ରାଉରକେଲା: କଂଗ୍ରେସର ପୂର୍ବତନ ନେତା ପ୍ରଫୁଲ୍ଲ ସୁନ୍ୟାନୀ ଆଜି ବିଧିବଦ୍ଧଭାବେ ବିଜେଡିରେ ମିଶିଛନ୍ତି। ପୂର୍ବାହ୍ନରେ ଶଙ୍ଖଭବନଠାରେ ଆୟୋଜିତ ମିଶ୍ରଣପର୍ବରେ ପ୍ରଫୁଲ୍ଲ ବିଜେଡିରେ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ଯୋଗେଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନରେ ସେ ନବୀନନିବାସରେ ପହଞ୍ଚି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଥିଲେ। ଏହି ମିଶ୍ରଣପର୍ବ ପରେ ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ଦଳ ଶକ୍ତିଶାଳୀ ହୋଇଛି ସତ, କିନ୍ତୁ ଦୌଡ଼ରେ ଆଉ ଗୋଟିଏ ନାଁ ଯୋଡ଼ିହୋଇଯାଇଛି।

Advertisment

ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଥିବା ଶ୍ରୀ ସୁନ୍ୟାନୀ ଗତ ୭ ତାରିଖରେ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କର ବିଜେଡିରେ ଯୋଗଦାନ ନେଇ ଚର୍ଚ୍ଚା ଲାଗିରହିଥିଲା। ଶେଷରେ, ସେ ଆଜି ବ‌ିଜେଡିରେ ଯୋଗଦେଇଛନ୍ତି। ୨୦୦୯ ମସିହା ନିର୍ବାଚନରେ ସେ କଂଗ୍ରେସରୁ ଲଢ଼ି ଦ୍ବିତୀୟ ସ୍ଥାନରେ ରହିଥିବାରୁ ସ୍ବାଭାବିକ ଭାବେ ଟିକେଟ୍‌ ଦୌଡ଼ରେ ସାମିଲ ହୋଇଛନ୍ତି। ସେହିପରି, ୨୦୧୯ରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରଶାନ୍ତ ସେଠୀ କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ଯୋଗଦେବା ଲକ୍ଷ୍ୟରେ ରହିଛନ୍ତି। କିଛିଦିନ ପୂର୍ବେ ପ୍ରଶାନ୍ତ ବିଜେଡିରେ ସାମିଲ ହେବାକୁ ଭୁବନେଶ୍ବରରେ ଡେରା ପକାଇଥିଲେ, କିନ୍ତୁ କୌଣସି ଅଦୃଶ୍ୟ କାରଣରୁ ସେ ଦଳରେ ସାମିଲ ନ ହୋଇ ଫେରିଆସିଥିଲେ। ବିଜେଡିରେ ବିଧିବଦ୍ଧ ଯୋଗଦେଲେ ସେ ମଧ୍ୟ ଟିକେଟ୍‌ ଦୌଡ଼ରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିସହିତ, ଲଗାତାର ତିନିଥର ଜିତି ବିଧାୟକ ହୋଇଥିବା ସୁବ୍ରତ ତରାଇ ବି ଦୌଡ଼ରେ ରହିଛନ୍ତି। ତେବେ, ବେଶ୍‌ କିଛିଦିନ ଧରି ନିର୍ବାଚନମଣ୍ଡଳୀରୁ ସଂପୂର୍ଣ୍ଣ ଦୂରେଇ ରହିବାରୁ ତାଙ୍କ ବିରୋଧରେ ଅ‌ସନ୍ତୋଷ ରହିଛି। ସେହିପରି, ୨୦୧୯ରେ କଂଗ୍ରେସ ଟିକଟରୁ ଲଢ଼ିଥିବା ପ୍ରଶାନ୍ତ ସେଠୀ ପ୍ରାୟ ବର୍ଷକ ପୂର୍ବେ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ନିର୍ଦଳୀୟ ଭାବେ ଜନସେବାରେ ନିଜକୁ ନିୟୋଜିତ କରିଛନ୍ତି। କିଛି ଦିନ ପୂର୍ବେ ପ୍ରଶାନ୍ତ ବିଜେଡିରେ ସାମିଲ ହେବାକୁ ଭୁବନେଶ୍ବରରେ ଡେରା ପକାଇଥିଲେ, କିନ୍ତୁ କୌଣସି ଅଦୃଶ୍ୟ କାରଣରୁ ସେ ଦଳରେ ସାମିଲ ନ ହୋଇ ଫେରିଆସିଥିଲେ। ଏଯାଏ ସେ ବିଜେଡିରେ ଯୋଗଦେଇନାହାନ୍ତି। ରାଜନୈତିକ ସମୀକ୍ଷକଙ୍କ ମତ‌ରେ ଦଳ ଏଥର ପୁରୁଣା ମୁହଁକୁ ବାଛିବ ନା ନୂଆଁ ମୁହଁକୁ ସୁଯୋଗ ଦେବ, ସମ୍ଭବତଃ ତାହା ଚୂଡ଼ାନ୍ତ ହୋଇପାରୁନି। ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାର ସମସ୍ତ ୬ଟି ଆସନରେ ପ୍ରାର୍ଥୀ ଘୋଷଣା ହୋଇସାରିଥିଲେ ସୁଦ୍ଧା ରଘୁନାଥପାଲିକୁ ବାଦ୍‌ ଦିଆଯାଇଛି।