ରାଗିଂ ଘଟଣା: ନ୍ୟାୟ ‌ଅପେକ୍ଷାରେ ପରିବାର

ସ୍ମୃତିଶ୍ରୀ ମୃତ୍ୟୁକୁ ୭ମାସ ପୂରିଲା, ହାତବାନ୍ଧି ବସିପଡ଼ିଛି ପୁଲିସ, ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବି ନାହିଁ

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ସଂଲଗ୍ନ ବିଜିଆର୍ କଲୋନିର +୨ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ସ୍ମୃତିଶ୍ରୀ ଦାସ (ଟ୍ବିଙ୍କଲ୍‌)ଙ୍କ ଝୁଲନ୍ତା ମୃତଦେହ ଚଣ୍ଡିଖୋଲ ସୁଙ୍ଗୁଡ଼ାସ୍ଥିତ ଜିଆଇଇଟି (ଗଣେଶ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲଜି) କଲେଜ୍ ହଷ୍ଟେଲରୁ ଉଦ୍ଧାର ହୋଇଥିଲା। ରାଗିଂ ପାଇଁ ସ୍ମୃତିଶ୍ରୀଙ୍କ ଜୀବନ ଯାଇଥିଲା। ମୃତ୍ୟୁକୁ ଠିକ୍‌ ୭ ମାସ ପୂରିଥିଲେ ମଧ୍ୟ ସ୍ମୃତିଶ୍ରୀଙ୍କ ପରିବାର ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି। ଅଭିଯୁକ୍ତ ତାଲିକାରେ ନାଁ ଥିବା ୬ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଏଯାଏଁ ଜଣେ ହେଲେ ବି ଗିରଫ ହୋଇନାହାନ୍ତି। ଏହି ଘଟଣାରେ ପୁଲିସ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ୭ ମାସ ହେଲା ଚୁପ୍‌ ବସିଛି।

ସେଦିନ ଥିଲା ନଭେମ୍ବର ମାସ ୩ ତାରିଖ। କଲେଜ ହଷ୍ଟେଲ କୋଠରୀ ମଧ୍ୟରୁ ସ୍ମୃତିଶ୍ରୀଙ୍କର ସୁଇସାଇଡାଲ୍‌ ନୋଟ୍‌ ଜବତ ହୋଇଥିଲା। ଏଥିରେ ତାଙ୍କ ମୃତ୍ୟୁ ପାଇଁ ଶିକ୍ଷକ, ସହପାଠୀ ଓ ୱ‌ାର୍ଡେନଙ୍କୁ ଦାୟୀ କରିଥିଲେ। ସେମାନେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ରାଗିଂ କରି ଆସୁଥିଲେ ବୋଲି ସ୍ମୃତିଶ୍ରୀ ଉଲ୍ଲେଖ କରିଥିଲେ। ଝିଅର ମୃତ୍ୟୁ ପ‌ାଇଁ ମୁଦୁଲି ସାର, ଶଶୀକାନ୍ତ ସାର, ଶୁଭ, ରାଜଲକ୍ଷ୍ମୀ ପ୍ରଧାନ, କଳାଶ୍ରୀ ଦାସ ଓ ନିର୍ମଳା ସାହୁ ଦାୟୀ ବୋଲି ଅଭିଯୋଗ ଆଣି ସେଦିନ ମୃତ ଛାତ୍ରୀଙ୍କ ମା’ ମଧୁସ୍ମିତା ଥାନାରେ ଅଭିଯୋଗ କରିଥିଲେ।‌ ଏ ସଂକ୍ରାନ୍ତରେ ଥାନାରେ ଆଇପିସି ଦଫା ୩୦୨/୩୪ ଆଧାରରେ ଏକ କେସ ୪୧୯/୨୦୨୧ ରୁଜୁ ହୋଇଥିଲା। କିନ୍ତୁ, ଏବେ ବି ସେମାନେ ନ୍ୟାୟ ଅପେକ୍ଷାରେ ଅଛନ୍ତି ବୋଲି ଏହି ଦମ୍ପତି କହନ୍ତି। ମୃତ ଛାତ୍ରୀଙ୍କ ବାପା ରବୀନ୍ଦ୍ର କହିଛନ୍ତି, ଗତ ଏପ୍ରିଲ ମାସ ୧୩ ତାରିଖରେ ଥାନାରୁ ଝିଅର ମୃତ୍ୟୁ ପ୍ରମାଣପତ୍ର ଆଣିବା ପାଇଁ ମଧ୍ୟ ୪ ଘଣ୍ଟା ଅଯଥା ଅପେକ୍ଷା କରିବାକୁ ପଡ଼ିଥିଲା। ଫଳରେ, ପୁଲିସ ଠାରୁ ନ୍ୟାୟ ପାଇବା ଆଶା ମଉଳି ଯାଇଛି । ଅନ୍ୟପକ୍ଷରେ ତଦନ୍ତଭ‌ାର ନେଇଥିବା ବଡ଼ଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକଙ୍କୁ ଆଜି ଯୋଗାଯୋଗ କରିବାରେ ସବୁଦିଗକୁ ନେଇ ପୁଲିସ ତଦନ୍ତ ଜାରି ରହିଥିବା କହିଛନ୍ତି।

