ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ତଥ୍ୟ, ରଘୁବୀର ଦାଶ କମିସନଙ୍କ ରିପୋର୍ଟ ଆଦି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ପ୍ରଦାନ କରୁନଥିବା ଅଭିଯୋଗରେ ଦାୟର ମାମଲାର ସୋମବାର ଦିନ ଶୁଣାଣି କରିଛନ୍ତି ସୂଚନା ଆୟୁକ୍ତ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ଅଧିକାରୀ ଆଜି ଉପସ୍ଥିତ ନ ରହିବାରୁ ଆସନ୍ତା ଜୁଲାଇ ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଏହିଦିନ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିର ହେବାକୁ ସୂଚନା ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଜରିଆରେ ସୂଚନା ଆୟୁକ୍ତଙ୍କ ନିକଟରେ ନିଜର ଜବାବ ରଖିଛି। ଏହି ସତ୍ୟପାଠ ଉପରେ ଆବେଦନକାରୀ ସନ୍ଦେହ ପ୍ରକଟ କରିବା ସହ ଏହାର ବିଧିବଦ୍ଧ ଯାଞ୍ଚ ପାଇଁ ଆୟୁକ୍ତଙ୍କୁ ନିବେଦନ କରିଛନ୍ତି।

ସୂଚନା ମୁତାବକ, ରତ୍ନଭଣ୍ଡାର ସମ୍ପର୍କରେ ରଘୁବୀର ଦାଶ କମିସନଙ୍କ ତଦନ୍ତ ରିପୋର୍ଟ(କେସ୍‌ ନଂ-୪୨୪/୨୦୨୨), ୨୦୧୮ ଏପ୍ରିଲ ୪ରେ ଭୁବନେଶ୍ବରରେ ବସିଥିବା ବୈଠକର ଚିଠି(କେସ୍‌ ନଂ-୭୦୨/୨୦୨୨), ୧୯୮୨ ମସିହାରେ ରତ୍ନଭଣ୍ଡାର ଯାଞ୍ଚର ରିପୋର୍ଟ(କେସ୍‌ ନଂ-୭୨୯/୨୦୨୨) ଓ ୧୯୮୫ ମସିହାରେ ରତ୍ନଭଣ୍ଡାର ଯାଞ୍ଚର ରିପୋର୍ଟ(୭୩୦/୨୦୨୨)ର ନକଲ ଦେବାକୁ ପୁରୀର ଦିଲୀପ କୁମାର ବରାଳ ସୂଚନା ଅଧିକାର ବଳରେ ଶ୍ରୀମନ୍ଦିର ପ୍ରଶାସନକୁ ତଥ୍ୟ ମାଗିଥିଲେ। ଶ୍ରୀମନ୍ଦିର ପ୍ରଶାସନ କୌଣସି ସ୍ପଷ୍ଟ ଉତ୍ତର ରଖିନଥିଲା କି କୌଣସି ସୂଚନା ପ୍ରଦାନ କରିନଥିଲା। ଏଣୁ ଶ୍ରୀ ବରାଳ ଏ ଉପରେ ସୂଚନା ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପର ଲିଖିତ ୪ ମାମଲାର ଆଜି ଏକତ୍ର ଶୁଣାଣି କରାଯାଇଥିଲା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ନ ଆସିବାରୁ ଜୁଲାଇ ୨୩ ତାରିଖକୁ ପରବର୍ତ୍ତୀ ଶୁଣାଣି ରଖାଯାଇଛି।