ଭିସୁଟ୍‌ ଛାତ୍ରଙ୍କୁ ରାଗିଂ ଭିଡ଼ିଓ ଭାଇରାଲ ଘଟଣା: କୁଳପତି କହିଲେ- ତଦନ୍ତ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ବେଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ କ୍ରତୁ ଛାତ୍ରାବାସର ଦ୍ଵିତୀୟ ବର୍ଷ ବିଟେକ୍‌ ଛାତ୍ରଙ୍କୁ ରାଗିଂ କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଖୋଦ୍‌ କୁଳପତି ପ୍ରଫେସର ଅଟଳ ଚେଧୁରୀ, କୁଳସଚିବ ଉପମା କାଲୋ ଓ ବିଶ୍ୱବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ଛାତ୍ରାବାସକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ଏହି ସମୟରେ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରିଥିବା ୧୦ ଜଣ ଛାତ୍ରଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ତଦନ୍ତ ପରେ କୁଳପତିଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟରେ ଆଣ୍ଟିଂ ରାଗିଂ କମିଟି, ମେଡିକାଲ ବଣ୍ଡ୍‌ ଓ ଡିସିପ୍ଲିନାରି କମିଟିର ଜରୁରୀ ବେଠକ ବସିଛିଯ ଛାତ୍ରାବାସର ଓ୍ଵାର୍ଡେନ୍‌ ଓ କିଛି ଛାତ୍ରଙ୍କୁ ଡକାଇ ପଚରାଉଚରା ଜାରି ରହିଛି।

ତେବେ ଏହି ଘଟଣାର ସତ୍ୟତା ଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ସୂଚନା ମିଳିଛି। ସେପଟେ, ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ ପରିସ୍ଥିତି ଅଶାନ୍ତ ଥିବାରୁ ପୁଲିସ୍‌ ମୁତୟନ କରାଯାଇଛି। ବିଶ୍ୱବିଦ୍ୟାଳୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ଗଣମାଧ୍ୟମକୁ ସୂଚନା ଦେଇ କୁଳପତି ପ୍ରଫେସର ଚେଧୁରୀ କହିଛନ୍ତି ଯେ, ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି ଏବଂ ତଦନ୍ତ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ଭାଇରାଲ ହୋଇଥିବା ୫ଟି ଭିଡିଓ ଗତ ରବିବାର ଛାତ୍ରାବାସରେ ଚାଲିଥିବା କୌଣସି କାର୍ଯ୍ୟକ୍ରମ ସମୟର ବୋଲି ଜଣାପଡ଼ିଛି। ଏହି ଭିଡିଓ ମଧ୍ୟରୁ ୧୩ ସେକେଣ୍ଡର ଏକ ଭିଡିଓରେ ପ୍ରଥମ ବର୍ଷର ଛାତ୍ରଙ୍କୁ ଅର୍ଧ ନଗ୍ନ କରି ନୃତ୍ୟ କରିବାକୁ କୁହାଯାଉଥିବା ବେଳେ ୪୨ ସେକେଣ୍ଡର ଭିଡିଓରେ କିଛି ତୃତୀୟ ବର୍ଷର ଛାତ୍ର ଦ୍ଵିତୀୟ ଓ ପ୍ରଥମ ବର୍ଷର ଛାତ୍ରଙ୍କ ପ୍ୟାଣ୍ଟ ଓ ସାର୍ଟ ଚିରୁଥିବାରୁ ଦୃଶ୍ୟ ରହିଛି। ତେବେ ଏହି ୫ଟି ଭିଡିଓ ମଧ୍ୟରୁ ଭାଇରାଲ ହୋଇଥିବା ୬ ସେକେଣ୍ଡର ଭିଡିଓରେ ସାଂଘାତିକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ଛାତ୍ରଙ୍କୁ କାନ ଧରି ନୃତ୍ୟ କରିବାକୁ କୁହାଯାଉଛି ଓ କିଛି ସିନିୟର ଛାତ୍ର ସେଠାରେ ଉପସ୍ଥିତ ରହି ଏଥିପାଇଁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର