିଂ ଘଟଣା ଗଣମାଧ୍ୟମରେ ପ୍ରଘଟ ହୋଇଯିବା ପରେ ଅଧ୍ୟକ୍ଷ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୯ଛାତ୍ରଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଦ୍ୟାଳୟରୁ ନିଲମ୍ବିତ କରିଥିବା ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଅନ୍ୟପକ୍ଷରେ, ଗତ ଶନିବାର ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରୀ ଆଣିଥିବା ରାଗିଂ ଘଟଣାରେ ନିଲମ୍ବିତ ଛାତ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଧ୍ୟକ୍ଷ ଡ.ରାଧାକାନ୍ତ ନାୟକଙ୍କ ପ୍ରତିକ୍ରିୟା ନେବାରୁ ଛାତ୍ରୀଜଣକ ନିଜ ଅଭିଯୋଗପତ୍ରରେ କୌଣସି ନିର୍ଦ୍ଦିଷ୍ଟ ଛାତ୍ରଙ୍କ ନାମ ଉଲ୍ଲେଖ କରିନାହାନ୍ତି। କେବଳ କିଛି +୨ଶେଷବର୍ଷ ଛାତ୍ର ବୋଲି ଦର୍ଶାଇଛନ୍ତି। ଏହାର ତଦନ୍ତ ଦାୟିତ୍ବ ଶିକ୍ଷାନୁଷ୍ଠାନର ଆଣ୍ଟି ରାଗିଂ କମିଟିକୁ ପ୍ରଦାନ କରାଯାଇଛି। ଉକ୍ତ କମିଟି ରିପୋର୍ଟ ପ୍ରଦାନ କରିବା ପରେ କାହାର ସମ୍ପୃକ୍ତି ଅଛି ତାହା ସ୍ପଷ୍ଟ ହେବ। ତଦନ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଉକ୍ତ କମିଟି ଆସନ୍ତାକାଲି ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ମିଳିଛି।
ତେବେ, ସାମ୍ନାକୁ ଆସିଥିବା ଦୁଇଟି ରାଗିଂ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଆହୁରି କେତେ ଜଣ ଛାତ୍ରୀଙ୍କୁ ଉକ୍ତ ଗୋଷ୍ଠୀର ଛାତ୍ରମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା, ଶିକ୍ଷାନୁଷ୍ଠାନ ପରିସରରେ ନାନାଦି ବିଶୃଙ୍ଖଳିତ ଆଚରଣ କରିବା, ଏପରିକି ଶିକ୍ଷକମାନଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥିବା ନେଇ ବହୁ ଅଭିଯୋଗ ହୋଇଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସେମାନଙ୍କ ଦୁଷ୍ଟାମି ବୃଦ୍ଧି ପାଇବାରେ ଲାଗିଥିବା କୁହାଯାଉଛି।