ପୁରୀ: ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ ଅନନ୍ୟ ଓ ଅଭିନ୍ନ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମ ତିଥି ପୁଷ୍ୟାନକ୍ଷତ୍ର ଯୁକ୍ତ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ହୋଇଥାଏ। ଇତିମଧ୍ୟରେ ଅନେକ ଥର ଏହି ତିଥି ଗଲାଣି। କିନ୍ତୁ ୧୧୯ ବର୍ଷ ହେବ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ତତ୍କାଳୀନ ଗଜପତି ମହାରାଜାମାନେ ମହାପ୍ରଭୁଙ୍କ ଏହି ବେଶ ପ୍ରତି ଆଗ୍ରହ ଦେଖାଇନାହାନ୍ତି। ଦେଶ ସ୍ବାଧୀନ ହେବା ପରେ ଯେବେ ରାଜ୍ୟରେ ନିର୍ବାଚିତ ସରକାର ଶ୍ରୀମନ୍ଦିର ପରିଚାଳନା ପ୍ରକ୍ରିୟାରେ ହସ୍ତକ୍ଷେପ କଲେ, ତା ପରେ ମଧ୍ୟ କୌଣସି ମୁଖ୍ୟମନ୍ତ୍ରୀ ଏହା ଉପରେ ନଜର ପକାଇନାହାନ୍ତି। ଅତି ସଂକ୍ଷେପରେ କହିଲେ, ସରକାରମାନଙ୍କର ଇଚ୍ଛା ଶକ୍ତି ଅଭାବରୁ ଏହି ବେଶ ଏବେ ଧୀରେ ଧୀରେ ଜନମାନସରୁ ହଜିଯିବାକୁ ବସିଲାଣି। ଏହି ବେଶ ମହାପ୍ରଭୁଙ୍କର ସବୁଠୁ ବଡ଼ ବେଶ ଓ ଏଥିରେ ସୁବର୍ଣ୍ଣର ମୂର୍ତ୍ତି ବି ପୂଜା ପାଆନ୍ତି। ସର୍ବାଧିକ ସୁବର୍ଣ୍ଣ ଅଳଙ୍କାରରେ ଠାକୁର ଆଭୂଷିତ ହୋଇଥାନ୍ତି। ଏହି ଅଳଙ୍କାର ଭିତର ରତ୍ନଭଣ୍ଡାରରେ ଥାଏ। ଏବେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲି ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି। ଖୁବ୍ଶୀଘ୍ର ଅଳଙ୍କାର ଗଣତି ଓ ମଣତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ଏଭଳି ସ୍ଥିତିରେ ସ୍ଥାନାନ୍ତର ହୋଇଥିବା ଅଳଙ୍କାରରେ ରଘୁନାଥ ବେଶ ଅଳଙ୍କାରର ତାଲିକାଭୁକ୍ତ କରି ବେଶ କରିବା ଦିଗରେ ସରକାରୀ ସ୍ତରରେ ଉଦ୍ୟମ ହେଉ ବୋଲି ଭକ୍ତ, ସେବାୟତ ଓ ଗବେଷକମାନେ ମତ ଦେଲେଣି।
ମହାପ୍ରଭୁଙ୍କ ରଘୁନାଥ ବେଶରେ ରତ୍ନସିଂହାସନଠାରୁ କଳାହାଟ ଦ୍ବାର ଭିତରେ ୩୧ଜଣ ଦେବଦେବୀଙ୍କ ସୁବର୍ଣ୍ଣ ପ୍ରତିମା ପୂଜା ପାଆନ୍ତି। ଏମାନେ ହେଲେ ଭରତ, ବିଭୀଷଣ, ସୁଷେଣ, ଦଧିମୁଖ, ନଳ, ଜାମ୍ବବାନ, ଶତ୍ରୁଘ୍ନ, ସୁଗ୍ରୀବ, ଅଙ୍ଗଦ, ବାୟୁମୁଖ, ହନୁମାନ, ନୀଳ, ନାରଦ(ଛୋଟ ମୂର୍ତ୍ତି), ଇନ୍ଦ୍ର(ଛୋଟ ମୂର୍ତ୍ତି), ବ୍ରହ୍ମା, କୁବେର, ନୈରୁତ, ବଶିଷ୍ଠ, ବାମଦେବ, ଜାବାଳି, କାଶ୍ୟପ, କାତ୍ୟାୟନ, ସୁଯଜ୍ଞ, ଗୌତମ, ବିଜୟ, ବାୟୁ ଦେବତା, ଗବୟ, ଋଷଭ, ଦ୍ୱିବିଧ, ନିୟୁଦ ଓ ସୁମନ୍ତ। ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ରାମଚନ୍ଦ୍ର ଓ
ଶ୍ରୀବଳଭଦ୍ର ଲକ୍ଷ୍ମଣ ବେଶରେ ଦର୍ଶନ ଦେଇଥାନ୍ତି। ଏହି ଅବସରରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ସୁବର୍ଣ୍ଣ ଶ୍ରୀପୟର ଓ ଶ୍ରୀହସ୍ତ ଯୁକ୍ତ କରାଯାଇ ମୁଖ ପଦ୍ମ, କିରୀଟ, ସୂର୍ଯ୍ୟ-ଚନ୍ଦ୍ର, କର୍ଣ୍ଣ କୁଣ୍ଡଳ, ଆଡ଼କାନି, ତିଳକ, ଅଳକା, ଓଡ଼ିଆଣୀ, ଝୋବାକଣ୍ଠି, ଘାଘଡ଼ା ମାଳି, ହରିଡ଼ା ମାଳି, କଦମ୍ବ ମାଳି, ବାଘନଖି ମାଳି, ବାହାଡ଼ା ମାଳି, ତାବିଜ ମାଳି ଆଦି ସ୍ବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇଥାନ୍ତି।
ରଘୁନାଥ ବେଶରେ ଦୁନିଆ ଦେଖିବ, ସୁବର୍ଣ୍ଣର ୩୨ ଦେବଦେବୀ ମୂର୍ତ୍ତି
ଭିତର ରତ୍ନଭଣ୍ଡାରରେ ଥିଲା ବେଶ, ଅଳଙ୍କାର, ଏବେ ସରକାର ଯାଞ୍ଚ କରନ୍ତୁ
ଶ୍ରୀଜଗନ୍ନାଥଙ୍କୁ ରାମଚନ୍ଦ୍ର ରୂପେ ବେଶ କରିବା ପରିପ୍ରେକ୍ଷୀରେ ଦୁଇ ହାତରେ ଧନୁ ଓ ଶର ଧାରଣ ସହିତ ବାଲା, ବାଜୁ ଆଦି ଅଳଙ୍କାର ପିନ୍ଧାଇ ଉପବେଶନ କରାଯାଏ। ଶ୍ରୀବଳଭଦ୍ର ପଦଛନ୍ଦରେ ତ୍ରିକଚ୍ଛ ପିନ୍ଧି ଧନୁ-ଶର ଧାରଣ କରି ଲକ୍ଷ୍ମଣ ବେଶରେ ଭୂଷିତ ହୋଇଥାନ୍ତି। ଶ୍ରୀଜଗନ୍ନାଥଙ୍କ ବାମ ପାର୍ଶ୍ବରେ ଭରତ, ଶତ୍ରୁଘ୍ନ ଆଦି ଦଣ୍ଡାୟମାନ ହୋଇଥାନ୍ତି। ଶ୍ରୀଜଗନ୍ନାଥଙ୍କ କୋଳରେ ଜଗତ ଜନନୀ ମା’ ଲକ୍ଷ୍ମୀ(ଶ୍ରୀଦେବୀ) ଠାକୁରାଣୀ ସୀତା ରୂପରେ ଉପବେଶନ କରିଥାନ୍ତି। ସମ୍ମୁଖ ଭାଗରେ ସଙ୍କଟମୋଚନ ହନୁମାନ ଜୋଡ଼ହସ୍ତରେ ବସିଥାନ୍ତି। ମା’ ସୁଭଦ୍ରା ଯୋଗମାୟା ରୂପରେ ବିଭିନ୍ନ ରତ୍ନ ଅଳଙ୍କାରରେ ମଣ୍ଡିତ ହୋଇଥାନ୍ତି। ରଘୁନାଥ ବେଶ ସଜ୍ଜା ସର୍ବବୃହତ ହୋଇଥିବାରୁ ରତ୍ନ ସିଂହାସନଠାରୁ କଳାହାଟ ଦ୍ୱାର ବା ଛାମୁଦ୍ୱାର ପର୍ଯ୍ୟନ୍ତ କାଠପଟାରେ ଅସ୍ଥାୟୀ ସିଂହାସନ ନିର୍ମାଣ କରାଯାଇଥାଏ। ଏହି ସିଂହାସନରେ ଚାମରଧାରୀ ଅଙ୍ଗଦ, ଜୋଡ଼ହସ୍ତ ସୁଗ୍ରୀବ, ଜାମ୍ବବାନ, ବିଭୀଷଣ, ନଳ, ନୀଳ, ସୁଷେଣ, ଗବୟ, ଗବକ୍ଷ ଆଦି ବାନର ସେନା ଦଣ୍ଡାୟମାନ ହୋଇଥାନ୍ତି। ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶଙ୍କ କହିବା କଥା, ଠାକୁରଙ୍କର ଏହି କମନୀୟ ବେଶ ସମୁଦାୟ ୯ ଥର ହୋଇଥିବା ନେଇ ଐତିହାସିକ ତଥ୍ୟରୁ ଜଣାପଡ଼େ। ଏହି ବେଶ ପ୍ରଥମ ଥର ୧୫୭୭ ମସିହାରେ ହୋଇଥିଲା। ପରେ ୧୭୩୯, ୧୮୦୯, ୧୮୩୧, ୧୮୪୨, ୧୮୫୦, ୧୮୯୩, ୧୮୯୬ ମସିହାରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। ଶେଷ ଥର ୧୯୦୫ ମସିହା ମେ ୪ ତାରିଖରେ ମହାପ୍ରଭୁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶରେ ଦର୍ଶନ ଦେଇଥିଲେ। ଏହା ପରଠାରୁ ଆଉ ମହାପ୍ରଭୁଙ୍କ ଏହି ବେଶ କରାଯାଇନି। ମହାପ୍ରଭୁଙ୍କ ଏହି ବେଶ କରିବାକୁ ହେଲେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାକୁ ପଡ଼ିବ। କାରଣ ମହାପ୍ରଭୁଙ୍କ ଏହି ବେଶ ସାମଗ୍ରୀ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ରହିଛି। ଯଦି ସାମୁହିକ ଇଚ୍ଛା ରହିବ, ତେବେ ଭକ୍ତମାନେ ନିଶ୍ଚିତ ଏହି ବେଶ ଦର୍ଶନର ସୌଭାଗ୍ୟ ପାଇପାରିବେ। ଏବେ ଯେହେତୁ ଭିତର ରତ୍ନଭଣ୍ଡାର ଖୋଲାଯାଇଛି, ତେଣୁ ଏହି ବେଶ ଅଳଙ୍କାର ଅଛି କି ନାହିଁ, ଖୋଳତାଡ଼ ହେଉ ବୋଲି ଭକ୍ତ ଓ ସେବାୟତ ମତବ୍ୟକ୍ତ କରିଛନ୍ତି।
କେଉଁ ଅଳଙ୍କାର କେତେ ଲାଗେ ଅଳଙ୍କାର ଉପରେ ନଜର ପକାଇଲେ, ୮୩ ଭରିର ୬୪ଟା ସୁନା କଦମ୍ବ ମାଳି, ୧୦୩ ଭରିର ୮୧ଟି ସୁନା ମାଳି, ୫୫ ଭରିର ୮୮ଟି ହରିଡା ସହ ସୁନା କଦମ୍ବ ମାଳି, ୫୧ ଭରିର ୪୨ଟି ସୁନା ତାବିଜ ମାଳି, ୩୬ ଭରିର ସୁନା ତାରରେ ଗୁନ୍ଥା ୩୪ଟି ସୁନା ତାବିଜ ମାଳି, ୪୩ ଭରିର ୪୩ଟି ସୁନା ତାବିଜ ମାଳି, ୫୬ ଭରିର ୧୫୬ଟି ସୁନା କୁରୁ ଜାତକ ମାଳି, ୫୨ ଭରିର ୧୪୫ଟି ସୁନା କୁରୁଜାତକ ମାଳି, ୨୪ ଭରିର ୧୧୩ଟି ସୁନା ବଉଳ କୋଳିଆ ମାଳି, ୨୪ ଭରିର ୧୧୯ଟି ସୁନା ବଉଳ କୋଳିଆ ମାଳି, ୬୩ ଭରିର ୫୨ଟି ହରିଡା ମାଳି, ପାହାଣ୍ଡିଆ କଣ୍ଠି ୧୦ଟି, ୫୯ ଭରିର ଅଁଳା ମଞ୍ଜିଆ ୩୮ଟି କଣ୍ଠି ମାଳି, ୭ ଭରିର ଆଙ୍କୁ କୋଳିଆ ୬୨ଟି ମାଳି ଓ ଗୋଟିଏ ପଦକ, ୨୨୮ ଭରିର ସୁନା କଣ୍ଠିଆ ଅଁଳା ମଞ୍ଜିଆ ଛୋଟ କଣ୍ଠି ମାଳି, ୧୩ ଭରିର ପୋହଳା ସହ ପ୍ରାୟ ୪୮ ପ୍ରକାରର ସୁବର୍ଣ୍ଣର ଅଳଙ୍କାର ପିନ୍ଧିଥାନ୍ତି। ଏଭଳି ଆହୁରି ଅନେକ ଅଳଙ୍କାର ବି ମହାପ୍ରଭୁ ପରିଧାନ କରିଥାନ୍ତି। ବରିଷ୍ଠ ପୂଜାପଣ୍ଡା ଓ ସିଂହାରୀ ସେବକଙ୍କ କହିବା କଥା, ଏହି ବେଶରେ ପାଟବସ୍ତ୍ରରେ ବି ସୁବର୍ଣ୍ଣର ଅଳଙ୍କାର ଲାଗିଥାଏ।