ଜୟପୁର ବଜାରରେ ଏବେ ମାଣ୍ଡିଆ ଚା’, ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଗ୍ରାହକଙ୍କୁ କରୁଛି ଆକର୍ଷିତ

ଜୟପୁର: ମାଣ୍ଡିଆ। ଓଡିଆ ଖାଦ୍ୟ ଶସ୍ୟ ଭିତରେ ଅନ୍ୟତମ। କିଏ ଏହାକୁ ଜାଉ କରି ଖାଇଥାଏ ଓ ଆଉ କିଏ ତମ୍ପା କରି ଖାଇଥାଏ। ଆଉ କୋରାପୁଟ ଅଞ୍ଚଳରେ ସକାଳୁ ସକାଳୁ ଜଳଖିଆ ଭାବେ ମଧ୍ୟ ଖାଇଥାନ୍ତି। କିନ୍ତୁ ମାଣ୍ଡିଆରେ ଏଭଳି ଜିନିଷ ପ୍ରସ୍ତୁତ ହେଉଛି ତାହା ଲୋକଙ୍କ ମନ ହେଉଛି। ମାଣ୍ଡିଅରେ ଚା’ ଠାରୁ ଆରମ୍ଭ କରି ସୁପ୍ ଏବଂ ଚଟପଟି ଖାଦ୍ୟ ପ୍ରସ୍ତୁତ ହେଉଛି। ଖୀର ଚା ଓ ଗ୍ରୀନଟି ମଧ୍ୟରେ ମାଣ୍ଡିଆ ଚା’ ଏବେ ଜୟପୁର ବଜାରକୁ ପ୍ରବେଶ କରିଛି। ଲୋକେ ମାଣ୍ଡିଆ ଚା’ ପିଇବା ସହ ବିଭିନ୍ନ ସୁସାଦ୍ୟ ଖାଦ୍ୟ ସୁବି‌ଧାରେ ପାଇପାରୁଛନ୍ତି। ଧନୀ ଠାରୁ ଆରୁମ୍ଭ କରି ଗରିବ ଶ୍ରେଣୀ ପର୍ଯ୍ୟନ୍ତ ତାହା ପସନ୍ଦ ପାଲଟିଛି। ଜୟପୁର ସହରର ପାରାବେଡା ଅଞ୍ଚଳରେ ଥିବା ମାଣ୍ଡିଆ ଚା’ ପାଇଁ ଏବେ ଲୋକଙ୍କ ପସନ୍ଦ ପାଲଟିଛି।

ଜୟପୁର ବ୍ଲକ ଅନ୍ତର୍ଗତ ବାରିଣୀପୁଟ ଗ୍ରାମର ଜଗନ୍ନାଥ ଚିନ୍ନାରୀ ସହରର ପାରାବେଡା ଠାରେ ମିଲେଟ୍ ହବ୍ ଦୋକାନ କରିଛନ୍ତି। ଯେଉଁଠି ମାଣ୍ଡିଆ‌ରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ସେଥିମଧ୍ୟ‌େ ମାଣ୍ଡିଆ ଚା’ ଲୋକଙ୍କ ପସନ୍ଦ ବୋଲି ସେ କହିଛନ୍ତି। ମାଣ୍ଡିଆକୁ ଧୋଇ ଶୁଖାଉଛନ୍ତି, ଏହାପରେ ମାଣ୍ଡିଆକୁ ୩ ଦିନ ପାଣିରେ ବତୁରାଇ ପୁଣି ୩ ଦିନ ଶୁଖାଉଛନ୍ତି, ଚା’ର ସ୍ବାଦ ଆଣିବା ପାଇଁ ତାହାକୁ ଡାବା ଭିତରେ କିଛି ଦିନ ବନ୍ଦ କରି ରଖୁଛନ୍ତି, ଏହାପରେ ପୁଣି ଧୋଇ ଶୁଖାଇ କଡେଇରେ ଭାଜୁଛନ୍ତି। ‌ସେହି ମାଣ୍ଡିଆକୁ ଶିଳ ଦ୍ବାରା ଗୁଣ୍ଡ କରି ଚା’ ପତି ବନାଉଛନ୍ତି। ଜଗନ୍ନାଥ ଦୋକାନରେ ଚା’ ପତି ଗୁଣ୍ଡ ବିକିବା ସହ ଚା’ ତିଆରି କରି ବିକ୍ରି କରୁଛନ୍ତି। ଧୀରେ ଧୀରେ ଏବେ ମାଣ୍ଡିଆ ପ୍ରସ୍ତୁତ ଚା’ ଲୋକଙ୍କୁ ପସନ୍ଦ ହେବାରେ ଲାଗିଛି। ଦୋକାନରେ ମାଣ୍ଡିଆ ଚା’ ଓ ଲେମନ୍ ଗ୍ରାସ ପକାଇ ମଧ୍ୟ ଚା’ ପ୍ରସ୍ତୁତ କରୁଛନ୍ତି। ଯାହାର ଦାମ୍ ମଧ୍ୟ ଲୋକଙ୍କୁ ସୁହାଇବା ଭଳି ୫ ଓ ୧୦ ଟଙ୍କା ରହିଛି। କେବଳ ଯେ ଚା’ ନୁହେଁ ମାଣ୍ଡିଆରେ ତିଆରି ସୁପ୍ ମଧ୍ୟ ଲୋକେ ପସନ୍ଦ କରୁଛନ୍ତି। ବିଭିନ୍ନ ପନିପରିବାକୁ ସିଝାଇ ସେଥିରେ ମାଣ୍ଡିଆର ଖୀରକୁ ପକାଇ ମାଣ୍ଡିଆ ସୁପ୍ ପ୍ରସ୍ତୁତ କରୁଛନ୍ତି। ଯେଉଁ ମାଣ୍ଡିଆକୁ ଲୋକେ ପସନ୍ଦ କରିବା କମିଯାଇଥିଲା ପୁଣି ସେଥିପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି।

ମାଣ୍ଡିଆ ପରି ଉପକାରୀ ଖାଦ୍ୟ ଆଉ କିଛି ଥାଇପାରେନା। ଏହାକୁ ଖାଇବା ଦ୍ବାରା ପେଟ ଥଣ୍ଡା ରହିଥାଏ। ଯାହାଫଳରେ ଆଜିକାଲି ଯେଉଁଭଳି ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ରହୁଛି ତାହା କମ୍‌ ହୋଇଥାଏ ବୋଲି କହିଛନ୍ତି। ଯଦି ମାଣ୍ଡିଆ ଜାଉ ଖାଇବାକୁ ଭଲ ଲାଗୁନାହିଁ ସେଥିପାଇଁ ବିଭିନ୍ନ ସୁସ୍ବାଦ ଚଟପଟି ଖାଦ୍ୟ ଜଗନ୍ନାଥ ପ୍ରସ୍ତୁତ କରୁଛନ୍ତି। ସେ ମାଣ୍ଡିଆରେ ୪ ପ୍ରକାର ବିସ୍କୁଟ କରୁଛନ୍ତି। ମାଣ୍ଡିଆ ସହ ବୋଇତାଳୁ ମଞ୍ଜି, ସୂର୍ଯ୍ୟମୁଖୀ ମଞ୍ଜି ପକାଇ ଏକ ପ୍ରକାର ବିସ୍କୁଟ। ଅନ୍ୟ ଏକ ବିସ୍କୁଟ ମାଣ୍ଡିଆ ସହ କୋରାପୁଟ କଫିରେ ତିଆରି ହେଉଛି। ମାଣ୍ଡିଆ ସହ ଫଳ ମିଶାଇ ଏବଂ ମାଣ୍ଡିଆ ସୁଗାର ଫ୍ରି ବିସ୍କୁଟ ତିଆରି କରୁଛନ୍ତି। କେବଳ ଯେ ବିସ୍କୁଟ ନୁହେଁ ମାଣ୍ଡଆରେ ତିଆରି କେକ୍, ଆଙ୍ଗୁଠି ଖଜା, ଗଜା, ଲଡୁ, ଚକଲେଟ୍, ମିକ୍ସର, ମୁରୁକି, କୁକିସ୍, ନିମିକି, ସୁଜି ଭଳି ବହୁ ପ୍ରକାର ସାମଗ୍ରୀ ତିଆରି କରୁଛି। ଏଥିସହ ମାଣ୍ଡିଆରେ ପ୍ରସ୍ତୁତ ଇଡିଲି ଓ ଦୋସା ପାଉଡର ମଧ୍ୟ ଲୋକେ କିଣୁଛନ୍ତି। ଦିନକୁ ଦିନ ବିଭନ୍ନ ‌ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଲୋକେ ମାଣ୍ଡିଆ ଓ ଗୁଡରେ ତିଆରି ସମାଗ୍ରୀ ପ୍ରତି କିଣୁଛନ୍ତି। ଏଥିସହ ଲୋକେ ଅର୍ଡର ଦେଇ ମଧ୍ୟ ବିଭିନ୍ନ ମାଣ୍ଡିଆ ସାମଗ୍ରୀ ତିଆରି କରୁଛନ୍ତି ବିଭିନ୍ନ ସାମଗ୍ରୀ ତିଆରି କରିବରେ ତାଙ୍କ ପତ୍ନୀ ସି.ଏଚ୍ ସୁମିତ୍ରା ପାତ୍ର ସହଯୋଗ କରୁଥିବା କହିଛନ୍ତି।

ଜୟପୁର ବିକ୍ରମଦେବ ସ୍ବଂୟଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ରାଜନୀତି ବିଜ୍ଞାନ ବିଷୟରେ ଅଧ୍ୟୟନ କରିଛନ୍ତି। ଚାକିରୀ ନକରି ସହରରେ ଅଟା ଓ ଚୂନା କଳ କରିଥିଲେ। ବାହାର ରାଜ୍ୟକୁ ଯିବା ପରେ ସେଠାରେ ମାଣ୍ଡିଆ ପ୍ରସ୍ତୁତ ସାମଗ୍ରୀ ତିଆରି ଦେଖି ନିଜ ଅଞ୍ଚଳରେ ମଧ୍ୟ ପ୍ରସ୍ତୁତ କରିବା ପାଇଁ ଇଚ୍ଛା କରିଥିଲେ। ଏନେଇ ହାଇଦ୍ରାବାଦ ଠାରେ ଆଇସିଏଆର ଅଧିନରେ ତାଲିମ ମଧ୍ୟ ନେଇଛନ୍ତି। ଏହାପରେ ସେ ମାଣ୍ଡିଆ ଗୋଟିଏ ପରେ ଗୋଟିଏ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି ଆରମ୍ଭ କରିଛନ୍ତି। ଏଥିସହ ଓରମାସ୍, ମିଶନ ଶକ୍ତି ଆଦି ବିଭିନ୍ନ ଅନୁଷ୍ଠାନ ଜରିଆରେ ସେ ଏସଏଚଜି ମହିଳାମାନଙ୍କୁ ମାଣ୍ଡିଆ ଖାଦ୍ୟ ସାମଗ୍ରୀ ତିଆରି ବିଷୟରେ ତାଲିମ ଦେଉଛନ୍ତି। ରଜ ପାଇଁ ସେ ମାଣ୍ଡିଅରେ ପୋଡ ପିଠା ତିଆରି କରି ବିକ୍ରି କରୁଛନ୍ତି। ଆଗକୁ ଆହୁରୀ ନୂତନ ଖାଦ୍ୟ ସାମଗ୍ରୀ ତିଆରି କରିବା ଇଚ୍ଛା ରଖିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର