ଭିସୁଟ୍‌ ଛାତ୍ରଙ୍କୁ ରାଗିଂ ଭିଡ଼ିଓ ଭାଇରାଲ ଘଟଣା: ବର୍ଷେ ଯାଏଁ ପରୀକ୍ଷା ଦେଇପାରିବେନି ୧୦ ଛାତ୍ର

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ କ୍ରତୁ ଛାତ୍ରାବାସର ଦ୍ଵିତୀୟ ବର୍ଷ ବିଟେକ୍‌ ଛାତ୍ରଙ୍କୁ ରାଗିଂ କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ଓ ଆଣ୍ଟିଂ ରାଗିଂ କମିଟି ଗୁରୁବାର କଡ଼ାକାର୍ଯ୍ୟାନୁଷ୍ଠାନ ନେଇଛି। ସୂଚନା ଅନୁସାରେ ଘଟଣା ସହିତ ଜଡ଼ିତ ୧୦ ଜଣ ଛାତ୍ର ବର୍ଷେ ଯାଏଁ କୌଣସି ପରୀକ୍ଷା ଦେଇ ପାରିବେ ନାହିଁ। ସେହିଭଳି ୫୨ ଜଣ ଛାତ୍ର ୨ ହଜାର ଟଙ୍କା ଲେଖାଏଁ ଜରିମାନା ଦେବେ।

ଭିଡିଓ ଭାଇରାଲ ଖବର ଗଣମାଧ୍ୟମରେ ପ୍ରସାରଣ ପରେ ଖୋଦ୍‌ କୁଳପତି ପ୍ରଫେସର ଅଟଳ ଚେଧୁରୀ, କୁଳସଚିବ ଉପମା କାଲୋ ଓ ବିଶ୍ୱବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ଛାତ୍ରାବାସକୁ ଯାଇ ଘଟଣାର ତଦନ୍ତ କରିଥିଲେ। ଏହି ସମୟରେ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରିଥିବା ୧୦ ଜଣ ଛାତ୍ରଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିଲା। ତଦନ୍ତ ପରେ କୁଳପତିଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟରେ ଆଣ୍ଟିଂ ରାଗିଂ କମିଟି, ମେଡିକାଲ ବଣ୍ଡ୍‌ ଓ ଡିସିପ୍ଲିନାରି କମିଟିର ଜରୁରୀ ବୈଠକ ବସିଥିଲା।

ଭାଇରାଲ ହୋଇଥିବା ୫ଟି ଭିଡିଓ ଗତ ରବିବାର ଛାତ୍ରାବାସରେ ଚାଲିଥିବା କୌଣସି କାର୍ଯ୍ୟକ୍ରମ ସମୟର ବୋଲି ଜଣାପଡ଼ିଛି। ଏହି ଭିଡିଓ ମଧ୍ୟରୁ ୧୩ ସେକେଣ୍ଡର ଏକ ଭିଡିଓରେ ପ୍ରଥମ ବର୍ଷର ଛାତ୍ରଙ୍କୁ ଅର୍ଧ ନଗ୍ନ କରି ନୃତ୍ୟ କରିବାକୁ କୁହାଯାଉଥିବା ବେଳେ ୪୨ ସେକେଣ୍ଡର ଭିଡିଓରେ କିଛି ତୃତୀୟ ବର୍ଷର ଛାତ୍ର ଦ୍ଵିତୀୟ ଓ ପ୍ରଥମ ବର୍ଷର ଛାତ୍ରଙ୍କ ପ୍ୟାଣ୍ଟ ଓ ସାର୍ଟ ଚିରୁଥିବାରୁ ଦୃଶ୍ୟ ରହିଛି। ତେବେ ଏହି ୫ଟି ଭିଡିଓ ମଧ୍ୟରୁ ଭାଇରାଲ ହୋଇଥିବା ୬ ସେକେଣ୍ଡର ଭିଡିଓରେ ସାଂଘାତିକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ଛାତ୍ରଙ୍କୁ କାନ ଧରି ନୃତ୍ୟ କରିବାକୁ କୁହାଯାଉଛି ଓ କିଛି ସିନିୟର ଛାତ୍ର ସେଠାରେ ଉପସ୍ଥିତ ରହି ଏଥିପାଇଁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର