ପଦ୍ମ ବିଭୂଷଣ ପାଇବାରେ ତୃତୀୟ ଓଡ଼ିଆ ରଘୁନାଥ

ଭୁବନେଶ୍ବର : ୧୯୫୪ ମସିହାରେ ଭାରତ ସରକାର ‘ପଦ୍ମ’ ସମ୍ମାନ ଆରମ୍ଭ କଲେ। ଏହାପରେ ବିଭିନ୍ନ ସମୟରେ ବହୁ ଓଡ଼ିଆ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। କିନ୍ତୁ ଦେଶର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମବିଭୂଷଣ’ ପାଇବାକୁ ଓଡ଼ିଶାକୁ ୪୬ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୨୦୦୦ ମସିହାରେ ପ୍ରଥମ ଓଡ଼ିଆ ଭାବେ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ର ପଦ୍ମବିଭୂଷଣ ସମ୍ମାନ ପାଇଥିଲେ। ଏହା ପରେ ଦ୍ବିତୀୟ ଓଡ଼ିଆ ଭାବେ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର ୨୦୧୧ ମସିହାରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହେଲେ। ୨୦୧୩ ମସିହାରେ ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ରଘୁନାଥ ମହାପାତ୍ର ତୃତୀୟ ଓଡ଼ିଆ ଭାବେ ଏହି ସମ୍ମାନ ଲାଭ କରିଥିଲେ। ତତ୍‌କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ସେ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଶ୍ରୀ ମହାପାତ୍ର ୧୯୭୬ ମସିହାରେ ପଦ୍ମଶ୍ରୀ ଓ ୨୦୦୧ ମସିହାରେ ପଦ୍ମଭୂଷଣ ସମ୍ମାନ ଲାଭ କରିସାରିଥିଲେ। ସୂଚନାଯୋଗ୍ୟ ଯେ ଚତୁର୍ଥ ଓଡ଼ିଆ ଭାବେ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ଚଳିତ ବର୍ଷ ପଦ୍ମବିଭୂଷଣ ସମ୍ମାନ ଲାଭ କରିଛନ୍ତି।

ରାଜ୍ୟସଭା ନିର୍ବାଚନରେ ବିଫଳ ହୋଇଥିଲେ
୨୦୧୪ ମସିହାରେ ରାଜ୍ୟସଭାକୁ ଯିବା ପାଇଁ ରଘୁନାଥ ମହାପାତ୍ର ଉଦ୍ୟମ କରିଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ସେ ମଇଦାନକୁ ଓହ୍ଲାଇଥିଲେ। ସେହି ନିର୍ବାଚନରେ ଚାରିଟି ଆସନ ଓଡ଼ିଶାରୁ ‌ଖାଲି ହୋଇଥିଲା। ଚାରିଟି ଆସନରେ ପ୍ରାର୍ଥୀ ଜିତାଇବାକୁ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ନ ଥିଲା। ଦଳ ୩ ଜଣଙ୍କୁ ପ୍ରାର୍ଥୀ ଘୋଷଣା କରିଥି‌ଲା ଓ ସେମାନେ ସୁରୁଖୁରୁରେ ଜିତିଯାଇଥିଲେ। ସେମାନେ ହେଲେ ଅନଙ୍ଗ ଉଦୟ ସିଂହଦେଓ, କଳ୍ପତରୁ ଦାସ ଓ ସରୋଜିନୀ ହେମ୍ବ୍ରମ୍। ଚତୁର୍ଥ ଆସନ କିଏ ଜିତିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସ୍ବାଧୀନ ପ୍ରାର୍ଥୀ ରଘୁନାଥ ମହାପାତ୍ର ଓ କଂଗ୍ରେସ ପ୍ରାର୍ଥୀ ରଞ୍ଜୀବ ବିଶ୍ବାଳଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଶ୍ରୀ ମହାପାତ୍ରଙ୍କ ପ୍ରାର୍ଥିତ୍ବକୁ ଉଭୟ ବିଜେଡି ଓ ବିଜେପି ସମର୍ଥନ କରିଥିଲା। ସେହି ସମୟରେ ବିଧାନସଭାରେ ସଂଖ୍ୟା ଗଣିତକୁ ଦେଖି ଶ୍ରୀ ମହାପାତ୍ର ନିର୍ବାଚିତ ହେବାରେ ସମସ୍ୟା ହେବ ନାହିଁ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଥିଲା। କିନ୍ତୁ ନିର୍ବାଚନ ଫଳାଫଳ ସବୁ ଗଣିତକୁ ଏପଟସେପଟ କରିଦେଲା। ଶ୍ରୀ ମହାପାତ୍ର ପରାଜିତ ହେଲେ ଓ କଂଗ୍ରେସ ପ୍ରାର୍ଥୀ ଶ୍ରୀ ବିଶ୍ବାଳ ବିଜୟୀ ହେଲେ। ଏହି ପରାଜୟକୁ ନେଇ ସେତେବେଳେ ବିଜେଡି ଓ ବିଜେପି ପରସ୍ପରକୁ ଦୋଷାରୋପ କରିଥିଲେ ବି ଶ୍ରୀ ମହାପାତ୍ର କାହା ବିରୋଧରେ କିଛି କହି ନ ଥିଲେ।

ରାଜ୍ୟସଭାକୁ ମନୋନୀତ ‌ହେବାରେ ପ୍ରଥମ ଓଡ଼ିଆ
କଳା, ସଂସ୍କୃତି, ସାହିତ୍ୟ ଆଦି କ୍ଷେତ୍ରରେ ଶ୍ରେଷ୍ଠତ୍ବ ପ୍ରତିପାଦିତ କରିଥିବା କୃତୀ ସନ୍ତାନମାନଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମ‌ନୋନୀତ କରିବାର ବ୍ୟବସ୍ଥା ଅଛି। କିନ୍ତୁ ଓଡ଼ିଶାରୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କେହି ଜଣେ ବ୍ୟକ୍ତି ମନୋନୀତ ହେବାର ସୌଭାଗ୍ୟ ପାଇ ନ ଥିଲେ। ୨୦୧୮ ମସିହାରେ ଓଡ଼ିଶା ପାଇଁ ଏହି ଗୌରବର ଦିନ ଆସିଥିଲା। ସେହିବର୍ଷ ଜୁଲାଇ ୧୪ ତାରିଖରେ ଏକା ଥରେ ଦୁଇ ଜଣ ଓଡ଼ିଆଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଥିଲେ। ରଘୁନାଥ ମହାପାତ୍ରଙ୍କ ସହ ଓଡ଼ିଶାର ବୋହୂ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋନାଲ ମାନସିଂହ ରାଜ୍ୟସଭାକୁ ମ‌ନୋନୀତ ହେଲେ। କିନ୍ତୁ ନିଜ କାର୍ଯ୍ୟକାଳ ସରିବାର ଯଥେଷ୍ଟ ପୂର୍ବରୁ ଶ୍ରୀ ମହାପାତ୍ରଙ୍କ ପରଲୋକ ହୋଇଯାଇଛି।

ସମ୍ବନ୍ଧିତ ଖବର