ର‍୍ୟାଗିଂ କଲେ ରୁଜୁ ହେବ ଫୌଜଦାରୀ ମାମଲା

ଭୁବନେଶ୍ୱର: ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ର‍୍ୟାଗିଂ ରୋକିବା ପାଇଁ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଗାଇଡ୍‌ଲାଇନ୍‌ ଜାରି କରିଛି। କ୍ୟାମ୍ପସରେ ର‍୍ୟାଗିଂ ଭୟ କିଭଳି ଦୂର କରାଯାଇପାରିବ, ସେଥିପ୍ରତି ଗୁରୁତ୍ୱ ଦେବାକୁ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି। କୁହାଯାଇଛି, ର‍୍ୟାଗିଂ ହେଉଛି ଏକ ଫୌଜଦାରୀ ଅପରାଧ। ଯଦି କୌଣସି କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ବିରୋଧରେ ର‍୍ୟାଗିଂ ଅଭିଯୋଗ ଆସେ, ତେବେ ଫୌଜଦାରୀ ମାମଲା ରୁଜୁ ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ। ର‍୍ୟାଗିଂ ଭୟ ଦୂର କରିବା ପାଇଁ ଏଆଇସିଟିଇ ପକ୍ଷରୁ ଏକାଧିକଥର ବିଜ୍ଞପ୍ତି ପ୍ରକାଶ କରାଯିବା ସହ ନିୟମାବଳୀଗୁଡ଼ିକ େଓ୍ଵବସାଇଟ୍‌ରେ ଛଡ଼ାଯାଇଛି। ଏଆଇସିଟିଇ ଅନୁମୋଦିତ ସମସ୍ତ ଶିକ୍ଷାନୁଷ୍ଠାନ ଏହି ନିୟମ ଲାଗୁ କରିବାକୁ ମଧ୍ୟ କୁହାଯାଇଛି। ପ୍ରତି କ୍ୟାମ୍ପସରେ ଆଣ୍ଟି-ର‍୍ୟାଗିଂ କମିଟି ଓ ଆଣ୍ଟି-ର‍୍ୟାଗିଂ ସ୍କ୍ଵାଡ୍‌ ଗଠନ, ନାମଲେଖା ଓ ହଷ୍ଟେଲରେ ରହିବା ସମୟରେ ଛାତ୍ରଛାତ୍ରୀଙ୍କ ଅଣ୍ଡରଟେକିଂ ଗ୍ରହଣ, ଉତ୍ସର୍ଗୀକୃତ ଓ୍ଵାର୍ଡେନ କ୍ୟାଡର୍‌ ଓ ଛାତ୍ରାବାସକୁ ନିୟମିତ ପରିଦର୍ଶନ, ଛାତ୍ରଛାତ୍ରୀଙ୍କୁ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି। ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଫେସନାଲ କାଉନସିଲର ନିଯୁକ୍ତି, ଆଇନ ଓ ଦଣ୍ଡ ଇତ୍ୟାଦି ବ୍ୟବସ୍ଥା ପ୍ରଦର୍ଶନ ସଂକ୍ରାନ୍ତ ପୋଷ୍ଟର ଓ ବ୍ୟାନର୍‌ ପ୍ରଦର୍ଶନ କରିବାକୁ ଏଆଇସିଟିଇ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଉକ୍ତ ନିୟମଗୁଡ଼ିକ ମଧ୍ୟରୁ ଯଦି କୌଣସି ଶିକ୍ଷାନୁଷ୍ଠାନ ଏହାର ଉଲ୍ଲଘଂନ କରନ୍ତି କିମ୍ବା ର‍୍ୟାଗିଂ ଦୂର କରିବା ଦିଗରେ ଯଥେଷ୍ଟ ପଦକ୍ଷେପ ନେବାରେ ବିଫଳ ହୁଅନ୍ତି ଓ ଦୋଷୀଙ୍କ ବିରୋଧରେ ଯଦି କୋହଳ ମନୋଭାବ ପୋଷଣ କରାଯାଏ, ତେବେ ଉକ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ର‍୍ୟାଗିଂ ସଂପର୍କରେ ଛାତ୍ରଛାତ୍ରୀ ଟୋଲ-ଫ୍ରି ହେଲ୍‌ପଲାଇନ୍‌ ନମ୍ବର (୧୮୦୦-୧୮୦-୫୫୨୨)ରେ ଯୋଗାଯୋଗ କରିପାରିବେ। ଏଆଇସିଟିଇର ସଦସ୍ୟ ସଚିବଙ୍କୁ ଚିଠି ଲେଖିପାରିବେ ବୋଲି ମଧ୍ୟ କୁହାଯାଇଛି।

ସମ୍ବନ୍ଧିତ ଖବର