ରଘୁନାଥ ମହାପାତ୍ରଙ୍କ ବଡ଼ପୁଅଙ୍କ ପରଲୋକ

୧୨ ଦିନରେ ଆରପାରିକୁ ଚାଲିଗଲେ ବାପାଙ୍କ ସମେତ ୨ ପୁଅ

ଭୁବନେଶ୍ୱର : କଥାରେ ଅଛି, ଦୁଃଖ ଯେତେବେଳେ ଆସେ ବଂଶକୁଟୁମ୍ବ ନେଇ ଆସେ। ଠିକ୍‌ ଏହିଭଳି ଘଟଣା ଘଟିଛି ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାରରେ। କରୋନା ତାଙ୍କ ପରିବାରର ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି। ଗତ ୯ ତାରିଖରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ କରୋନାରେ ଦେହାନ୍ତ ହୋଇଥିବା ବେଳେ ଗତକାଲି ତାଙ୍କ ଏକାଦଶାହରେ ମଝିଆ ପୁଅ ପ୍ରଶାନ୍ତ ମହାପାତ୍ରଙ୍କର ଓ ଗୁରୁବାର ୧୨ ଦିନରେ ତାଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କର ପରଲୋକ ଘଟିଛି।

ସଂକଟାପନ୍ନ ଅବସ୍ଥାରେ ଥିବା ୫୨ବର୍ଷ ବୟସ୍କ ଯଶୋବନ୍ତ ମହାପାତ୍ର ଗୁରୁବାର ସମ୍ କୋଭିଡ୍ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତକାଲି ରଘୁନାଥଙ୍କ ମଝିଆ ପୁଅ କ୍ରିକେଟର୍ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ଏଥିସହ ଏକ ମହାନ୍ ଶିଳ୍ପୀ ପରିବାର ଛାରଖାର ହୋଇଯାଇଛି। ୧୨ ଦିନ ଭିତରେ ବାପା ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟଣା ଯେତିକି ହୃଦୟ ବିଦାରକ, ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ।

ଦିଲ୍ଲୀରୁ ସପରିବାର ଫେରିବା ପରେ ରଘୁନାଥ ମହାପାତ୍ର, ତାଙ୍କ ପତ୍ନୀ ରଜନୀ ମହାପାତ୍ର, ଦୁଇ ପୁଅ ଯଶୋବନ୍ତ ଓ ପ୍ରଶାନ୍ତ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପାଇଁ ଏପ୍ରିଲ୍ ୨୧ ତାରିଖରେ ସମସ୍ତେ ଭୁବନେଶ୍ୱର ଏମ୍‌ସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ବର୍ଗତ ମହାମାତ୍ରଙ୍କ ପତ୍ନୀ ରଜନୀ ମହାପାତ୍ର ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତ ୯ ତାରିଖରେ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଥିଲା। ଅନ୍ୟପକ୍ଷରେ ବଡ଼ପୁଅ ଯଶୋବନ୍ତଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। କିନ୍ତୁ ମଝିଆ ପୁଅ ପ୍ରଶାନ୍ତଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା ଏବଂ ସେ କରୋନାମୁକ୍ତ ହୋଇଥିଲେ। ତେବେ ଦୁଇଦିନ ତଳେ ହଠାତ୍ ପ୍ରଶାନ୍ତଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା ଏବଂ ଗତକାଲି ସକାଳେ ସେ ଆଖି ବୁଜି ଦେଇଥିଲେ।

ଅନ୍ୟପକ୍ଷରେ ଯଶୋବନ୍ତଙ୍କର ଅବସ୍ଥାରେ ମଧ୍ୟ କୌଣସି ଉନ୍ନତି ଆସି ନଥିଲା। ଦିନକୁ ଦିନ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା। ଗତକାଲି ପ୍ରଶାନ୍ତଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ଯଶୋବନ୍ତଙ୍କୁ ଉନ୍ନତ ଚିକିତ୍ସା ଆଶାରେ ଏମ୍‌ସରୁ ସମ୍ ହସ୍ପିଟାଲ୍ ସ୍ଥାନାନ୍ତର କରିଥିଲେ। ତେବେ ସଂକଟାପନ୍ନ ଯଶୋବନ୍ତଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ବହୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଗୁରୁବାର ଦିନ ୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ସ୍ୱର୍ଗତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ତିନି ପୁଅ ମଧ୍ୟରୁ ସାନପୁଅ ୪ ବର୍ଷ ତଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର