ମାଣ୍ଡିଆ ପାଇଁ ଅଧିକ ବଜାର ସୁବିଧା ସୃଷ୍ଟି କରିବାକୁ ସରକାରଙ୍କ ଗୁରୁତ୍ବ : ଅଙ୍ଗନବାଡ଼ି କେନ୍ଦ୍ରରେ ମିଳିବ ମାଣ୍ଡିଆ ଲଡ଼ୁ

ଡିଏମ୍‌ଏଫ୍‌ ଜିଲ୍ଲାରେ ମଧ୍ୟାହ୍ନ ଭୋଜନରେ ବି ମାଣ୍ଡିଆ ଦେବାକୁ ନିଷ୍ପତ୍ତି

ଭୁବନେଶ୍ବର : ମାଣ୍ଡିଆ ବିକ୍ରି ପାଇଁ ଅଧିକରୁ ଅଧିକ ବଜାର ସୁବିଧା ସୃଷ୍ଟି କରାଯିବ। ଏଥିପାଇଁ ଆଜି ଓଡ଼ିଶା ମିଲେଟ୍ ମିସନ ସଂକ୍ରାନ୍ତ ଉଚ୍ଚକ୍ଷମତା ସମ୍ପନ୍ନ ବୈଠକରେ ନିଷ୍ପତ୍ତି ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କୁ ମାଣ୍ଡିଆ ଲଡ଼ୁ ଯୋଗାଇ ଦିଆଯିବ। ସେହିପରି ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି ଅର୍ଥରେ ଭିତ୍ତିଭୂମି ବିକାଶ କରାଯାଉଥିବା ଜିଲ୍ଲାଗୁଡ଼ିକର ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଅନ୍ତର୍ଭୁକ୍ତ କରିବାପାଇଁ ସରକାର ଚିନ୍ତା କରୁଛନ୍ତି।

ଗୁରୁବାର ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ମିଲେଟ ମିସନର ଉଚ୍ଚକ୍ଷମତା ସମ୍ପନ୍ନ ବୈଠକ‌େର ଚଳିତବର୍ଷ ଖରିଫ ଋତୁରେ ୧ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୨୦୧୮-୧୯ ବର୍ଷରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୭ଟି ଜିଲ୍ଲାର ହିତାଧୀକାରୀମାନଙ୍କୁ ମାଣ୍ଡିଆ ବଣ୍ଟନ ହୋଇଆସୁଛି। ମାଣ୍ଡିଆର ଗ୍ରହଣୀୟତାକୁ ନେଇ ସର୍ଭେ କରିବାକୁ ବୈଠକରେ ସ୍ଥିର କାରଯାଇଛି। ଲଘୁ ଶସ୍ୟର ଅଧିକ ବ୍ୟବହାର ନିମନ୍ତେ ବିଭିନ୍ନ ସରକାରୀ ଯୋଜନାରେ ଏହାକୁ ସମ୍ପୃକ୍ତ କରିବା ନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଥିଲା। ମାଣ୍ଡିଆ ପରି ସୁବିଧାରେ ଲଘୁଶସ୍ୟର ବିକ୍ରିବଟା ନିମନ୍ତେ ବୃହତ୍ ବିପଣନ ସଂସ୍ଥା ସହିତ ସଂଯୁକ୍ତ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଉନ୍ନୟନ କମିସନର ଶ୍ରୀ ମହାପାତ୍ର କହିଥିଲେ ଓରମାସ୍ ଦ୍ବାରା ଅନଲାଇନ୍ ମାଧ୍ୟମରେ ମାଣ୍ଡିଆ ବିପଣନ କରାଗଲେ ଅଧିକରୁ ଅଧିକ ଲୋକଙ୍କୁ ଉପଲବ୍ଧ କରିହେବ। ଆସନ୍ତା ଅକ୍ଟୋବର ୧୬ ତାରିଖରେ ବିଶ୍ବ ଖାଦ୍ୟ ଦିବସ ଅବସରରରେ ସ୍ଥାନୀୟ କୃଷି ଭବନରେ ପୁଷ୍ଟିକର ଶସ୍ୟ ସମ୍ପର୍କରେ ଏକ ଜାତୀୟ କର୍ମଶାଳା ଆୟୋଜନ କରାଯିବ।

sovereignuae.com

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଲଘୁ ଶସ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୭-୧୮ ମସିହାରେ ଓଡ଼ିଶାର ଜନଜାତି ବହୁଳ ୭ଟି ଜିଲ୍ଲାର ୩୦ଟି ବ୍ଲକରେ ଓଡ଼ିଶା ମିଲେଟ ମିସନ ଆରମ୍ଭ କରାଯାଇଥିଲା। ୨୦୧୮-୧୯ ବର୍ଷରେ ୧୪ଟି ଜିଲ୍ଲାର ୭୨ଟି ବ୍ଲକକୁ ସଂପ୍ରସାରିତ କରାଯାଇଥିଲା। ଏହା ମଧ୍ୟରୁ ୧୩ଟି ଜିଲ୍ଲାର ୬୫ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ରାଜ୍ୟ ଯୋଜନାରୁ କାର୍ଯ୍ୟକାରୀ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାର ୭ଟି ବ୍ଲକରେ ଡିଏମ୍‌ଏଫ୍ ପାଣ୍ଠିରୁ କାର୍ଯ୍ୟକାରୀ କରାଯାଇଛି। ଭାରତ ସରକାର ଓଡ଼ିଶା ମିଲେଟ ମିସନ ମଡେଲକୁ କାର୍ଯ୍ୟକାରୀ କରିବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଭାରତ ସରକାର ପୁଷ୍ଟିକର ଶସ୍ୟ ମାର୍ଗଦର୍ଶିକାରେ ସଂଶୋଧନ ଆଣିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରିଥିଲେ। ଓଡ଼ିଶା ମିଲେଟ ମିସନ ମଡେଲକୁ ନିତି ଆୟୋଗ ସମନ୍ବିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଲାଗୁ କରିବା ଉପରେ ବିଚାର କରୁଥିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କମିସନର ଭି.ଭି ଯାଦବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର