କରୋନା ବିଗାଡ଼ି ଦେଲାଣି ଶିଳ୍ପୀକୁଳଙ୍କ କୌଳିକ ବୃତ୍ତି : ରଘୁରାଜପୁର ଶିଳ୍ପୀଙ୍କୁ ଘାରିଛି ଭବିଷ୍ୟତ ଚିନ୍ତା

ଭୁବନେଶ୍ବର : ଫନି ବାତ୍ୟାରୁ ଝାଡ଼ିଝୁଡ଼ି ହୋଇ ଅଣ୍ଟା ସଳଖୁଥିବା ବ‌େଳେ ଶିଳ୍ପୀକୁଳଙ୍କ ଭାତ ହାଣ୍ଡି ଉପରେ ପୁଣି ଚଡ଼କ ପକାଇଛି ‘କରୋନା’। ମାସାଧିକ କାଳ ବିକ୍ରିବଟା ନଥିବାରୁ ହାତବାନ୍ଧି ବସିଥିବା ଶିଳ୍ପୀମାନେ କୌଳିକ ବୃତ୍ତିର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଲେଣି। କେବଳ ଯେ ଏହା ଏହି କରୋନା ସଂକ୍ରମଣ ବ୍ୟାପୁଥିବା ସମୟ ଭିତରେ ଲୋକଙ୍କୁ କଲବଲ କରିବ ତାହା ନୁହେଁ, ବରଂ ଲୋକଙ୍କ ପକେଟ୍‌ ଖାଲି ହୋଇଯାଇଥିବାରୁ କିଛି ମାସ ଯାଏ ଯେ ବିକ୍ରିବଟାରେ ବ୍ରେକ୍‌ ଲାଗିବ ତାହା ଏବେଠୁ ଜଳଜଳ ବାରି ହୋଇପଡ଼ୁଛି। ରଘୁରାଜପୁର ଐତିହ୍ୟ ଗ୍ରାମ ପରିଚାଳନା କମିଟିର ସଭାପତି ତଥା ଜାତୀୟ ପୁରସ୍କାରପ୍ରାପ୍ତ ବରିଷ୍ଠ ପଟ୍ଟଚିତ୍ର ଶିଳ୍ପୀ ବିଶ୍ବନାଥ ସ୍ବାଇଁ ଏହି ଆଶଙ୍କା କରିଛନ୍ତି। କେବଳ ସେ ନୁହେଁ ସମଗ୍ର ଗ୍ରାମର ଶିଳ୍ପୀକୁଳଙ୍କୁ ଏହି ଚିନ୍ତା ଘାରିଛି। ଏମିତିରେ ପ୍ରଶ୍ନ ଉଠିଛି, ଏହି କୌଳିକ ବୃତ୍ତି ବଞ୍ଚିବ ତ?

ଶ୍ରୀ ସ୍ବାଇଁଙ୍କ ସୂଚନା ମୁତାବକ, ରଘୁରାଜପୁର ଗ୍ରାମର ପ୍ରାୟ ୧୫୦ ପରିବାର କଳା ଓ କାରିଗରୀରୁ ଜୀବିକା ଅର୍ଜନ କରନ୍ତି। ପ୍ରତି ପରିବାରରେ ୭ରୁ ୭୦ ବର୍ଷର ପ୍ରାୟ ୮ଶହ ଜଣ ଶିଳ୍ପୀ କଳା ଓ କାରିଗରୀ ସହ ସଂଶ୍ଳିଷ୍ଟ। ଯୋଗ୍ୟତା ଓ ଦକ୍ଷତା ଭିତ୍ତିରେ ଏହି ଶିଳ୍ପୀ ପରିବାର ୫ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଆ‌ୟ କରନ୍ତି। କୋଣାର୍କ, ପୁରୀ ଶ୍ରୀମନ୍ଦିର ଓ ସମୁଦ୍ରକୂଳ ଭଳି ପର୍ଯ୍ୟଟନ କ୍ଷେତ୍ର ବୁଲି ଫେରିବା ‌ବେଳକୁ ବହୁ ପର୍ଯ୍ୟଟକ ଓଡ଼ିଶାର ଏହି ପ୍ରଥମ ଐତିହ୍ୟ ଗ୍ରାମରୁ କଳା କାରିଗରୀ ଜିନିଷ କିଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ଦୈନିକ ପ୍ରାୟ ୨ଶହରୁ ୩ଶହ ପାଖାପାଖି ପର୍ଯ୍ୟଟକ ଏହି ଗ୍ରାମକୁ ବୁଲିବାକୁ ଆସିବା ସହ କିଛି ଜିନିଷ କିଣାକିଣି କରନ୍ତି। ଫଳରେ ପ୍ରତ୍ୟେକ ପରିବାରର ଗୁଜୁରାଣ ‌ମେଣ୍ଟାଇବାରେ ସମସ୍ୟା ହୁଏନାହିଁ। ମାତ୍ର କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଲକ୍‌ଡାଉନ ହେବା ପରଠୁ ପର୍ଯ୍ୟଟକଙ୍କ ଗୋଡ଼ରେ ଯେମିତି ଶିକୁଳି ପଡ଼ିଯାଇଛି। ତେଣୁ ବିନା ପର୍ଯ୍ୟଟକରେ ରଘୁରାଜପୁର ଶ୍ରୀହୀନ ହୋଇଯାଇଛି। ଫଳରେ ଶିଳ୍ପୀମାନଙ୍କ ଜୀବନ ଧାରଣ ମାନ ଉପରେ ଏହା ଗଭୀର ପ୍ରଭାବ ପକାଇଛି। ଏବେଠୁ ଅନେକ ପରିବାର ଧାର ଉଧାର କରିବାକୁ ବାଧ୍ୟ ହେଲେଣି।

ସବୁଠୁ ବଡ଼ କଥା ହେଉଛି, ଅର୍ଥନୀତି ଭୁଶୁଡ଼ି ପଡ଼ୁଥିବା ଶୁଣିଶୁଣି ସେମାନଙ୍କ ମାନସିକ ସ୍ଥିତି ଦୋହଲି ଗଲାଣି। ଯଦିଓ ରଘୁରାଜପୁର ଐତିହ୍ୟ ଗ୍ରାମ ପଟ୍ଟଚିତ୍ର ଓ ଗୋଟିପୁଅ ନୃତ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଛି, ମାତ୍ର ଏଠାରେ ପୋଥିଚିତ୍ର, ଟସର ପେଣ୍ଟିଂ, କାଗଜ ମୁଖା, ନଡ଼ିଆ ଓ ପୋଲାଙ୍ଗ ଚିତ୍ର, ଗୋବର କଣ୍ଢେଇ, କାଠ ଖୋଦେଇ, ପଥର କାରିଗର ମଧ୍ୟ ରହିଛନ୍ତି। ଅନେକ ନିର୍ଦିଷ୍ଟ କାରିଗରୀକୁ କୌଳିକ ବୃତ୍ତି ଭାବେ ପିଢ଼ି ପରେ ପିଢ଼ି ଆପଣାଇ ଚାଲିଛନ୍ତି। ବିବିଧ କଳା ଓ କାରିଗରୀ ଯୋଗୁଁ ହିଁ ଦିଲ୍ଲୀ ହାଟ ଭଳି ‌ଏଠାକୁ ଶହଶହ ବିଦେଶୀ ପର୍ଯ୍ୟଟକ ଟାଣି ହୋଇ ଆସନ୍ତି। ମାତ୍ର ମେ’ ମାସରୁ ଏବେ ମଧ୍ୟରେ ଯେଉଁ ସ୍ଥିତି ଉପୁଜିଛି, କୌଳିକ ବୃତ୍ତିକୁ ନେଇ ଜୀବନ ଧାରଣ କରିବାକୁ ଅନେକ ସାହସ ଜୁଟାଇ ପାରୁନାହାନ୍ତି।

ଶ୍ରୀ ସ୍ବାଇଁଙ୍କ କହିବା ମୁତାବକ, ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଐତିହ୍ୟ ଗ୍ରାମର ମାତ୍ର ୭୦ ଜଣ କାରିଗର ଓ କଳାକାରଙ୍କୁ ମାସକୁ ୧୨୦୦ ଟଙ୍କା କଳାକାର ଭତ୍ତା ମିଳୁଛି। କିନ୍ତୁ ଅନେକ ବରିଷ୍ଠ ଜାତୀୟ ପୁରସ୍କାରପ୍ରାପ୍ତ କାରିଗର ଏବେ ବି ଏହି କଳାକାର ଭତ୍ତାରୁ ବଞ୍ଚିତ। ସରକାରଙ୍କ ହସ୍ତଶିଳ୍ପ ବିଭାଗ ପକ୍ଷରୁ ମଧ୍ୟ କୌଣସି ସହାୟତା ଯୋଗାଇ ଦିଆଯାଉନାହିଁ। ଫନି ବାତ୍ୟା କ୍ଷୟକ୍ଷତି କାଳୀନ ସହାୟତା ବାବଦକୁ ୮ହଜାର ୨ଶହ ଟଙ୍କା ମିଳିଥିଲେ ହେଁ ଏହା ମାତ୍ର ୪୦ରୁ ୫୦ ପ୍ରତିଶତଙ୍କୁ ମିଳିଛି। ଅନ୍ୟମାନେ ଏବେ ବି ଏହି ସହାୟତା ପାଇପାରିନାହାନ୍ତି। ତେଣୁ କଳାକୁ ଆଶ୍ରା କରି ବଞ୍ଚୁଥିବା ଏହି ଐତିହ୍ୟ ଗ୍ରାମର କାରିଗର ଓ କଳାକାରଙ୍କୁ ଏ ବିପତ୍ତି ବେଳେ ହସ୍ତଶିଳ୍ପ ବିଭାଗ ସହଯୋଗର ହାତ ବଢ଼ାଇବାକୁ ରଘୁରାଜପୁର ଗ୍ରାମ ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର