ଯୁବପିଢ଼ି ଉତ୍ସାହିତ ହେବେ: ରଘୁନାଥ ସିଂହ

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ବ୍ରାଣ୍ଡସ୍‌ ଅଫ ଓଡ଼ିିଶା, ପ୍ରାଇଡ୍‌ ଅଫ ଇଣ୍ଡିଆ- ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ -୨୦୧୮କୁ ନେଇ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ଶିଳ୍ପୋଦ୍ୟୋଗୀମାନଙ୍କୁ ଅଗ୍ରସର ହେବା ପାଇଁ ପ୍ରେରଣା ଦେବ ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଢେଙ୍କାନାଳସ୍ଥିତ ଉତ୍କଳ ଆଜ୍‌ବେଷ୍ଟସ୍‌ର ଜେନେରାଲ୍‌ ମ୍ୟାନେଜର ରଘୁନାଥ ସିଂହଙ୍କ ମତାମତକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା…

ଏହି ପୁରସ୍କାର ସଂପର୍କରେ ଆପଣଙ୍କ ମତ କ’ଣ?
ସଫଳ ଶିଳ୍ପୋଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯିବା ପାଇଁ ‘ସମ୍ବାଦ’ର ଏଭଳି ଅଭିନବ ପ୍ରୟାସ ଦ୍ୱାରା କ୍ଷୁଦ୍ର ଶିଳ୍ପୋଦ୍ୟୋଗୀମାନେ ଉତ୍ସାହିତ ହେବେ, ଶିଳ୍ପର ଉନ୍ନତି ହେବ। ‘ସମ୍ବାଦ’ର ସମସ୍ତ ଉଦ୍ୟମ ନୂଆ ହୋଇଥାଏ ଏବଂ ଅନ୍ୟକୁ ତାହା ପ୍ରେରଣା ଦେଇଥାଏ।
ରାଜ୍ୟରେ ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟିରେ ଏହି ପୁରସ୍କାର ସହାୟକ ହେବ କି?
ନିଶ୍ଚିତ ଭାବେ ଏହି ପୁରସ୍କାର ରାଜ୍ୟରେ ଉତ୍ତମ ବାତାବରଣ ସୃଷ୍ଟି କରିବ। ଶିଳ୍ପପତିମାନେ ଉତ୍ସାହିତ ହେବେ। ଶିଳ୍ପ କ୍ଷେତ୍ରରେ ମନୋନିବେଶ ପାଇଁ ଆଗାମୀ ଯୁବ ପିଢ଼ି ମଧ୍ୟ ଉତ୍ସାହିତ ହେବେ।
ଏଭଳି ପୁରସ୍କାର ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଆପଣ ଭାବୁଛନ୍ତି କି?
ଉତ୍ସାହିତ କରିବା ପାଇଁ ପୁରସ୍କାରର ଆବଶ୍ୟକତା ରହିଛି। ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଉଛି। ତେବେ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ପୁରସ୍କାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗୀଙ୍କୁ ସଫଳ କରାଇବା ସହ ଜିଲ୍ଲା, ରାଜ୍ୟ ଓ ଦେଶର ଉନ୍ନତି ଦିଗରେ ସହାୟକ ହେବ।
ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ କି?
ଯେଉଁ ପରିମାଣରେ ଓଡ଼ିିଶାରେ ଶିଳ୍ପାୟନ ହେବା କଥା ତାହା ହେଉନାହିଁ। ଯେତିକି ବି ସୁବିଧା ରହିଛି, ତା ମଧ୍ୟରେ ଯୁବ ଶିଳ୍ପୋଦ୍ୟୋଗୀମାନଙ୍କୁ ଯଦି ଠିକ୍‌ ମାର୍ଗଦର୍ଶନ ମିଳନ୍ତା ତେବେ ସେମାନେ ଆହୁରି ଆଗକୁ ଯାଇପାରନ୍ତେ। କ୍ଷୁଦ୍ରଶିଳ୍ପରେ ଯେତେ ବିକାଶ ହେବ ଦେଶରୁ ବେକାରୀ ସମସ୍ୟା ସେତିକି ଦୂର ହେବାର ସମ୍ଭାବନା ରହିଛି।
ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
କୁହାଯାଉଛି ଯାହା ଓଡ଼ିିଶାରେ ଅଛି ତାହା ଭାରତରେ ନାହିଁ। କଞ୍ଚାମାଲ୍‌ ତ ଓଡ଼ିଶାରେ ଭରପୂର ରହିଛି। କିନ୍ତୁ ତା’ର ସଠିକ୍‌ ବିନିଯୋଗ କରାଯାଇପାରୁନାହିଁ। ସେଥି ପାଇଁ ରାଜ୍ୟରେ ଶିଳ୍ପର ବିକାଶ ହୋଇ ପାରୁନାହିଁ। ଆମ ରାଜ୍ୟରେ ମହଜୁଦ୍‌ ଥିବା କଞ୍ଚାମାଲ୍‌କୁ ନେଇ ବିଭିନ୍ନ ଶିଳ୍ପ ଗଢ଼ି ଉଠିବାର ସମ୍ଭାବନା ରହିଛି। ଓଡ଼ିଶାର ଯୁବପିଢ଼ିଙ୍କୁ ସେହି ପରିମାଣରେ ଆର୍ଥିକ ତଥା ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ ଉଚିତ୍‌। ଯାହା ଫଳରେ ସେମାନେ ଚାକିରି ମୁହାଁ ନ ହୋଇ ଶିଳ୍ପ ମୁହାଁ ହେବେ।
କେଉଁ କ୍ଷେତ୍ରକୁ ସରକାର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାର ଆବଶ୍ୟକତା ରହିଛି?
କ୍ଷୁଦ୍ର ଶିଳ୍ପ ନିର୍ମାଣ ପାଇଁ ଇଚ୍ଛୁକ ଯୁବ ଗୋଷ୍ଠୀ କିମ୍ବା ବ୍ୟକ୍ତିବିଶେଷଙ୍କୁ ଠିକ୍‌ ତାଲିମ ଦିଆଯିବାର ଆବଶ୍ୟକତା ରହିଛି। ସରକାର ଯେଭଳି ବିଭିନ୍ନ କ୍ଷେତ୍ରରେ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି ସେଭଳି ଉଦ୍ୟୋଗଗୁଡିକ ତିଷ୍ଠି ରହିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଏଥିସହ କେତେକ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ କରିବା ଦିଗରେ ଧ୍ୟାନ ଦିଆଗଲେ ଶିଳ୍ପାୟନ ଊର୍ଦ୍ଧ୍ୱମୁଖୀ ହେବ।
ଏହି ପୁରସ୍କାର ନୂଆପିଢ଼ିଙ୍କୁ ଉଦ୍ୟୋଗୀ ହେବା ପାଇଁ ଅନୁପ୍ରାଣିତ କରିବ ବୋଲି ଭାବୁଛନ୍ତି କି?
ଶିଳ୍ପ ସଂସ୍ଥାଗୁଡିକୁ ପ୍ରୋତ୍ସାହିତ କରିବା ଦିଗରେ କୌଣସି ପୁରସ୍କାର ଦିଆଯାଉ ନଥିଲା। ଶିଳ୍ପ ସଂସ୍ଥା ହେବା ପରେ ତା’ର ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଆଦି ଦିଗରେ ପୁରସ୍କାର ଦିଆଯାଉଛି। ତେଣୁ ଯୋଗ୍ୟ ଉଦ୍ୟୋଗୀଙ୍କୁ ଏହି ପୁରସ୍କାର ମିଳିବା ନିଶ୍ଚିତ ଭାବେ ନୂତନ ପିଢ଼ିଙ୍କୁ ଶିଳ୍ପୋଦ୍ୟୋଗୀ ହେବା ଦିଗରେ ଅନୁପ୍ରାଣିତ କରିବ। ସେମାନଙ୍କ ମନୋବଳକୁ ସୁଦୃଢ଼ କରିବ।
ଓଡ଼ିିଶାରେ ଶିଳ୍ପାୟନକୁ ଠିକଣା ଦିଗରେ ନେବା ପାଇଁ ଆପଣଙ୍କର ପ୍ରସ୍ତାବ କ’ଣ ରହିବ?
ବିଭିନ୍ନ ଅସୁବିଧା ଯୋଗୁଁ ବହୁ ଶିଳ୍ପାନୁଷ୍ଠାନ ବୁଡ଼ିଯାଇଛି। ଯେଉଁ ଶିଳ୍ପୋଦ୍ୟୋଗୀ ଆଗେଇ ଆସୁଛନ୍ତି, ସେମାନଙ୍କୁ ସରକାରୀସ୍ତରରେ ପ୍ରାଧାନ୍ୟ ଦେବାକୁ ହେବ। ଶ୍ରମିକ ଓ କର୍ମଚାରୀମାନେ ବି ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ କରିବା ଉଚିତ୍‌। ଶିଳ୍ପୋଦ୍ୟୋଗୀମାନେ ସ୍ଥାନୀୟ ଅଞ୍ଚଳର ବିକାଶ କରିବା ଉଚିତ। ଏଥିରେ ପୁଣି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗିତାରେ ହେବା ଜରୁରି। ଶିଳ୍ପ ପାଇଁ ନଷ୍ଟ ହୋଇଯାଉଥିବା ବନାଞ୍ଚଳଗୁଡ଼ିକରେ ସବୁଜ ବିପ୍ଳବ ଆଣିବା ନିହାତି ଆବଶ୍ୟକ।

ସମ୍ବନ୍ଧିତ ଖବର