ବିଶ୍ବସ୍ତରୀୟ ହେବ ରଘୁନନ୍ଦନ ପାଠାଗାର

ପୁରୀ : ଶ୍ରୀମନ୍ଦିର ସମ୍ମୁଖ ଏମାର ମଠରେ ଥିବା ବ୍ରିଟିସ୍‌ ଅମଳର ରଘୁନନ୍ଦନ ପାଠାଗାରର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏହାକୁ ବିଶ୍ବସ୍ତରୀୟ ପାଠାଗାର ଭଳି ଗଢ଼ି ତୋଳିବାକୁ ଯୋଜନା ହୋଇଛି। ଏଥି ପାଇଁ ଆବଶ୍ୟକ ପାଣ୍ଠି ସଂପର୍କରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ। ଉଚ୍ଛେଦ ପୂର୍ବରୁ ପାଠାଗାରରେ ଥିବା ୫ ହଜାର ପୁରୁଣା ପୁସ୍ତକ ଓ ବିରଳ ପାଣ୍ଡୁଲିପିକୁ ଭୂଅର୍ଜନ ସମ୍ମିଳନୀ କକ୍ଷକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଥିଲେ, ରାଜ୍ୟ ସରକାର ରଘୁନନ୍ଦନ ପାଠାଗାରର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେବା ସହ ଏଠାରେ ଥିବା ବିରଳ ପୁସ୍ତକ ଓ ପାଣ୍ଡୁଲିପିର ସଂରକ୍ଷଣକୁ ଅଗ୍ରାଧିକାର ଦେଇଛନ୍ତି। ଏହାର ଗୁରୁତ୍ବ ଦୃଷ୍ଟିରୁ ଏକ ବିଶ୍ବସ୍ତରୀୟ ପାଠାଗାର ନିର୍ମାଣ ପାଇଁ ଯୋଜନା କରାଯାଇଛି। ଅତ୍ୟାଧୁନିକ ଶୈଳୀରେ ଏହାକୁ ନିର୍ମାଣ କରାଯିବ। ନୂଆ କୋଠା ନିର୍ମାଣ ପରେ ପାଠାଗାରର ନାମ ଅପରିବର୍ତିତ ରହିବ। ଏଠାରେ ଥିବା ପୁରୁଣା ପୁସ୍ତକ, ପାଣ୍ଡୁଲିପି ଆଦିର ଡିଜିଟାଇଜେସନ୍‌ ହେବ। ଏଥି ପାଇଁ ରାଜ୍ୟ ବାହାରୁ ବିଶେଷଜ୍ଞମାନଙ୍କୁ ଡକାଯିବ। ସେମାନଙ୍କ ପରାମର୍ଶ ଆଧାରରେ ପୁସ୍ତକ ଓ ପାଣ୍ଡୁଲିପିଗୁଡ଼ିକର ରକ୍ଷଣାବେକ୍ଷଣ କରାଯିବ।

ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୭୫ ମିଟର ଉଚ୍ଛେଦ ନିଷ୍ପତ୍ତି ନିଆଯାଇଥିବାରୁ ପାଠାଗାରରେ ଥିବା ମୂଲ୍ୟବାନ ପୁସ୍ତକ, ପାଣ୍ଡୁଲିପିକୁ ସ୍ଥାନାନ୍ତର କରାଯାଇଛି। ସୁରକ୍ଷା ଦାୟିତ୍ବରେ ରାଜ୍ୟ ସଂଗ୍ରହାଳୟର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ରକ୍ଷଣାବେକ୍ଷଣ ଦାୟିତ୍ବ ବୁଝିବେ। ଯେଉଁମାନେ ପାଠାଗାର ଆସିବାକୁ ଚାହିଁବେ ଏଠାକୁ ଆସି ପଢ଼ିପାରିବେ। ଉଚ୍ଛେଦ କାର୍ଯ୍ୟ ଶେଷ ପରେ ଯେଉଁ ସ୍ଥାନରେ ପାଠାଗାର ରହିଥିଲା, ସେହି ସ୍ଥାନରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିବା ଘର ତିଆରି କରି ପାଠାଗାର ସ୍ଥାପନ ଯୋଜନା କରାଯାଇଛି। ଆବଶ୍ୟକସ୍ଥଳେ ପାଠାଗାର ଗୃହ ନିର୍ମାଣ ସ୍ଥାନ ସାମାନ୍ୟ ଏପଟସେପଟ ହୋଇପାରେ। ତଥାପି ତାଙ୍କ କାର୍ଯ୍ୟାଳୟ ପରିସରରେ ସର୍ବୋତ୍କୃଷ୍ଟ ସ୍ଥାନରେ ଏହି ସବୁ ବିରଳ ଜିନିଷକୁ ସଂରକ୍ଷଣ କରି ରଖାଯିବ ବୋଲି ଜିଲ୍ଲାପାଳ କହିଥିଲେ।

ସୂଚନାଯୋଗ୍ୟ, ୧୯୨୧ ମସିହାରେ ଏହି ପାଠାଗାର ସ୍ଥାପନ କରାଯାଇଥିଲା। ଏମାର ମଠର ତତ୍କାଳୀନ ମହନ୍ତ ଏହାକୁ ସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର