କୋରାପୁଟ/ଲମତାପୁଟ: ବିଜେଡିରୁ ବହିଷ୍କୃତ ହୋଇଛନ୍ତି ବରିଷ୍ଠ ନେତା ରଘୁରାମ ମାଛ। ଦଳ ବିରୋଧରେ କଟୁ ମନ୍ତବ୍ୟ ଦେବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଆଦେଶ ଜାରି କରିଛନ୍ତି। ଦଳ ପକ୍ଷରୁ ଏହି ସୂଚନା ରାଜ୍ୟ ସାଧାରଣ ସଂପାଦକ ମାନସ ମଙ୍ଗରାଜ ଦେଇଛନ୍ତି। ୨୦୧୪ ମସିହାରେ ଶିକ୍ଷକ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ରଘୁରାମ। ସେହିବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ତାଙ୍କୁ କୋରାପୁଟ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ କରିଥିଲା। କିନ୍ତୁ ନିର୍ବାଚନରେ ପରାଜୟ ହୋଇଥିଲେ ଏବଂ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍‌ ଦେଇନଥିଲା। ପରବର୍ତ୍ତୀ ସମୟରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ହେବାରୁ ୨୦୨୧ ମସିହା ଅକ୍ଟୋବର ମାସରେ ରଘୁରାମ ଦଳରୁ ନିଲମ୍ବିତ ହୋଇଥିଲେ। ତେବେ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଥିଲା। ଦଳରୁ ବହିଷ୍କୃତ ହେବା ପରେ ରଘୁରାମ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ବହିଷ୍କାର ଆଦେଶକୁ ନେଇ ରଘୁରାମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ କେଉଁଠି ଏବଂ କାହା ଉପସ୍ଥିତିରେ ଦଳ ବିରୋଧୀ କାମ କଲି ଜାଣିନାହିଁ। ଏପରିକି ଦଳ ବିରୋଧୀ କାର୍ଯ୍ୟ ନେଇ ପୂର୍ବରୁ କୌଣସି କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇନି। ୨୦୧୭ ପଞ୍ଚାୟତ ନିର୍ବାଚନରେ କୋରାପୁଟ ଜିଲ୍ଲାରେ ବିଜେଡିର ସଫଳତାରେ ମୋର ଭୂମିକା ରହିଥିଲା। ତଥାପି ଷଡ଼୍‌ଯନ୍ତ୍ର କରି ୨୦୧୯ ବିଧାନସଭା ନିର୍ବାଚନରେ ମୋତେ ଟିକେଟ୍‌ ଦିଆଗଲା ନାହିଁ। ଜିଲ୍ଲାର କିଛି ବରିଷ୍ଠ ନେତାଙ୍କ ଆଭିମୁଖ୍ୟକୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏପରିକି ଜିଲ୍ଲାରେ ଦଳ ୪ଭାଗ ହୋଇସାରିଲାଣି। ଦଳକୁ ସୁଦୃଢ଼ କରିବାକୁ ପ୍ରୟାସ ଯଦି ଦଳ ବିରୋଧୀ ତେବେ ମୋର କିଛି କହିବାର ନାହିଁ। ଅନ୍ୟପଟେ ବିଶୃଙ୍ଖଳିତ ଆଚରଣ ପାଇଁ ରଘୁରାମ ଦଳରୁ ବହିଷ୍କାର ହେଲେ ବୋଲି ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ କହିଛନ୍ତି।