ବୁର୍ଲା: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍)ରେ ପୁଣିଥରେ ରାଗିଂ ଅଭିଯୋଗ ହୋଇଛି। ଜଣେ କନିଷ୍ଠ ଛାତ୍ରଙ୍କୁ କେତେକ ବରିଷ୍ଠ ଛାତ୍ର ରାତିଅଧରେ ରାଗିଂ କରିଥିବା ନେଇ ବୁର୍ଲା ଥାନାରେ ଅଭିଯୋଗ ହେବାପରେ ପୁଲିସ ତନାଘନା ଚଳାଇଛି। ଭିସୁଟ୍ କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ଏକ କମଟି ଗଠନ କରାଯାଇଛି। ବାରମ୍ବାର ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟିକରିଛି।

Advertisment

ପୀଡ଼ିତ ଛାତ୍ର ଇଲେ୍ଟ୍ରୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେସନ୍ ବିଭାଗର ଦ୍ୱିତୀୟ ବର୍ଷରେ ପଢ଼ୁଛନ୍ତି। ତାଙ୍କ କହିବା ଅନୁଯାୟୀ, ସେ ପୁଲହ ଛାତ୍ରାବାସ ‘ସି ବ୍ଲକ୍’ ୫୧୩ ନମ୍ବର ରୁମରେ ରୁହନ୍ତି। ଗତକାଲି ସେ ଏକ ଷ୍ଟାର୍ଟଅପ୍‌ ଉପରେ କାମ କରୁଥିଲେ। ବିଳମ୍ବିତ ରାତିରେ ସେ ‘ରିଫ୍ରେସମେଣ୍ଟ’ ପାଇଁ ଏକ ଚିପ୍ସ ପ୍ୟାକେଟ ଆଣିବା ପାଇଁ ଉକ୍ତ ଛାତ୍ରାବାସର ତଳ ମହଲାରେ ଥିବା କ୍ୟାଣ୍ଟିନକୁ ଯାଇଥିଲେ। କ୍ୟାଣ୍ଟିନଟି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥାଏ। କିନ୍ତୁ, କ୍ୟାଣ୍ଟିନ ବନ୍ଦଥିବାରୁ ସେ ନିଜ ରୁମ୍‌କୁ ଫେରିବା ବେଳେ ଶିଡ଼ି ପାଖରେ ୧୦/୧୫ ଜଣ ବରିଷ୍ଠ ଛାତ୍ର ତାଙ୍କୁ ଅଟକାଇ ଥିଲେ। ନାମ, ବିଭାଗ ଆଦି ପଚାରିବା ସହିତ ତାଙ୍କ ଉପରେ ରାଗିଂ ଆରମ୍ଭ କରିଦେଇଥିଲେ। ତାଙ୍କ ସାର୍ଟ କଲାର୍‌କୁ ଟାଣିବା ସହିତ ମାଡ଼ପିଟ କରିଥିଲେ। କୌଣସି ପ୍ରକାରେ ସେମାନଙ୍କ କବଳରୁ ମୁକିଳି ଆସି ପୀଡ଼ିତ ଛାତ୍ର ଜଣକ ସହାୟତା ନିମନ୍ତେ ନିଃଶୁଳ୍କ ନମ୍ବର ୧୧୨କୁ ଫୋନ୍‌କରି ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ।

ଖବରପାଇ ବୁର୍ଲା ପୁଲିସ୍‌ର ଇଆର୍‌ଭି ଭ୍ୟାନ୍ ପୁଲହ ଛାତ୍ରାବାସଠାରେ ତୁରନ୍ତ ପହଂଚି ଥିଲା। ପୀଡ଼ିତ ଛାତ୍ରକୁ ଭିମ୍‌ସାରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲା। ଏହାପରେ ଛାତ୍ର ଜଣକ ଥାନାକୁ ଆସି ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ବୁର୍ଲା ପୁଲିସ ଆଜି ସକାଳେ ଭିସୁଟ୍ କୁଳପତିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣା ସଂକ୍ରାନ୍ତରେ ଆଲୋଚନା କରିଥିଲା। ପୁଲିସ ଘଟଣା ସଂକ୍ରାନ୍ତରେ ଏକ ମାମଲା ରୁଜୁକରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ଆଜି ସନ୍ଧ୍ୟା ସମୟରେ ପୁଲିସର ଏକ ଟିମ୍‌ ପୁଲହ ଛାତ୍ରାବାସରେ ପହଞ୍ଚି ତନାଘନା ଚଳାଇଥିବା ବୁର୍ଲା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।
ଏହି ସଂପର୍କରେ ଭିସୁଟ୍ କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି, ବିଶ୍ୱବିଦ୍ୟାଳୟ ପରିସରରେ ରାଗିଂ ହେଉ ବା ଗଣ୍ଡଗୋଳ ହେଉ ତାହାକୁ ବରଦାସ୍ତ କରାଯିବ ନାହିଁ। ଏହି ଘଟଣାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି। କମିଟିର ତଦନ୍ତ ରିପୋର୍ଟ ଦାଖଲ ପରେ ଦୋଷୀ ଛାତ୍ରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୫ ତାରିଖରେ ମଧ୍ୟ ଏହି ପୁଲହ ଛାତ୍ରାବାସରେ ଏଭଳି ଏକ ଘଟଣା ସାମ୍‌ନାକୁ ଆସିଥିଲା। ଭିସୁଟ୍‌ର କ୍ରତୁ ଓ ଅତ୍ରି ଛାତ୍ରାବାସର ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ରଙ୍କୁ ପୁଲହ ଛାତ୍ରବାସରେ ରହୁଥିବା କେତେକ ବରିଷ୍ଠ ଛାତ୍ର ବିଳମ୍ବିତ ରାତିରେ ଫୋନ୍ କରି ଡକାଇ ଥିଲେ। ସେମାନେ ବରିଷ୍ଠ ଛାତ୍ରଙ୍କ ନିର୍ଦେଶ ମାନି ପୁଲହ ହଷ୍ଟେଲରେ ପହଞ୍ଚିବା ପରେ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ସଂପୃକ୍ତ ୩ ଜଣ କନି‌ଷ୍ଠ ଛାତ୍ରଙ୍କୁ ବରିଷ୍ଠ ଛାତ୍ରମାନେ ଗାଳିଗୁଲଜ କରିବା ସହିତ ସେମାନଙ୍କ ମୋବାଇଲ ଫୋନ୍ ମଧ୍ୟ ଭାଂଗି ଦେଇଥିବା ସେତେବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଠାରେ ଲିଖିତ ଅଭିଯୋଗ ହୋଇଥିଲା।