ପୁରୀ: ବିଶ୍ବସ୍ତରୀୟ ହେବ ରଘୁନନ୍ଦନ ପାଠାଗାର। ବିରଳ ପୁସ୍ତକ ଓ ପାଣ୍ଡୁଲିପିର ସଂରକ୍ଷଣକୁ ଅଗ୍ରାଧିକାର ଦିଆଯିବ। ଶତାୟୁ ରଘୁନନ୍ଦନ ପାଠାଗାରକୁ ମାଟିରେ ମିଶେଇ ଦେବା ପରେ ଏମିତି ଗଦଗଦ ହୋଇ ପ୍ରଚାର କରିଥିଲେ ସରକାର। ଅଥଚ ସବୁ ସ୍ବପ୍ନରେ ରହିଗଲା। ସେଇ ମଠ ସଂଲଗ୍ନ ସ୍ଥାନରେ ୨୫ କୋଟି ବ୍ୟୟରେ ପାଠାଗାର ଗଢ଼ିବା ଲାଗି ଘୋଷଣା ହେଲା। କିନ୍ତୁ ଏଯାଏଁ ପାଠାଗାର ପାଇଁ ଇଟା ଖଣ୍ଡେ ପଡ଼ିଲା ନାହିଁ। ପଚାରିଲେ ଅଧିକାରୀ କହୁଛନ୍ତି, ବହି ବାଇଣ୍ଡିଂ ପରେ କେମିକାଲ୍ ପ୍ରୋସେସିଂ, ଡିଜିଟାଇଜେସନ୍ କାମ ଚାଲିଛି। ଏମିତି କହିକହି ୫ ବର୍ଷ ଗଡ଼େଇ ସାରିଲେଣି। ତଥାପି ବାବୁମାନଙ୍କ ନିଦ ଭାଙ୍ଗୁନାହିଁ। ପରିକ୍ରମା ପ୍ରକଳ୍ପ ମଧ୍ୟରେ ଟିକିନିଖି କଥାକୁ ଗୁରୁତ୍ବ ଦେଲେ। କିନ୍ତୁ ଶହେ ବର୍ଷର ପାଠାଗାର ପ୍ରତି ବାବୁମାନଙ୍କର ତିଳେ ହେଲେ ଆନ୍ତରିକତା ରହିଲା ନାହିଁ।
ପ୍ୟାକେଜ୍ ଘୋଷଣାରେ ସୀମିତ ପାଠାଗାର ଭାଗ୍ୟ
ପ୍ରାଚୀନ ପୋଥି, ବିରଳ ପୁସ୍ତକର ଚାଲିଛି ଡିଜିଟାଇଜେସନ୍
ରଘୁନନ୍ଦନ ପାଠାଗାର ଥିଲା ପ୍ରାଚୀନ ପୋଥି ଓ କାଳଜୟୀ ବିରଳ ପୁସ୍ତକର ସମୃଦ୍ଧ ଭଣ୍ଡାର। ଏମାର ମଠ ତରଫରୁ ମଠ ପରିସରରେ ୧୯୨୧ ମସିହା ଅଗଷ୍ଟ ୧୪ ତାରିଖରେ ପାଠାଗାର ଆରମ୍ଭ ହୋଇଥିଲା। ଗଦାଧର ରାମାନୁଜ ନିଜ ଗୁରୁ ରଘୁନନ୍ଦନ ରାମାନୁଜ ଦାସଙ୍କ ସ୍ମୃତିରେ ପାଠାଗାର ସ୍ଥାପନ କରିଥିଲେ। ଶ୍ରୀକ୍ଷେତ୍ରର ପାଠାଗାର ସଂସ୍କୃତିରେ ଏହାର ସ୍ଥାନ ଥିଲା ସର୍ବାଗ୍ର। ୧୯୩୬ ମସିହାର ଏକ ରେକର୍ଡ ମୁତାବକ, ପାଠାଗାର ମଧ୍ୟରେ ୨୬୬ ଖଣ୍ଡ ତାଳପତ୍ର ପୋଥି ସମେତ ୭୧୫ ଖଣ୍ଡ ଇଂରାଜୀ ପୁସ୍ତକ, ୮୧୧ଟି ଓଡ଼ିଆ, ୭୦୧ଟି ସଂସ୍କୃତ, ୫୫୦ ଖଣ୍ଡ ବଙ୍ଗଳା ଓ ୪୮୩ଟି ହିନ୍ଦୀ ପୁସ୍ତକ ମହଜୁଦ ଥିଲା। ପରବର୍ତ୍ତୀ ସମୟରେ ଭାରତର ବିଭିନ୍ନ ପ୍ରଦେଶରୁ ଅନେକ ଦୁର୍ଲ୍ଲଭ ଗ୍ରନ୍ଥ, ଧର୍ମଗ୍ରନ୍ଥ ପାଠାଗାରକୁ ଆସିଥିଲା। ବେଦ, ପ୍ରାଚୀନ ଧର୍ମ ପୁସ୍ତକ, ଉପନିଷଦ ପାଠ ସହ ପ୍ରାଚୀନ ପୁସ୍ତକରୁ ତଥ୍ୟ ନେବା ପାଇଁ ବହୁ ଗବେଷକ ଓ ଲେଖକ ଏଠାକୁ ଆସୁଥିଲେ। ବିଶେଷକରି ବହୁ ଦକ୍ଷିଣ ଭାରତୀୟ ପଣ୍ଡିତ ରଘୁନନ୍ଦନ ପାଠାଗାରକୁ ଅଧ୍ୟୟନ ଓ ଗବେଷଣା ଉଦ୍ଦେଶ୍ୟରେ ଆସୁଥିଲେ। ବ୍ରହ୍ମଗିରିର ଗଡ଼କୋକଲରୁ ମିଳିଥିବା ପୋଥି ‘ପାଇକଖେଦା’ ହେଉ ଅବା ନାରାୟଣ ଶିରୋମଣିଙ୍କ ଗବେଷଣା ଅନୁଷ୍ଠାନରେ ଉପଲବ୍ଧ ବହୁ ପୋଥି ଓ ପୁସ୍ତକ ମଧ୍ୟ ଏହି ପାଠାଗାରକୁ ଅଣାଯାଇଥିଲା।
ପ୍ରକଳ୍ପ ପାଇଁ ଏମାର ମଠ ଉଚ୍ଛେଦ ହେବା ସହ ରଘୁନନ୍ଦନ ପାଠାଗାର ମାଟିରେ ମିଶିଥିଲା। ପାଠାଗାର ଭଙ୍ଗାଯିବା ପରେ ବହି ଓ ପୋଥି ସମୂହକୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷକୁ ସ୍ଥାନାନ୍ତର କରାଯାଇ ମହଜୁଦ ରଖାଯାଇଛି। ୧୦୦ ବର୍ଷ ବିତିସାରିଥିବାରୁ ବହୁ ପ୍ରାଚୀନ ପାଣ୍ଡୁଲିପି ନଷ୍ଟ ହୋଇ ଯାଇଥିଲା। ଆଉ ଯାହା ମହଜୁଦ ଥିଲା, ତା’ର ସ୍ଥିତି ପରଖିବା ଲାଗି ସଂଗ୍ରାହାଧ୍ୟକ୍ଷ, ବିଶେଷଜ୍ଞ ଦଳକୁ ସରକାର ପଠାଇଥିଲେ। ମାତ୍ର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏହାର ସଂରକ୍ଷଣ ଆରମ୍ଭ ନ ହେବାରୁ ବହୁ ଦୁର୍ଲ୍ଲଭ ପୁସ୍ତକ ନଷ୍ଟ ହୋଇଗଲା। ପ୍ରାୟ ୬ ହଜାର ପୁସ୍ତକ ମହଜୁଦ ରହିଥିଲା। କିନ୍ତୁ ଏବେ ସେଥିମଧ୍ୟରୁ କେତେ ସଂରକ୍ଷିତ ରହିଛି ତାହା ବି ପ୍ରଶ୍ନବାଚୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ପରିଧି ମଧ୍ୟରେ ଏମାର ମଠ ଆସୁଥିବାରୁ ଏହାକୁ ଉଚ୍ଛେଦ କରିବା ବେଳେ ମଠ ସହ ରଘୁନନ୍ଦନ ପାଠାଗାର ସଂସ୍କୃତି ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ପାଠାଗାରକୁ ପୁନଃ ଜୀବନ୍ୟାସ ଦେବା ପାଇଁ ସ୍ବର ଉଠିଲା। ସରକାର ଏ ନେଇ ୨୫ କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟ ଘୋଷଣା କଲେ। କିନ୍ତୁ ପ୍ୟାକେଜ୍ ଘୋଷଣାରେ ସୀମିତ ରହିଗଲା ରଘୁନନ୍ଦନ ପାଠାଗାର ଭାଗ୍ୟ। ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା କହିଛନ୍ତି, ବହିଗୁଡ଼ିକୁ ବାଇଣ୍ଡିଂ କରିବା ପରେ ରାସାୟନିକ ଉପଚାର କରାଯାଉଛି। ଡିଜିଟାଇଜେସନ୍ କାମ ଅଦ୍ୟାବଧି ଜାରି ରହିଛି। ବହିର ସଂରକ୍ଷଣ କାମ ସିନା ଚାଲୁ ରହିଛି, କିନ୍ତୁ ବହି ରଖିବା ପାଇଁ ପାଠାଗାର କେବେ ନିର୍ମାଣ ହେବ, ସେ ସଂପର୍କରେ କେହି ମୁହଁ ଖୋଲୁନାହାନ୍ତି।