ସ୍ଥାନୀୟ ଷ୍ଟିୱାର୍ଟ ସ୍କୁଲ ସୁକିନ୍ଦାରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ମୃତିଶ୍ରୀ ଜଣେ ମେଧାବୀ ଛାତ୍ରୀ ଥିଲେ। ଜଣେ ଡାକ୍ତର ହେବା ତାଙ୍କ ଜୀବନର ଲକ୍ଷ୍ୟ ଥିଲା। ସେହିପରି ଜଣେ ଠିକା ଖଣି କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବାପା ଝିଅର ପାଠପଢ଼ା ପାଇଁ ଯଥାସାଧ୍ୟ ଉଦ୍ୟମ କରିଆସୁଥିଲେ। ଝିଅର ମୃତ୍ୟୁ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନ୍ନତି ଦେଖା ଦେଇଛି। ତାଙ୍କର ୨ଟିଯାକ କିଡ୍‌ନି ନଷ୍ଟ ହୋଇଯିବା ସହ ସପ୍ତାହକୁ ୨ ଦିନ ଡାଇସିଲିସ୍ ଚାଲିଛି। ଏଭଳି ଦୁଃଖଦ ସମସ୍ୟା ଭିତରେ ଗତ ୨୩ ତାରିଖରୁ ସେ ଖଣିକାର୍ଯ୍ୟରୁ ଛଟେଇ ହୋଇଥିବା ଜଣାପଡ଼ିଛି।

କଲେଜ ହଷ୍ଟେଲରୁ ଡେଇଁଥିଲେ, ଏବେ ବି ରହସ୍ୟରେ 

ବାଲେଶ୍ବର : କାର୍ଯ୍ୟାନୁଷ୍ଠାନ ଓ ସଚେତନତା ଅଭାବରୁ ବାଲେଶ୍ବରରେ ମଧ୍ୟ ବିଭିନ୍ନ ସମୟରେ ରାଗିଂର ଶିକାର ହୋଇ ନିରୀହ ଛାତ୍ରଛାତ୍ରୀ ଆତ୍ମହତ୍ୟା ଭଳି ରାସ୍ତା ବାଛି ନେଇଛନ୍ତି।

ସେମିତି ଏକ ଘଟଣା ଘଟିଥିଲା ୨୦୨୨ ମେ ମାସ ୧୮ ତାରିଖ ବିଳମ୍ବିତ ରାତିରେ। ବାଲେଶ୍ବର ସହରରେ ଏକ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜରେ ପଢ଼ୁଥିବା ଶେଷବର୍ଷର ଛାତ୍ରୀ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବଣତାଳପଦା ଗ୍ରାମର ପ୍ରତାପଚନ୍ଦ୍ର ବେହେରାଙ୍କ ଝିଅ ସାବିତ୍ରୀ (୧୭) ନିଜ ସହପାଠୀ ଓ ହଷ୍ଟେଲ ୱାର୍ଡେନ୍‌ଙ୍କ ଦ୍ବାରା ରାଗିଂର ଶିକାର ହୋଇ ହଷ୍ଟେଲର ୪ ମହଲା ବିଲ୍‌ଡିଂରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଝିଅର ଏଭଳି ଅପ୍ରତ୍ୟାଶିତ ମୃତ୍ୟୁକୁ ସହଜରେ ବିଶ୍ବାସ କରିପାରିନଥିଲେ ସାବିତ୍ରୀଙ୍କ ବାପା, ମା’ ଓ ଆତ୍ମୀୟସ୍ବଜନ। ହଷ୍ଟେଲରେ ତାଙ୍କ ଝିଅ ତୃତୀୟ ମହଲାରେ ରହୁଥିବାବେଳେ ତାକୁ ସେଦିନ ରାତିରେ ଏକ ମିଛ ଚୋରି ଘଟଣାରେ ଯୋଡ଼ି ସହପାଠୀ ଓ ୱାର୍ଡେନ୍‌ ମାଡ଼ ମାରିବା ସହ ଛାତ ଉପରକୁ ନେଇ ଠେଲି ଦେଇଥିବା ଅଭିଯୋଗ କରିଥିଲେ। ବାଲେଶ୍ବର ସଦର ଥାନା ପୁଲିସ ମଧ୍ୟ ଏହାକୁ ଗୁରୁତ୍ବର ସହ ନେଇଥିଲା। ନିଜେ ଥାନା ଆଇଆଇସି ଅଶୋକ ନାୟକ ଘଟଣାସ୍ଥଳକୁ ଯାଇ ହଷ୍ଟେଲ ୱାର୍ଡେନ୍‌ ଓ ଅନ୍ୟ ଛାତ୍ରୀମାନଙ୍କୁ ପଚରାଉଚୁରା କରିବା ସହ ହଷ୍ଟେଲ ଚାରିପଟେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌କୁ ଜବତ କରି ତଦନ୍ତ କରିଥିଲେ। ଏବେ ଏହି ଘଟଣାକୁ ଦେଢ଼ମାସ ପୂରିବାକୁ ବସିଥିବାବେଳେ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ। ସଦର ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀଙ୍କ କହିବାନୁସାରେ, ଘଟଣା ତଦନ୍ତ ପରିସରଭୁକ୍ତ ରହିଛି।

ଅନ୍ୟପକ୍ଷରେ, ରାଗିଂ ଯୋଗୁଁ ବାଲେଶ୍ବର ଜିଲ୍ଲାରେ ଏହିପରି ୧୦ରୁ ଅଧିକ ଘଟଣା ବିଭିନ୍ନ ସମୟରେ ଘଟିଥିଲେ ହେଁ ପୁଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସିଯାଇଛି। ଉଲ୍ଲେଖଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ ଓଟିରୋଡ୍‌ସ୍ଥିତ ଏକ କଳା ଶିକ୍ଷାନୁଷ୍ଠାନ ଛାତ୍ରୀନିବାସରେ ୨ ଜଣ ଛାତ୍ରୀ ଆତ୍ମହତ୍ୟା କରିଥିବାବେଳେ ସୋର, ଖଇରା ଓ ବାଲେଶ୍ବର କଲେଜରୋଡ୍‌ସ୍ଥିତ ଏକ ଘରୋଇ ଆବାସିକ ବିଜ୍ଞାନ କଲେଜରେ ମଧ୍ୟ ଜଣେ ଛାତ୍ରୀ ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର