ଭିସୁଟ୍‌ରେ ପୁଣି ରାଗିଂ

ବୁର୍ଲା  : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ )ରେ ପୁଣି ଆସିଛି ରାଗିଂ ଅଭିଯୋଗ। ବରିଷ୍ଠ ପିଲାମାନଙ୍କ ଦ୍ବାରା କେତେକ କନିଷ୍ଠ ଛାତ୍ର ରାଗିଂ ହୋଇଥିବା ଅଭିଯୋଗ ଆଣିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ଶନିବାର ଦିନ ବିଳମ୍ବିତ ରାତିରେ କିଛି ବରିଷ୍ଠ ଛାତ୍ର ‘ଇଣ୍ଟ୍ରୋଡକ୍ସନ’ କରିବା ପାଇଁ କତ୍ରୁ ଛାତ୍ରାବାସକୁ ଆସି ଇଲେକ୍ଟ୍ରୋନିକ୍ ଟେଲିକମ୍ୟୁନିକେସନ୍(ଇଟିସି) ଏବଂ ଇଲେକ୍ଟ୍ରିକାଲ ଇଂଜିନିୟର(ଇଇ) ଦ୍ବିତୀୟ ବର୍ଷର ସମସ୍ତ ପିଲାଙ୍କୁ କମନ ରୁମ୍‌କୁ ଡକାଇ ଥିଲେ। କିନ୍ତୁ, ଇଣ୍ଟ୍ରୋଡକ୍ସନ ବାହାନାରେ ଇଲେକ୍ଟ୍ରିକାଲ ବିଭାଗର ପିଲାମାନଙ୍କୁ ଗାଳିଗୁଳଜ କରିବା ସହିତ ତାଙ୍କ ସହ ଦୁର୍ବ୍ୟବହାର ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ସଂକ୍ରାନ୍ତରେ ଛାତ୍ରାବାସର ୱାଡେନ ଆର.କେ. ସାମଲଙ୍କୁ ପଚାରିବାରୁ ସେ କହିଲେ, ସେ ନିଜେ ଆଣ୍ଟି ରାଗିଂ ସେଲ୍‌ର ସଦସ୍ୟ ଏବଂ ତାଙ୍କ ପାଖକୁ ଏପରି କୌଣସି ପ୍ରକାର ଅଭିଯୋଗ ଆସିନାହିଁ। ତଥାପି, ସେ ରାତ୍ରିରେ କର୍ଯ୍ୟରତ ସୁରକ୍ଷା କର୍ମୀଙ୍କୁ ଏ ସଂପର୍କରେ ପଚାରିଥିଲେ। ସାବଧାନତା ଏବଂ ସତର୍କତା ଦୃଷ୍ଟିରୁ ଛାତ୍ରାବାସର ମୁଖ୍ୟ ପ୍ରବେଶ ଦ୍ୱାରକୁ ସନ୍ଧ୍ୟା ୭ଟା ପରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରାବାସର ପଛ ପଟକୁ କ୍ୟାଣ୍ଟିନ ଥିବାରୁ ଅନ୍ତେବାସୀଙ୍କ ପାଇଁ ଅସୁବିଧା ହେଉଥିଲେ ମଧ୍ୟ ସତର୍କତା ଅବଲମ୍ବନ କରି ସେ ଏହି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଭିସୁଟ୍‌ରେ ବାରଂବାର ଏଭଳି ଅଭିଯୋଗ ଆସିଛି। ଗତ ବର୍ଷ ମଧ୍ୟ ରାଗିଂ ଅଭିଯୋଗ ଆସିଥିଲା। ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ବାରମ୍ୱାର ଏଭଳି ଘଟଣା ଘଟୁଥିବା କୁହାଯାଇଛି।

ସମ୍ବନ୍ଧିତ ଖବର