ରଘୁନାଥ ବେଶ ପ୍ରଦର୍ଶନୀକୁ ନେଇ ବିବାଦ

ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ, ଗବେଷକ

ପୁରୀ: ଚତୁର୍ଦ୍ଧା ମୂର୍ତିଙ୍କ ଦୁର୍ଲଭ ରଘୁନାଥ ବେଶକୁ ନେଇ ବିବାଦ ମୁଣ୍ଡ ଟେକିଛି। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଏବଂ ମୁକ୍ତିମଣ୍ଡପ ପଣ୍ଡିତ ଏହି ଘଟଣା ଉପରେ ମୁହଁ ଖୋଲିବା ଫଳରେ ଏହି ବିବଦମାନ ପରିସ୍ଥିତି ସୃଷ୍ଟି ହୋଇଛି। କିଛିଦିନ ତ‌େଳ ଭୁବନେଶ୍ବରଠାରେ ରଘୁନାଥ ବେଶ ପ୍ରଦର୍ଶିତ ହୋଇଥିଲା। ଏ ସମ୍ପର୍କରେ ସଂପର୍କରେ ମତ ରଖି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି ଯେ, ‘ଶ୍ରୀଜଗନ୍ନାଥ ଲକ୍ଷାଧିକ ସ୍ଥାନରେ ପ୍ରତିଷ୍ଠା ହୋଇପାରିବେ। କିନ୍ତୁ ଶ୍ରୀମନ୍ଦିରରେ ଯେଉଁ ଜଗନ୍ନାଥ ଅଛନ୍ତି ତାଙ୍କର ମର୍ଯ୍ୟାଦା ସ୍କନ୍ଦ ପୁରାଣରେ ସ୍ବତନ୍ତ୍ର ଭାବେ ନିର୍ଧାରିତ କରାଯାଇଛି। ଯାହା ଅନ୍ୟ କୌଣସି ସ୍ଥାନରେ ନାହିଁ। ଭାବୁକତା କିମ୍ବା ଅଜ୍ଞାନ ଭାବେ କୌଣସି ସେବାକୁ ବଢ଼ାଇବା ଅବା କମାଇବା ଉଚିତ ନୁହେଁ।’

ଏ ସଂପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ନରେଶ ଦାଶ କହିଛନ୍ତି ଯେ, ପାରମ୍ପରିକ ସିଂହାରୀ ସେବକ ଏହି ବେଶ କରିଥିଲେ ବୋଧହୁଏ ଠିକ୍‌ ହୋଇଥା’ନ୍ତା। ମୁକ୍ତିମଣ୍ଡପ ପଣ୍ଡିତ ହରିଶଙ୍କର ମିଶ୍ର କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ସୁନାବେଶକୁ ବାଦ୍ ଦେଲେ ବାକି ସବୁ ବେଶ ରତ୍ନ ସିଂହାସନ ଉପରେ ହୋଇଥାଏ। ଏଥିପାଇଁ ନିର୍ଦିଷ୍ଟ ସମୟ ଓ ବିଧି ରହିଛି। ‌ଅନ୍ୟପକ୍ଷରେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ସେ ସେଠାରେ କେବଳ ଏକ ଆଲୋଚନାରେ ଯୋଗ ଦେଇଥିଲେ। ଯେଉଁଠିକୁ ଦେଶର ବିଭିନ୍ନ ଧାର୍ମିକ ପୀଠରୁ ବ୍ୟକ୍ତିବିଶେଷ ଆସିଥିଲେ। ନିଜ ନିଜ ଧାର୍ମିକ ସ୍ଥଳ ବିଷୟରେ ସେମାନେ ମତ ରଖିଥିଲେ। ସେହି ଅନୁଯାୟୀ ସେ ଶ୍ରୀମନ୍ଦିର ସଂପର୍କରେ ମତ ରଖିଥିଲେ ବୋଲି କହିଛନ୍ତି। ସେହିଭଳି, ବରିଷ୍ଠ ଦଇତାପତି ସେବକ ରାମଦାସ ମହାପାତ୍ର କହିଛନ୍ତି, ଆମେ ଯେଉଁ ବେଶ କରିଥିଲୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ କରାଯାଇଥିଲା। ଯେହେତୁ ୧୧୩ ବର୍ଷ ହେଲା ବେଶ ହେଉନଥିଲା, ଆମେ ବେଶ କରିବା ଦ୍ବାରା ସରକାରଙ୍କ ଉପରେ ଚାପ ପଡ଼ିଛି।

ସମ୍ବନ୍ଧିତ ଖବର