ରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି

ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି

ଭୁବନେଶ୍ବର : ରାଗିଂ ପାଇଁ ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗ ସୋମବାର ଦିନ ବିଧାନସଭାରେ ଉଠିଥିଲା। ଘଟଣାର ତିନି ଦିନ ପରେ ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରି ନ ଥିବାରୁ ବିରୋଧୀ ଭତ୍ସ‌ର୍ନା କରିଥିଲେ। ପୁଲିସ୍ ଓ ଉଚ୍ଚଶିକ୍ଷା ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଥିଲେ। ରୁଚିକାଙ୍କ ବାପା-ମା’ଙ୍କ ଦାବି ଅନୁଯାୟୀ ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି ହୋଇଥିଲା। ଏହି ପ୍ରସଙ୍ଗରେ ଗୃହ ରାଷ୍ଟ୍ର ମନ୍ତ୍ରୀ ବିବୃତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେବା ପରେ ପରିସ୍ଥିତିରେ ସୁଧାର ଆସିଥିଲା।

ସୋମବାର ଦିନ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ଠିଆ ‌ହୋଇ ରାଗିଂ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। କିନ୍ତୁ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବେ ବୋଲି କହି ବାଚସ୍ପତି ପ୍ରଶ୍ନକାଳ ଚାଲୁ କରିଥିଲେ। ସଞ୍ଜୀବ ମଲ୍ଲିକଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ କହିଥିଲେ। ବିରୋଧୀ ସଭ୍ୟମାନେ ଏଥିରେ ଅସନ୍ତୋଷ ପ୍ରକାଶ କରି ଗୃହ ମଧ୍ୟ ଭାଗକୁ ଆସି ‌ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ଯାଏ ମୁଲତବୀ ରଖିଥିଲେ।

dtnext.in

ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ‌ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ବିଜେବି କଲେଜ ରାଗିଂ ଘଟଣା ଅତ୍ୟନ୍ତ ସ୍ପର୍ଶକାତର। ଏହା ରାଜ୍ୟରେ ଆଇନଶୃଙ୍ଖଳା ଓ ଉଚ୍ଚଶିକ୍ଷା ବିଭାଗର ଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛି। ରାଗିଂ ଓ ଛାତ୍ରଛାତ୍ରୀଙ୍କ ଅପମୃତ୍ୟୁ ନିଶ୍ଚିତ ଭାବେ ରାଜ୍ୟ ପାଇଁ ଲଜ୍ଜାଜନକ। ବିଜେବି କଲେଜରେ ରାଗିଂ ଘଟଣାକୁ ଅଧ୍ୟକ୍ଷ, ଅଧୀକ୍ଷକ ଜାଣିପାରିଲେ ନାହିଁ କେମିତି? ଅତୀତରେ ଯେତେ ରାଗିଂ ଅଭିଯୋଗ ହୋଇଛି, ତାହାର ତଦନ୍ତ ସରୁନି। ବିଜେବି କଲେଜ ଘଟଣାରେ ପୁଲିସ ଏ ଯାଏ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ। ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ଶ୍ରୀ ମାଝୀ ଦାବି କରିଥିଲେ।

କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହିଥିଲେ, ବିଜେବି କଲେଜ ପରି ଆଗଧାଡ଼ିର ଶିକ୍ଷାନୁଷ୍ଠାନରେ ଏପରି ଘଟଣା ଆଦୌ ଗ୍ରହଣୀୟ ନୁହେଁ। ତିନି ‌ଦିନ ହେଲା ପୁଲିସ କରୁଛି କ’ଣ? ବିଜେବି କଲେଜରେ ଆଣ୍ଟି ରାଗିଂ କମିଟି କରୁଥିଲା କ’ଣ? ରାଗିଂ ରୋକିବାକୁ ଆମ ରାଜ୍ୟରେ କଡ଼ା ଆଇନ ପ୍ରଣୟନ କରାଯାଉ।

odishabytes.com

ବିରୋଧୀ ଦଳ ଉପ‌ନେତା ବିଷ୍ଣୁ ସେଠୀ କହିଥିଲେ ଯେ ରାଗିଂ ପରି ସମ୍ବେଦନଶୀଳ ଘଟଣାକୁ ଏଡ଼ାଇଯିବା ଅର୍ଥ ଦେଶର ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା। ଖୋଦ୍ ରାଜଧାନୀରେ ଏକ ଅଗ୍ରଣୀ କଲେଜରେ ଏପରି ଘଟଣା ପ୍ରମାଣିତ କରୁଛି ଯେ ରାଜ୍ୟରେ ଆଇନଶୃଙ୍ଖଳା ଓ ଶିକ୍ଷା ବ୍ୟବସ୍ଥା କିପରି ଭୁଶୁଡ଼ିଯାଇଛି। ଜଣେ ବାପା ହିସାବରେ ମୁଁ ଏହି ଘଟଣାରେ ମର୍ମାହତ। ରାଗିଂ ପରି କୁତ୍ସିତ ମାନସିକତାକୁ ପ୍ରତ୍ୟାହାର କରିବାର ଆବଶ୍ୟକତା ରହିଛି। ଏହି ମାମଲାର ସିବିଆଇ ତଦନ୍ତ କରାଯାଉ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ ଅତୀତରେ ଏହି ଗୃହରେ ରାଗିଂ ଉପରେ ଆଲୋଚନା ହୋଇଥିଲା। ସରକାର କଠୋର ଆଇନ ଆଣିବାକୁ ଦାବି ହୋଇଥିଲା। କିନ୍ତୁ ତାହା କଲେ ନାହିଁ। ଆଣ୍ଟି ରାଗିଂ ସ୍କ୍ବାଡ୍ କାମ କରୁନି। ଯେଉଁ ବାପା-ମା’ ନିଜ ପିଲାକୁ ହରାଇଛନ୍ତି, ସେହି ଦୁଃଖ ସେ ବୁଝିପାରିଛନ୍ତି। ତୁରନ୍ତ ଏ ସଂକ୍ରାନ୍ତରେ ଏକ ବିଲ୍‌ ଆଣିବାକୁ ଶ୍ରୀ ବାହିନୀପତି ଦାବି କରିଥିଲେ।କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଉଦ୍‌ବେଗ ପ୍ରକାଶ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ।

ସମ୍ବନ୍ଧିତ ଖବର