ରଘୁନାଥ ମହାପାତ୍ରଙ୍କ ପରଲୋକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା

ଭୁବନେଶ୍ୱର: ଖ୍ୟାତନାମା ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇ ଯାଇଛି । ତାଙ୍କର ପାର୍ଥିବ ଶରୀରର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରଘୁନାଥ ମହାପାତ୍ରଙ୍କ ବିୟୋଗ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୋକ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍‌ରେ କହିଛନ୍ତି, ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଦୁଃଖିତ। କଳା, ଭାସ୍କର୍ଯ୍ୟ ଓ ସଂସ୍କୃତି ଦୁନିଆକୁ ତାଙ୍କର ଅବଦାନ ଥିଲା ଅତୁଳନୀୟ। ପାରମ୍ପରିକ କଳାକୁ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ। ତାଙ୍କର ପରିବାର ଓ ପ୍ରଂଶସକମାନଙ୍କ ପାଇଁ ମୋର ସମବେଦନା।

 

ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ମୋ ବ୍ୟକ୍ତିଗତ ସମ୍ପର୍କ ନିବିଡ ଥିଲା । ନିଜର ନିଖୁଣ କାରୁ କାର୍ଯ୍ୟ ମାଧ୍ୟମରେ ସେ ଓଡିଶାକୁ ଗୌରବାନ୍ୱିତ କରିଥିଲେ । ଓଡିଶାର କଳା, ସଂସ୍କୃତିକୁ ଅନ୍ତର୍ଜାତୀୟ ସ୍ତରରେ ମହିମାନ୍ୱିତ କରିଥିଲେ ।

ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଆଜି ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ୭୮ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଶିଳ୍ପୀ ରଘୁନାଥ ମହାପାତ୍ର । ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସମ୍ବନ୍ଧିତ ଖବର