ରଘୁନାଥପାଲୀ ବିଧାନସଭା କ୍ଷେତ୍ର : ଗୋ‌ଷ୍ଠୀକନ୍ଦଳ ସୁବ୍ରତଙ୍କ ପାଇଁ ଅଡୁଆ

ରାଉରକେଲା, (ରଶ୍ମି ରଂଜନ ମୁଦୁଲି): ଅନୁସୂଚିତ ଜାତି (ଏସ୍‌ସି)ଙ୍କ ପାଇଁ ସଂରକ୍ଷିତ ସୁନ୍ଦରଗଡ଼ ଜିଲ୍ଲାର ଏକମାତ୍ର ବିଧାନସଭା ଆସନ ରଘୁନାଥପାଲୀରୁ ନିର୍ବାଚନ ଲଢିବା ପାଇଁ ଏଥର ସବୁ ଦଳରୁ ଅନେକ ଆଶାୟୀ। ଲଗାତାର ଦୁଇ ଥର ନିର୍ବାଚନ ଜିତି ନିଜର ସ୍ଥିତିକୁ ସୁଦୃଢ କରିଥିବା ପୂର୍ବତନ ମନ୍ତ୍ରୀ ସୁବ୍ରତ ତରାଇଙ୍କୁ ମଧ୍ୟ ଟିକେଟ୍ ପାଇଁ ନିଜ ଦଳରୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ସାରଦା ନାୟକଙ୍କ ଅତି ନିକଟତର ସମାଜସେବୀ ପ୍ରଶାନ୍ତ ସେଠୀ ଏଥର ବିଜେଡି ଟିକେଟ୍ ଦୌଡ଼ରେ। ନିଜେ ପ୍ରଶାନ୍ତ ଓ ତାଙ୍କ ସମର୍ଥକ ଖୋଲାଖୋଲି ସୁବ୍ରତଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ସହ ତାଙ୍କ ବିଫଳତାକୁ ପ୍ରଚାର କରୁଛନ୍ତି। ଏହାକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିଜେଡି ଟିକେଟ୍ ପାଇଁ ଯୁବ ନେତା ରୋହିତ ଦୀପ୍ ମଧ୍ୟ ଲବି କରୁଥିବା ଜଣାପଡ଼ିଛି।

ବିଗତ ଦୁଇ ନିର୍ବାଚନରେ ସୁବ୍ରତ ତରାଇ ରଘୁନାଥପାଲୀ ଆସନରୁ ବିଜୟୀ ହୋଇଥିଲେ। ୨୦୦୯ ନିର୍ବାଚନରେ ସୁୁବ୍ରତ ତରାଇ ୩୫,୦୨୩ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୪ ନିର୍ବାଚନରେ ୪୯,୦୭୪ ଭୋଟ ଅର୍ଥାତ୍ ୧୪ ହଜାରରୁ ଅଧିକ ଭୋଟ ପାଇଥିଲେ। ପୂର୍ବାପେକ୍ଷା ବିଜେଡିର ମତଦାନ ପ୍ରତିଶତ ମଧ୍ୟ ବୃଦ୍ଧି ପାଇଥିଲା। ପ୍ୟାରୀଙ୍କ ମିଡ୍‌ ନାଇଟ୍ ଅପରେସନ କାରଣରୁ ରାଉରକେଲା ବିଧାୟକ ସାରଦା ନାୟକ ଅଚାନକ ମନ୍ତ୍ରୀ ପଦ ହରାଇବା ପରେ ପ୍ରଥମ ଥର ବିଧାୟକ ହୋଇ ବି ସୁବ୍ରତ ତରାଇ ମନ୍ତ୍ରୀ ହୋଇଥିଲେ। ୨୦୧୪ ନିର୍ବାଚନରେ ସୁବ୍ରତ ଦ୍ବିତୀୟ ଥର ନିର୍ବାଚିତ ହୋଇଥିବା ବେଳେ ସାରଦା ପରାଜିତ ହୋଇଥିଲେ। ଏହାସ‌େତ୍ତ୍ବ ସୁବ୍ରତଙ୍କୁ ମନ୍ତ୍ରୀ ପଦ ମିଳିନଥିଲା।

ବିଜେଡି ରଘୁନାଥପାଲି ଓ ରାଜଗାଙ୍ଗପୁରରେ ଭଲ ପ୍ରଦର୍ଶନ କରିଥିଲେ ବି ରାଉରକେଲା ସମେତ ଜିଲ୍ଲାର ଅନ୍ୟ ୫ଟି ବିଧାନସଭା ଏବଂ ସୁନ୍ଦରଗଡ଼ ଲୋକସଭା ଆସନରେ ଭଲ ପ୍ରଦର୍ଶନ କରି ନଥିବାରୁ କାହାରିକୁ ମନ୍ତ୍ରୀ ପଦ ମିଳିନଥିଲା। ଗୋଷ୍ଠୀ ବିବାଦ ପାଇଁ ଜିଲ୍ଲାରେ ଦଳର ବିପର୍ଯ୍ୟୟ ହେଲା ବୋଲି ଉପରସ୍ତରରେ ଧାରଣା ସୃଷ୍ଟି ‌େହାଇଥିଲା। ଗତ ନିର୍ବାଚନରେ ଏହି ଆସନରେ ବିଜେପି ପ୍ରାର୍ଥୀ ୩୩ ହଜାର ୦୩୩ ଖଣ୍ଡ ଭୋଟ ପାଇ ଦ୍ବିତୀୟ ଓ କଂଗ୍ରେସ ୧୪ ହଜାର ୫୬୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲା। ୨୦୦୯ ନିର୍ବାଚନରେ ଏହି ଆସନରେ କଂଗ୍ରେସ ଦ୍ବିତୀୟ ଓ ବିଜେପି ତୃତୀୟ ସ୍ଥାନରେ ରହିଥିଲା।

ଏଥର ବିଜେପିରୁ ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି ସଭାପତି ଜଗବନ୍ଧୁ ବେହେରା, ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସମ୍ପାଦକ ତଥା ଲାକ୍ଷେ ଘର ତନ୍ତୀ ସମାଜର ଜଣେ ଆଗଧାଡ଼ିର ସମାଜସେବୀ ଦୁର୍ଗା ତନ୍ତୀ ଓ ସନ୍ତୋଷ ବେହେରା ଟିକେଟ୍ ଆଶାୟୀ ଅଛନ୍ତି। ଦୀର୍ଘ ଦିନ ଧରି ଆର୍ଏସ୍‌ଏସ୍‌ ସହିତ ଜଡ଼ିତ ଥିବାରୁ ଶ୍ରୀ ତନ୍ତୀଙ୍କ ଲବି ଉପରସ୍ତରରେ ଲବି ଜୋରଦାର ହୋଇଛି। କଂଗ୍ରେସ ଦଳରୁ ଏଥର ଟିକେଟ୍‌ ପାଇଁ ବହୁ ଆଶାୟୀ ଅଛନ୍ତି। କଂଗ୍ରେସରୁ ଗୋପାଳ ଦାସ, ପ୍ରଫୁଲ୍ଲ ସୁନ୍ୟାନୀ, ସନ୍ତୋଷ ତନ୍ତୀ ଓ ଗଜେନ୍ଦ୍ର ତନ୍ତୀଙ୍କ ନାମ ଶୁଣାଯାଉଛି। ତେବେ ପ୍ରାର୍ଥୀ ଚୟନରେ ତିର୍କୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି       ସୁବ୍ରତ ତରାଇ   ୪୯୦୭୪ ୪୬.୪୫
ବିଜେପି       ଜଗବନ୍ଧୁ ବେହେରା  ୩୩,୦୩୩ ୩୧.୨୭
କଂଗ୍ରେସ      ଗଜେନ୍ଦ୍ର ତନ୍ତୀ  ୧୪,୫୬୬ ୧୩.୭୯
ସମତାକ୍ରାନ୍ତି   ଗୋପାଳ ଦାସ  ୩୧୭୭ ୩.୦୧

ସମ୍ବନ୍ଧିତ ଖବର