ଅଧ୍ୟକ୍ଷ ନିଯୁକ୍ତି ପରେ ଜଷ୍ଟିସ୍‌ ରଘୁବୀର ଦାଶଙ୍କ ପ୍ରତିକ୍ରିୟା : ‘ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ, ଶୀଘ୍ର ତଦନ୍ତ ଶେଷ କରିିବି’

କଟକ : ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଗଠିତ କମିସନଙ୍କ ଅଧ୍ୟକ୍ଷ ଭାବେ ସରକାର ଆଜି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ନିଯୁକ୍ତି ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ତାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ମିଳିଥିବାରୁ ଜଷ୍ଟିସ୍‌ ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏଭଳି ନିଯୁକ୍ତି ସଂପର୍କରେ ସେ ଅବଗତ ନଥିଲେ। ଗଣମାଧ୍ୟମରୁ ଏ ସଂପର୍କରେ ଖବର ପାଇଲି। ତେବେ କିଛି ଦିନ ହେଲା ଏହି ପ୍ରସଂଗକୁ ନେଇ ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ଚାବି ପ୍ରସଂଗ ସାରା ଓଡ଼ିଶାର ଜନସାଧାରଣଙ୍କ ଭାବାବେଗ ସହିତ ଜଡ଼ିିତ ଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇପଡ଼ିଛି। ତଦନ୍ତର ଟର୍ମ ଅଫ୍‌ ରେଫରେନ୍ସ ମିଳିବା ପରେ ତଦନ୍ତର ଦିଗ ନେଇ ଚିନ୍ତା କରାଯିବ। ଯଥାଶୀଘ୍ର ତଦନ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ଉଦ୍ୟମ କରିବି ବୋଲି ଜଷ୍ଟିସ ଦାଶ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜଷ୍ଟିସ ଦାଶ ୨୦୧୬, ଫେବ୍ରୁଆରି ୧୩ରେ ଓଡ଼ିଶା ହାଇକୋର୍ଟ ବିଚାରପତି ପଦରୁ ଅବସର ଗ୍ରହଣ କରିଥିଲେ। ୧୯୫୪, ଫେବ୍ରୁଆରି ୧୪ରେ ବରଗଡରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ୍‌ ଦାଶ ବରଗଡ଼ ଜର୍ଜ ହାଇସ୍କୁଲରୁ ୧୯୬୯ରେ ମାଟ୍ରିକ୍‌ ପାସ୍‌ କରିବା ପରେ ସମ୍ବଲପୁର ଜି.ଏମ୍‌.କଲେଜରୁ ୧୯୭୪ରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ। ସମ୍ବଲପୁର ଏଲ୍‌.ଆର୍‌.ଲ’ କଲେଜରୁ ୧୯୭୭ରେ ସେ ଆଇନ ଡିଗ୍ରି ହାସଲ କରିଥିଲେ। ୧୯୮୦ରେ ସେ ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ୍‌ରେ ଯୋଗ ଦେଇଥିଲେ। ଫୁଲବାଣୀ ଓ ଗଞ୍ଜାମ-ଗଜପତିରେ ଜିଲ୍ଲା ଓ ଦୌରା ଜଜ୍‌ ଭାବେ କାର୍ଯ୍ୟ କରିବା ସହିତ ସେଲ୍ସ ଟ୍ୟାକ୍ସ ଟ୍ରିବୁନାଲରେ ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏଥି ସହିତ ସେ ଇଣ୍ଡଷ୍ଟ୍ରିଆଲ୍‌ ଟ୍ରିବୁନାଲରେ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୩, ଜାନୁଆରି ୪ରେ ଜଷ୍ଟିସ ଦାଶ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର